Loading...

Tiki Pruthibire Manoj Das” by Phaturananda

ଟିକି ପୃଥିବୀରେ ମନୋଜ ଦାସ
ଫତୁରାନନ୍ଦ

ଖ୍ରୀଷ୍ଟ କଲେଜରେ ମନୋଜବାବୁ ଅଧ୍ୟାପନା କରୁଥିବା ସମୟରେ ତାଙ୍କ ସାଙ୍ଗରେ ମୋର ପରିଚୟ ହୋଇଥିଲା ୤ ସେ ଅନେକବାର ଡଗର ଅଫିସକୁ ଆସିଥିଲେ ୤ ଚିହ୍ନା ପରିଚୟଟା ଏହିବାଟେ ଜମିଯାଇଥିଲା ୤ ସେତେବେଳେ ମୁଁ ତାଙ୍କୁ ଜଣେ ନିଆଁଗିଳା କମ୍ୟୁନିଷ୍ଟବୋଲି ଜାଣିଥିଲି ୤ ମୁଣ୍ଡବାଳଠାରୁ ପାଦନଖ ପର୍ଯ୍ୟନ୍ତ ସେ ଥିଲେ କମ୍ୟୁନିଷ୍ଟ ୤ ସେ ଏବଂ କମ୍ୟୁନିଜିମ୍ ଭିତରେ ଅଠା ବା ଅନ୍ୟ କୌଣସି ତୃତୀୟ ଜିନିଷ ବାନ୍ଧି ରଖିବାପାଇଁ ନ ଥିଲା ୤ ଅନେକ କମ୍ୟୁନିଷ୍ଟ ହୁଅନ୍ତି ବିଧାନସଭାରେ ପଶିବାପାଇଁ ୤ ଆଉ କେତେକ କମ୍ୟୁନିଷ୍ଟ ହୁଅନ୍ତି ଚାଷୀ ମୂଲିଆଙ୍କୁ ଭୂଆଁବୁଲେଇ ନିଜର ଭୂ-ସମ୍ପତ୍ତି ନିରାପଦରେ ରଖିବାପାଇଁ ୤ ଆଉ କେତେକ କମ୍ୟୁନିଷ୍ଟ ହୁଅନ୍ତି କେଙ୍କଡପଣ ଦେଖେଇ ପଚାଅଣ୍ଡା ଓ କମଳା ଅନ୍ୟ ଦଳିଆଙ୍କ ଉପରେ ପକାଇ ସେମାନଙ୍କ ସଭା ଭାଙ୍ଗିବାକୁ ୤ ଏଗୁଡିକ ହେଉଛି ଗୋଟିଏ ଗୋଟିଏ ଅଠା ଏବଂ ଏହି ଅଠା କମ୍ୟୁନିଜିମ୍‌କୁ ସେମାନଙ୍କ ଦେହରେ ଲଖେଇ ରଖୁଥାଏ ୤ ମନୋଜବାବୁଙ୍କ ଦେହଟା କମ୍ୟୁନିଜିମ୍ ସହ ଏକାକାର ହୋଇଯାଇଥାଏ୤ ଚାଲିଚଳନ, କଥାବାର୍ତ୍ତା, ବକ୍ତୃତା ସବୁଥିରେ ଗୋଟାଏ କମ୍ୟୁନିଜିମ୍ ବାମ୍ଫ ବାହାରୁଥିଲା ୤ କିଛିକାଳ ଏମିତି କଟିଥିଲା ୤ ସେ ନିଜ ସମ୍ପାଦନାରେ “ଦିଗନ୍ତ” ନାମକ ଗୋଟିଏ ପତ୍ରିକା କାଢିଲେ, ଫଳରେ ମୁଁ ତାଙ୍କର ଖୁବ୍ ପାଖାପାଖି ହୋଇଯାଇଥିଲି ୤ ସେ ପୂରାପୂରି ସମ୍ପାଦକ ବନିଗଲେ ୤ ତାଙ୍କ ଦେହରୁ ରୀତିମତ ସମ୍ପାଦକ ବାମ୍ଫ ବାହାରିଲା ୤ “ଦିଗନ୍ତ” କୁ ସେ ଗୋଟାଏ ଆଦର୍ଶ ପତ୍ରିକା କରିବାକୁ ବଦ୍ଧପରିକର ହୋଇଉଠିଲେ ୤ ସେ ଯଦି ସେହିଥିରେ ଲାଖି ରହିଥାନ୍ତେ ତେବେ “ଦିଗନ୍ତ” ଯେ ଓଡିଶାର ସର୍ବଶ୍ରେଷ୍ଠ ପତ୍ରିକା ହୋଇ ବାହାରି ଥାଆନ୍ତା ଏଥିରେ ସନ୍ଦେହ ନାହିଁ ୤

“ଦିଗନ୍ତ” ନିୟମିତ ରୂପେ ବାହାରୁଥାଏ ୤ ସେ ଭାବିଲେ ଗୋଟିଏ ସୁଦୃଶ୍ୟ ଉନ୍ନତ ଧରଣର ପତ୍ରିକା ପାଇଁ ଗୋଟାଏ ପ୍ରସେସ୍ ବିଭାଗ (ବ୍ଲକ ତିଆରି କାରଖାନା) ଏକାନ୍ତ ଆବଶ୍ୟକ ୤ ସଙ୍ଗେ ସଙ୍ଗେ ସେ ତାକୁ କାର୍ଯ୍ୟରେ ପରିଣତ କରିଦେଲେ ୤ ସରକାରଙ୍କଠାରୁ ଋଣନେଇ ସେ ପ୍ରସେସ୍ ବିଭାଗର ସମସ୍ତ ଯନ୍ତ୍ରପାତି ନେଇଆସିଲେ ୤ ଏତିକିବେଳେ ମୁଁ ତାଙ୍କୁ ଟିକିଏ ସତର୍କ କରାଇ କହିଲି, “ଦେଖନ୍ତୁ,ଆପଣ ଏକୁଟିଆ ସମସ୍ତ ବିଷୟ ବୁଝିପାରିବେନି ୤ ଏସବୁ ଆଣିବା ପୂର୍ବରୁ ଜଣେ ନିଷ୍ଠାପର, ସତ୍‌ଚରିତ୍ର ବିଶିଷ୍ଟ ସହକର୍ମୀ ଯୋଗାଡ କରିବାର ଥିଲା ୤ ଏସବୁ କାହା ଜିମାରେ ଦେବେ?”

ସେ ଅତି ହାଲୁକାଭାବରେ ଉତ୍ତରଦେଲେ-“ଭଲ ଉଦ୍ଦେଶ୍ୟ ରଖି ମୁଁ କାମକରି ଚାଲିଯାଉଛି ୤ ପରିଣତି କଅଣ ହେବ ସେ ବିଷୟରେ ମୁଁ ମୁଣ୍ଡ ଖେଳାଇବି କାହିଁକି? ଏଥିରେ ମୁଣ୍ଡ ଖେଳାଇ ଲାଗିଲେ କାମ ଆଗେଇପାରିବ ନାହିଁ ୤ ଯାହା ହେବାରଥିବ ହୋଇଯିବ୤ ମୁଁ କାମକରିବା ଲୋକ କାମ କରିଯିବି” ୤

ତାଙ୍କ ମୁହଁକୁ ବାଲୁ ବାଲୁ କରି ଚାହିଁଲି ୤ ମନେ ମନେ ଭାବିଲି, କି ଆଶ୍ଚର୍ଯ୍ୟ, କୁଆଡେ ଗଲା, ଲେନିନାୟ ନମଃ, ସେ ପାଟିରେ ପୁଣି ପଶିଲା କର୍ମେଣ୍ୟ ବାଧିକାରସ୍ତେ ମା ଫଳେଷୁ କଦାଚନ ୤ କଥା କଅଣ? କଥାର ସାରଭାଙ୍ଗ କିଛି କରିପାରିଲି ନାହିଁ ୤

ଦିନେ ବଜ୍ରକବାଟି ପାଖରେଥିବା ମନୋଜବାବୁଙ୍କ ଦିଗନ୍ତ କାର୍ଯ୍ୟାଳୟକୁ କଲି ୤ ସେ ଦୋ’ ମହଲାରେ ଥିଲେ ୤ ମୁଁ ଗୋଟାଏ ଲଙ୍ଗଳା ସିଡିବାଟେ ଉପରକୁ ଗଲି ୤ ମୋତେ ସେ ଦେଖିବାମାତ୍ରେ ଆଦରରେ ନେଇଯାଇ ତାଙ୍କ ସାମ୍ନାରେ ଥିବା ଗୋଟିଏ ଚଉକିରେ ବସାଇଲେ ୤ ମାମୁଲି କଥାବାର୍ତ୍ତା ହେଉ ହେଉ ତାଙ୍କ ପଛରେ ଥିବା କାନ୍ଥ ଉପରକୁ ଚାହିଁଦେଲି ୤ ଯାହାଦେଖିଲି ସେଥିରେ ମୋର ମନର ଭାରସାମ୍ୟ ଦୋହଲିବାକୁ ଲାଗିଲା ୤ ଆଖି ଢିମା ହୋଇ ବାହାରି ପଡିଲା ୤ ପାଟି ମେଲାହୋଇଗଲା ୤ ତଣ୍ଟି ଶୁଖିଆସିଲା ୤ କିଛି ସମୟ ଯାଏ ମୋ ମୁହଁରୁ କଥା ବାହାରିଲା ନାହିଁ ୤ ମୋ ଅବସ୍ଥା ଦେଖି ସେ କୁରୁ କୁରୁ ହୋଇ ହସିଲେ ୤ କେଉଁଥିଲାଗି ମୋ ଏ ଅବସ୍ଥା ତାହା ସେ ଭଲ ଭାବରେ ବୁଝିସାରିଥିଲେ ୤ ତାଙ୍କ ମୁଣ୍ଡ ଉପରକୁ କାନ୍ଥରେ ଲଟକା ହୋଇ ରହିଥିଲା, ଶ୍ରୀମାଙ୍କ ଏକ ବଡ଼ ଫଟୋ । ମୋ ପାଟିରୁ ବାହାରି ପଡ଼ିଲା, “ଏଁ ଏଁ, ମସ୍କୋଠାରୁ ଏକା ଡିଆଁରେ ପଣ୍ଡିଚେରୀ ! ହନୁମାନ ଡିଆଁକୁ ତ ଏହା ଟପିଗଲା । ହନୁମାନ ରାମେଶ୍ୱରମ୍‌ରୁ ମାତ୍ର କେଇ ମାଇଲ ଦୂରରେ ଥିବା ଲଙ୍କାକୁ ଡେଇଁ ପଡ଼ିଥିଲେ । ଆପଣ କିନ୍ତୁ ମସ୍କୋଠାରୁ ହଜାର ହଜାର ମାଇଲ ଦୂରରେ ଥିବା ପଣ୍ଡିଚେରୀକୁ ଡେଇଁ ପଡ଼ିଲେ ! ଏ କି ଲୋମହର୍ଷଣକାରୀ ବାହାଦୂରୀ । ସତରେ ଆପଣ ଏ ଫଟୋଟି ଟଙ୍ଗାଇଛନ୍ତିକି ନା ଏ ଘରେ ଆଗରୁ ଥିଲା ?

ମୁରୁକିହସା ଦେଇ ସେ କହିଲେ, “ଡିଆଁ ଡେଇଁର କିଛି ବାହାଦୂରୀ ନାହିଁ । ଶ୍ରୀମାଙ୍କ କରୁଣା ମୋତେ ମସ୍କୋରୁ ପଣ୍ଡିଚେରୀ ଯାଏଁ ଶୂନ୍ୟେ ଶୂନ୍ୟେ ଉଡ଼ାଇ ନେଇଗଲା ।”

ଏହାପରେ ସେ ମୋତେ ଶ୍ରୀମାଙ୍କ ବିଭୂତି ବିଷୟ ଓ ପଣ୍ଡିଚେରୀ ଆଶ୍ରମ କଥା ବହୁତ କିଛି କହିଲେ । ମୋର କିନ୍ତୁ ମନ ମାନୁ ନ ଥାଏ । ମୁଁ ଭାବୁଥାଏ ଜଣେ ସେଣ୍ଟ୍‌ ପର୍ସେଣ୍ଟ୍‌ ନିରୁତା କମ୍ୟୁନିଷ୍ଟ ଜାଣୁ ଜାଣୁ କିପରି ଅଫିମ ଖାଇଲେ ( କମ୍ୟୁନିଜିମ୍‌ରେ ଧର୍ମର ଅନ୍ୟନାମ ‘ଅଫିମ’) ।

ଦୈବଯୋଗକୁ ମୁଁ ବାବାଙ୍କ ହାବୁଡ଼ରେ ପଡ଼ିଗଲି । ସେତେବେଳେ ଯାଇ ମୁଁ ବୁଝିଲି ମନୋଜବାବୁ ଶ୍ରୀମାଙ୍କ ହାବୁଡ଼ରେ ପଡ଼ିବା କଥା ଅକ୍ଷରେ ଅକ୍ଷରେ ସତ । ତେବେ ସେଣ୍ଟ୍‌ ପର୍ସେଣ୍ଟ୍‌ କମ୍ୟୁନିଷ୍ଟ ମନୋଜ ବାବୁଙ୍କ ଦେହରୁ କାତି ଛାଡ଼ିଗଲା କେମିତି ? ଶ୍ରୀ ଅରବିନ୍ଦଙ୍କ ଆଶ୍ରମ ଦେଖି ନ ଥିଲେ ହେଁ ସେ ବିଷୟରେ ବହୁତ ଶୁଣିଲି , ପଢ଼ିଲି । ମୋ ମନରେ ଆଶ୍ରମର ଗୋଟାଏ ଚିତ୍ର ଆଙ୍କି ହୋଇଗଲା । ମୁଁ ଦେଖିଲି ସେଠାରେ ସମସ୍ତ ମୁଁତ୍ୱ ଛାଡ଼ି କାମ କରୁଛନ୍ତି, ଖାଉଛନ୍ତି । ଉଚ୍ଚନୀଚ , ଭେଦଭାବ ନାହିଁ । ଚାରି ବର୍ଣ୍ଣର ଟଣାଟଣି ନାହିଁ । ଶ୍ରେଣୀ ସଂଘର୍ଷ ନାହିଁ । ଆଶ୍ରମର ବାହାରକୁ ଅନ୍ୟ ଉପରେ ଆଧିପତ୍ୟ ବିସ୍ତାର କରିବାର ସ୍ପୃହା କାହାରି ନାହିଁ । ଅନ୍ୟର ମତକୁ ଦବେଇଦେଇ ନିଜ ମତକୁ ଅନ୍ୟ ଉପରେ ଜୋରଜବରଦସ୍ତି ଲଦିଦେବାର ପ୍ରୟାସ ନାହିଁ । କେହି କାହାକୁ ସନ୍ଦେହ ଚକ୍ଷୁରେ ଦେଖୁ ନାହାନ୍ତି । ଆଶ୍ରମର ମଙ୍ଗଳପାଇଁ ସମସ୍ତେ ସୁଶୃଙ୍ଖଳିତ ହୋଇ ଆନନ୍ଦରେ କାମ କରିଯାଉଛନ୍ତି ।

ସାରା ପୃଥିବୀରୁ ବିଭିନ୍ନ ଜାତିର ଲୋକେ ସ୍ୱେଚ୍ଛାରେ ଆସି ଏହିଠାରେ ମିଳିତ ହୋଇଛନ୍ତି । ଏହିଠାରେ ଗୋଟିଏ ଟିକି ପୃଥିବୀ ଗଢି ଉଠିଛି । କାହାର ସେନାବାହିନୀ କ୍ଷେପିଯାଇ ଏମାନଙ୍କୁ ବାନ୍ଧି ଆଣିନି । ପ୍ରେମର ଚୁମ୍ବକରେ ସମସ୍ତେ ଟାଣିହୋଇ ଆସିଛନ୍ତି । ଏଇ ତ ସେଣ୍ଟ୍‌ ପର୍ସେଣ୍ଟ୍‌ ନିରୁତା କମ୍ୟୁନିଷ୍ଟ ରାଜ୍ୟ । ନିରୁତା କମ୍ୟୁନିଷ୍ଟମାନେ ଯେ ଏଠାକୁ ଟାଣିହୋଇ ଆସିବେ ଏଥିରେ ବିଚିତ୍ରତା କଅଣ ଅଛି ?

ଯଥାର୍ଥ ପରିବେଶ ଭିତରେ ରହି ମନୋଜବାବୁ ଓଡ଼ିଆ ସାହିତ୍ୟକୁ ଯେପରି ଭାବରେ ସମୃଦ୍ଧ କରିଅଛନ୍ତି, ଏ ଟିକି ପୃଥିବୀର ବାହାରେ ଥିଲେ ତାହା ସମ୍ଭବତଃ କରିପାରି ନ ଥାନ୍ତେ। ପରିପାର୍ଶ୍ୱ ତାଙ୍କ ଉପରେ ନାନା କୁପ୍ରଭାବ ପକାଇ ଥାଆନ୍ତା । ସେ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇଛନ୍ତି । ଶାରଳା ପୁରସ୍କାର ପାଇଲେ । ତାଙ୍କ ପ୍ରତିଭାର ଯୋଗ୍ୟ ଆଉ ବ୍ୟାପକ ଓ ବୃହତ୍ତର ସ୍ୱୀକୃତି ପାଇବା ଆଉ ବେଶି ବିଳମ୍ବ ହେବ ନାହିଁ ।

ସୌଜନ୍ୟ: “ସାହିତ୍ୟ ସାଧକ ମନୋଜ ଦାସ”, ସମ୍ପାଦନା: ପ୍ରଫେସର ଡକ୍ଟର ବାଉରୀବନ୍ଧୁ କର, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, ବିନୋଦବିହାରୀ, କଟକ-୨


Prof Manoj Das for April Conference 2016

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.