Loading...

Prof. Manmath Nath Das

ଭାଇ
ମନୋଜ ଦାସ
Oh! Call my brother back to me!
I cannot play alone;
The summer comes with flower and bee
Where is my brother gone?
– F.D. Hemans
ଡାକି ଆଣ ମୋ ପାଖକୁ ଫେରୁ ଭାଇ ମୋର
ଏକାକୀ ମୁଁ ପାରୁ ନାହିଁ ଖେଳି
ଆସିଛି ନିଦାଘ ଧରି ଫୁଲ, ମହୁମାଛି
ଭାଇ ମୋର କାହିଁ ଗଲା ଚାଲି ?

ବୟସରେ ଦଶ ବର୍ଷ ବ୍ୟବଧାନ ଦୃଷ୍ଟିରୁ ଭାଈଙ୍କ ସହ ମୋର ଖେଳସାଥି ସୁଲଭ ସମ୍ପର୍କ ତ ଦୂରର କଥା ସାଥିସୁଲଭ ସମ୍ପର୍କର ଆଦି ସ୍ମୃତି ଯେତେବେଳେ ସଂଜୀବିତ କରୁଛି, କବି ହେମାନ୍‌ସଙ୍କର ଏ ଧାଡ଼ି କେତୋଟି ମୋତେ ଆନ୍ଦୋଳିତ କରିବାର କାରଣ ଏହାର ଅନ୍ତର୍ନିହିତ ବେଦନାର ସ୍ୱର – ବେଦନାର ଉତ୍ସ ଏଭଳି ଏକ କ୍ଷତି, ଯାହା ପୂରଣ ହେବା ଅସମ୍ଭବ । ଶୈଶବରେ ଗ୍ରୀଷ୍ମଛୁଟିରେ ଭାଇ ଘରକୁ ଆସିଗଲେ ତାଙ୍କ ସାନ୍ନିଧ୍ୟରେ ହିଁ ମୋ ପାଇଁ ନିହିତ ଥିଲା ଶହେ ଖେଳର ଆନନ୍ଦ । କେତେବେଳେ ଚଟାଣ ଉପରେ ଚକ୍‌କାଠି ଖଣ୍ଡିଏ ଯୋଗେ ସୁନ୍ଦର ଚିତ୍ରାଙ୍କନ କରି, କେତେବେଳେ ପୁଳାଏ କାଦୁଅ ମାଟି ଯୋଗେ କୌଣସି ସ୍ମରଣୀୟ ବ୍ୟକ୍ତିଙ୍କର ମୂର୍ତ୍ତି ପ୍ରସ୍ତୁତ କରି, କେତେବେଳେ ନେଉଳ ଶାବକଟିଏ ଧରି ଆଣି ମୋ ଜିମା ଦେଇ ସେ ତାଙ୍କ ବହୁମୁଖୀ କରିତ୍‌କର୍ମା ଯୋଗେ ମୋତେ ବିସ୍ମିତ ଓ ପୁଲକିତ କରୁଥିଲେ । ସେ ସମୁଦ୍ରଆଡ଼େ ବୁଲିଗଲେ ତାଙ୍କୁ ନିରବରେ ଅନୁସରଣ କରିବା ହିଁ ଥିଲା ମୋ ପାଇଁ ଏକ ସ୍ନିଗ୍‌ଧ ସନ୍ତୋଷ ।

ଭାଇଙ୍କ ସହ ବୟସର ବ୍ୟବଧାନଠାରୁ ଅଧିକ ଏକ ଦୂରତ୍ବର ସ୍ରଷ୍ଟା ଥିଲି ମୁଁ ନିଜେ । ତାହା ସମ୍ଭ୍ରମବୋଧଜନିତ ଦୂରତ୍ୱ । ସେ ମୋ ପାଇଁ ବନିଯାଇଥିଲେ ଏକ ପ୍ରତୀକ; ବିଦ୍ୟା, ବୁଦ୍ଧି, ବ୍ୟବହାର, ସୌଜନ୍ୟ ଓ ସଂବେଦନର ଏକ ଅଭ୍ରାନ୍ତ ଦୃଷ୍ଟାନ୍ତ । ସାମାଜିକ ଜୀବନରେ ଜଣେ ଅଧ୍ୟାପକଭାବେ, ବିଭାଗୀୟ ଶୃଙ୍ଖଳା – ରକ୍ଷକ ଭାବେ, କୁଳପତି ଭାବେ, ସାଂସଦଭାବେ କ୍ୱଚିତ କେହି ହୁଏତ ତାଙ୍କ ଆଚରଣରେ ତ୍ରୁଟି ଦେଖିଥିବେ, କିନ୍ତୁ ମୋ ଜୀବନ – କାଳର ପ୍ରଥମ ଦଶକରେ ତାଙ୍କର ଯେଉଁ ଭାବମୂର୍ତ୍ତିଟି ମୋ ଚେତନାରେ ଅଙ୍କିତ ହୋଇଯାଇଥିଲା, ଆଜି ଜୀବନର ସପ୍ତମ ଦଶକରେ ବି ତାହା ଅମ୍ଲାନ ରହିଛି।

ଆଜି ନିଜର ସ୍ମୃତି-ବିଶ୍ଲେଷଣ କରି ଦେଖୁଛି, ମୋ ମାନସରେ ଭାଇଙ୍କର ସେଭଳି ଭାବମୂର୍ତ୍ତି ଅଙ୍କିତ ହେବାର କାରଣ ତାଙ୍କ ଉପରେ ମୋ ବାପା ମାଆଙ୍କର ଅକୁଣ୍ଠ ଆସ୍ଥା ।ଘରର ବାତାବାରଣକୁ ସେ ଆସ୍ଥା ପ୍ରଭାବିତ କରିଥାଏ। ମାଆ ତ ଦୂରର କଥା, ବାପା ମଧ୍ୟ ଭାଇଙ୍କ ସହ କେବେ ବି ଏମିତି କଥାବାର୍ତ୍ତା କରୁ ନଥିଲେ, ଯାହା ସୁଭାଷିତ ନୁହେଁ। ଗ୍ରାମର ପୂର୍ବ ସୀମାନ୍ତରେ ଅବସ୍ଥିତ କୋଠାରେ ଥିବା ଆମ ବୃହତ୍ତର ପରିବାରର ମୁରବିମାନେ ମଧ୍ୟ ଅନୁରୂପ ଆଚରଣ କରୁଥିଲେ। ଜ୍ଞାତି କୁଟୁମ୍ବ ମହଲରେ ବାପା ତଥା ମାଆଙ୍କର ସର୍ବାଧିକ ବିଶ୍ୱସ୍ତ ତଥା ଅନୁଗତ ଥିଲେ ବାପାଙ୍କର କକାପୁଅ ଭାଇ ଗୋପାଳଦାଦା । ଭାଇ ବାଲେଶ୍ୱର ଜିଲ୍ଲା ସ୍କୁଲ ହଷ୍ଟେଲରୁ ଛୁଟିରେ ଘରେ ଆସି ପହଞ୍ଚିବାର ଘଣ୍ଟାଏ ଭିତରେ ଗୋପାଳଦାଦା ଆସି ପହଞ୍ଚିବେ ଏବଂ ଅଭିଯୋଗ କରିବେ, ତୁ କେତେବେଳେଠୁଁ ଆସିଲୁଣି, ଅଥଚ ମୁଁ ଖବର ପାଉଛି ଏତେବେଳେ।

ଭାଇ ଏବଂ ଗୋପାଳ ଦାଦାଙ୍କ ଭିତରେ ବେଶେଷ ସୌହାର୍ଦ୍ଦ୍ୟର ଅନ୍ୟ ଏକ କାରଣ ଥିଲା । ଦୁହେଁ ଥିଲେ ବ୍ରିଟିଶ ବିରୋଧି । ଗୋପାଳଦାଦା ବୋଧହୁଏ ସେ ଗ୍ରାମପୁଞ୍ଜ ଭିତରେ ଖଦଡ଼ ପରିଧାନ କରୁଥିବା ଏକମାତ୍ର ବ୍ୟକ୍ତି । ସେ କଂଗ୍ରେସର ଆଦର୍ଶ ପ୍ରଚାର କରୁଥିଲେ। ଭାଇ କଲେଜ ଜୀବନରେ ଛୁଟିରେ ଆସିଲେ ଆମ ଘରେ ସେଦିନର ବହୁ ଯୁବକର୍ମୀଙ୍କର ସମାବେଶ ଘଟୁଥିଲା । ସେ ଉତ୍ସାହୀ ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ ସର୍ବଶ୍ରୀଯୁକ୍ତ ଦୁର୍ଗାଦାସ, ପ୍ୟାରୀମୋହନ ଦାସ, ମୃତ୍ୟୁଞ୍ଜୟ ଜେନା, ଦୁଇ ଜଣ ସୁଧାଂଶୁ; ଜଣେ ଅତ୍ୟନ୍ତ ଭଦ୍ର ମୁସଲମାନ କର୍ମୀ ମଧ୍ୟ।

ସମସ୍ତଙ୍କ ସ୍ନେହ ଓ ଶ୍ରଦ୍ଧାର ପାତ୍ର, ଭାଇ ରୂପା ଏ ଉତ୍ତମ ମଣିଷଟି ପ୍ରତି ଏ ଲେଖକ କିନ୍ତୁ ଅନ୍ତତଃ ଥରୁଟିଏ ବଣମଣିଷ ସୁଲଭ ବ୍ୟବହାର କରିଥିଲା । ବଡ଼ମାମୁ (ଶ୍ରୀ କାଳିକିଙ୍କର ସାମଲ) ସୁଦୂର କୋରାପୁଟ ଗୁଣୁପୁର ତାଲୁକର ହାକିମ ବା ଡେପୁଟି କଲେକ୍ଟର ଚାକିରି ପାଇଥାନ୍ତି। ମୋର ପ୍ରତାପୀ ଆଈଙ୍କ ନିର୍ଦ୍ଦେଶରେ ପତ୍ନୀ ଓ ସଦ୍ୟଜାତ କନ୍ୟା ସମନ୍ୱିତ ମାମୁଙ୍କ ପରିବାରକୁ ସେ ଦୁର୍ଗମ ମୁଲକରେ ଥଇଥାନ କରିଦେବା ନିମନ୍ତେ ମୋ ମାଆ ପ୍ରେରିତ ହେଲେ। ସାଥିରେ କିନ୍ତୁ ତାଙ୍କୁ ବହନକରି ନେଇ ଯିବାକୁ ହେଲା ଏକ ଦୂରନ୍ତ ବୋଝ; ଏହି ଲେଖକ, ସେ ଅବଧି ନିର୍ମଳ ନିରକ୍ଷର। ଗ୍ରାମରେ ବିଦ୍ୟାର୍ଜ୍ଜନ ପ୍ରତି ମୋର ଅବିଚଳ ବୈରଭାବ ହୁଏତ ଏକ ଭିନ୍ନ ପରିବେଶରେ ଉଣା ହେବ, ସେଠାରେ କୌଣସି ଖେଳ ସାଥି ନପାଇ ଅନ୍ତତଃ କାଳକ୍ଷେପଣ ନିମନ୍ତେ ଦୀର୍ଘ ଦିବସର କିୟଦଂଶ ସମୟ ଅ ଆ କ ଖ ମାନଙ୍କ ପ୍ରତି ସୌଜନଶୀଳ ହେବି, ଗାର୍ଜନମାନେ ସେ ଦିଗରେ ଆଶାବାଦୀ ଥିଲେ। କିନ୍ତୁ ହାୟ ! ସେ ଅଭିନବ ପରିବେଶ ମୋ ଜୀବନଦର୍ଶନ ଏବଂ ଆଚରଣରେ କୌଣସି ବ୍ୟତିକ୍ରମ ଆଣିପାରିଲା ନାହିଁ । ଅଚିରେ ମୋ ଖେଳସାଥି ଅଭାବକୁ ପୂର୍ଣ୍ଣ କଲେ ବଂଶଧାରାର ମୃଦୁ ସ୍ରୋତ, ଯଥେଚ୍ଛା ଗଡ଼ାଗଡ଼ି ନିମନ୍ତେ ବିସ୍ତୀର୍ଣ୍ଣ ବାଲୁକାରାଶିର ନିରନ୍ତର ନିମନ୍ତ୍ରଣ ଏବଂ ମାନସିକ ସ୍ତରରେ ମୋ ସମଗୋତ୍ରୀୟ ବିଦ୍ୟାଦ୍ରୋହୀ ଜଣେ ତେଲୁଗୁ ପିଲା ସହ ନିର୍ବାକ ପ୍ରାୟ ସୌଖ୍ୟ ଏବଂ ଇତସ୍ତତଃ କେତୋଟି କୋଳିଗଛର ଐଶ୍ୱର୍ଯ୍ୟ ଲୁଣ୍ଠନ ନିମନ୍ତେ ଆମ ଯୁଗ୍ମ ଅଭିଯାନ।

ଗ୍ରୀଷ୍ମାବକାଶରେ ଭାଇ ମଧ୍ୟ ଆସି ତହିଁ ଉପନୀତ ହେଲେ ଏବଂ ମୋର ଅବାଧ୍ୟତା ବୃତ୍ତାନ୍ତ ଅବଗତ ହେଲେ ୤ଦିନକର ଦ୍ବିପ୍ରହରରେ ମା’ ଏବଂ ଭାଇ ମୋତେ ଅକ୍ଷର ଶିକ୍ଷାର ଉପାଦେୟତା ସମ୍ପର୍କରେ ଦୀର୍ଘ ସମୟ ବୁଝାଇବା ସତ୍ତ୍ୱେ ମୁଁ ରହିପାରିଥିଲି ତପସ୍ୱୀ ଭଳି ନିରାସକ୍ତ, ନିର୍ବାକ୍‌।

ଅଗତ୍ୟା ଭାଇ ରଣକୌଶଳ ବଦଳାଇ ମା’ଙ୍କୁ କହିଲେ, “ବେଶ ! ଯଦି ମଣ୍ଟୁ ଆମ କଥା ଶୁଣିବାର ଆଶା ନାହିଁ, ତେବେ ଚିଠି ଲେଖୁଛି ବଡ଼ମାଷ୍ଟ୍ରଙ୍କୁ । ସେ ଆସି ତା’ ଦାୟିତ୍ୱ ନିଅନ୍ତୁ; ତାଙ୍କ ରୀତିରେ ତାକୁ ପାଠ ପଢ଼ାନ୍ତୁ । ହେଇଟି ଲେଖିଲି।ଫାଉଣ୍ଟେନ୍‌ ପେନ୍‌ ଖୋଲିଲି ।”

ବଡ଼ ମାଷ୍ଟ୍ର ବୋଇଲେ ବ୍ରହ୍ମରାକ୍ଷସ ବା ସେହି ଗୋତ୍ରୀୟ ଏକ ମୂର୍ତ୍ତିମନ୍ତ ଆତଙ୍କ । ଗଣିତରେ ଭୂଲ କଲେ ସେ ତାଙ୍କ ଛାତ୍ରବର୍ଗଙ୍କୁ ଦ୍ୱିପ୍ରହର ବ୍ୟାପୀ ନିଜ ନିଜ କାନଟିମାନ ଚିମୁଟି ଧରି ଗୋଟାଏ ଗୋଡ଼ରେ ଠିଆ କରାଇ ରଖିବାର ଚାଞ୍ଚଲ୍ୟକର ଦୃଶ୍ୟ ଦେଖିବାର ଯୋଗ ମୋର ଏକାଧିକବାର ହୋଇଥାଏ । ସେ ପନ୍ଥାରେ କିପରି ଗଣିତ ଆୟତ୍ତ ହେବ, ସେ ରହସ୍ୟ ଉପରେ ଚିନ୍ତା କରି ସମସ୍ତଙ୍କ ଅଜାଣତରେ ନିର୍ଜ୍ଜନ ପିଜୁଳିଗଛ ଛାଇରେ ସେହିଭଳି ଯୋଗାସନରେ ରହି ଦୁଇ ଯୁକ୍ତ ଦୁଇର ଫଳ ନିରୂପଣ କରିବାର ଚେଷ୍ଟା ଥରେ ଅଧେ କରିଥିଲି । କିନ୍ତୁ କୌଣସି ସୁଫଳ ନ ମିଳନ୍ତେ ପରିଶେଷରେ ବଡ଼ ମାଷ୍ଟ୍ରଙ୍କ ପ୍ରତି ବିଦ୍ରୋହ ଆଗ୍ନେୟଗିରି ଉଦ୍‌ଗୀରଣ ପର୍ଯ୍ୟାୟକୁ ଆସିବାରେ ହି ସେ ପ୍ରଚେଷ୍ଟା ସମାପ୍ତ ହୋଇଥିଲା ।

ବର୍ତ୍ତମାନ ଅନ୍ୟାୟ ଏବଂ ନିର୍ମମତାର ସେହି ବିଭୀଷଣ ବିଗ୍ରହ ବଡ଼ମାଷ୍ଟ୍ର ନାମରେ ମୋତେ ଭୟଭୀତ କରିବାର ପ୍ରଚେଷ୍ଟା ? ଭୟଭୀତ ହେବି ମୁଁ ? ମାଆଙ୍କ ନିର୍ବୋଧତାକୁ କ୍ଷମା କରିବା ସଙ୍ଗେ ସଙ୍ଗେ ଭାଇଙ୍କ ନିର୍ବୋଧତା ପ୍ରତି ଦୟା କଲି । କିନ୍ତୁ ରହିଲି ନିରବ ।

“କ’ଣ ହେଲା ସିଦ୍ଧାନ୍ତ? ମୁଁ ଫାଉଣ୍ଟେନ୍‌ ପେନ୍‌ ଖୋଲି ଅପେକ୍ଷା କରିଛିଟି ? ଭାଇ ଏ ତପସ୍ୱୀକୁ ଚେତାବନୀ ଦେଲେ । ମୁଖମଣ୍ଡଳରେ ଯେତେଦୂର ସମ୍ଭବ ଗାମ୍ଭୀର୍ଯ୍ୟ ଫୁଟାଇ ଅଗ୍ରାହ୍ୟ କରି ଅର୍ଥପୂର୍ଣ୍ଣ ଦୃଷ୍ଟିରେ ମାଆଙ୍କୁ ଅନାଇ ପ୍ରଶ୍ନକଲି, “ମାଆ ! ଆମ ଏ ବସାର ପୂର୍ବପଟେ ସେ ପାହାଡ଼ିଆ ଢିପ ଉପରେ ସେ ଲମ୍ବ କୋଠାଟି କ”ଣ ?”

“ଜେଲ୍‌ଖାନା କଥା କହୁଛୁ?” ପ୍ରଶ୍ନକଲେ ଏ ବିଚିକ୍ଷଣ ନନ୍ଦନଟିର ପ୍ରଶ୍ନର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବାରେ ଅକ୍ଷମ ଜନନୀ।

“ଠିକ୍‌ ! ଭାଇଙ୍କୁ କୁହ, କଲମ ନ ଖୋଲି ବରଂ ଜେଲଖାନାର କବାଟ ଖୋଲିଧରି ଅପେକ୍ଷା କରନ୍ତୁ ।”

ମାଆ ଓ ଭାଇଙ୍କ ମୁଖମଣ୍ଡଳରେ ଅସହ୍ୟ ଗ୍ରୀଷ୍ମକାଳର ସେ ଉତ୍ତପ୍ତ ଦ୍ୱିପ୍ରହରରେ ଯେଉଁ ଅସହାୟ ଭାବ ପ୍ରକଟିତ ହୋଇଥିଲା, ଥରେ କ୍ଷୀପ୍ର ଦୃଷ୍ଟିରେ ତାହା ଦେଖିନେଇ ବିଦ୍ୟୁତ୍‌ ବେଗରେ ଛୁଟି ଚାଲିଗଲି ବଂଶଧାରାର ଅନ୍ତରଙ୍ଗ ତୀରକୁ । ଅ ଆ କ ଖ ବା ଦୁଇ ଯୁକ୍ତ ଦୁଇଠୁଁ କେତେ ମହତ୍‌, କେତେ ଉଦାର ସେ ମୃଦୁମନ୍ଦ ଶତକଡ଼ା, ଦିଗ ଦିଗନ୍ତର ନୀଳ ପାହାଡ଼ ଏବଂ ଭାଲୁମାନେ ଫୋପାଡ଼ି ଥିବା ଭାସମାନ ମହୁଲ ଫଳ !

ସ୍ମୃତିରେ ଭାଇଙ୍କ ସହ ଏହା ହିଁ ମୋର ପ୍ରଥମ ଭାବବତ ତଥା ବାକ୍ୟଗତ ଆଦାନ ପ୍ରଦାନ । ତାଙ୍କର ଓ ମୋର ଉଭୟଙ୍କର ସୌଭାଗ୍ୟ, ଜୀବନରେ ଏମନ୍ତ ଆଦାନ ପ୍ରଦାନ ପୁନରାବୃତ୍ତି ହୋଇନାହିଁ ।

୧୯୪୨ର ଭୟାବହ ତୋଫାନ ଏବଂ ରାତ୍ରବ୍ୟାପି ବଜ୍ର ଓ ବିଜୁଳି ସଙ୍ଗେ ସଙ୍ଗେ ଆମ କୋଠରୀ ଆଶ୍ରୟ ନେବା ନିମନ୍ତେ ଦୌଡ଼ି ଆସୁଥିବା ଶତାଧିକ ନରନାରୀଙ୍କ ବିକଳତା ଭିତରେ ମୋ ଆଗରେ ଉଦ୍‌ଭାସିତ ହୋଇଥିଲା ଭାଇଙ୍କ ସ୍ୱଭାବ ଓ ସ୍ୱଧର୍ମର ଏକ ଅବିସ୍ମରଣିୟ ଦିଗ। ଗ୍ରାମର ଏକ ପରେ ଏକ ମାଟି ଛପର ଘର ଭୁଶୁଡ଼ି ପଡ଼ୁଥାଏ । ଜଣ ଜଣ ହୋଇ ଅଥବା ଏକ ଏକ ପରିବାର ଏକତ୍ର ପଳାଇ ଆସୁଥାନ୍ତି ଆମ ଘରକୁ । ଘରର ମୁଖ୍ୟ କବାଟ କ୍ରମାଗତ ଖୋଲା ରଖିବା ନିରାପଦ ନୁହେଁ। ଭୟାବହ ତୁମୁଳ ପବନ ଏବଂ ବର୍ଷା ସହସ୍ର ବର୍ଚ୍ଛା ଭଳି ଘର ଆଭ୍ୟନ୍ତରକୁ ଖିନ୍‌ଭିନ୍‌ କରି ପକାଉଥାଏ । ଭାଇ ବାରମ୍ବାର କବାଟ ଖୋଲି ସଦ୍ୟ ଆଗନ୍ତୁକମାନଙ୍କୁ ଭିତରକୁ ଧରି ଆଣୁଥାନ୍ତି, ପୁଣି ସମସ୍ତ ବଳ ପ୍ରୟୋଗକରି ତାହା ବନ୍ଦ କରୁଥାନ୍ତି । କେହି କେହି ଆଶ୍ରୟ ପ୍ରାର୍ଥୀଙ୍କର ଲୁଗାପଟା ଦୀର୍ଣ୍ଣବିଦୀର୍ଣ୍ଣ ହୋଇଯାଇଥାଏ । ଭାଇ ବିଭିନ୍ନ କୋଠରିରୁ ଖଣ୍ଡିଏ ଲୁଗା ବା ବିଛଣାଚଦର ଟାଣି ଆଣି ସେମାନଙ୍କୁ ଘୋଡ଼ାଇ ପକାଉଥାଆନ୍ତି ।

“ମନ୍ମଥରେ! ତୁ ଆମାନଙ୍କ ପୁଅ ହୋଇ ଜନ୍ମ ହୋଇଛୁ ସିନା, ତୁ କିନ୍ତୁ ଦେବତା !” ବିବସ୍ତ୍ରପ୍ରାୟ ବୁଢ଼ୀଟିଏ କାନ୍ଦି ପକାଇ କହୁଥାଏ ।

ପରଦିନ ଯୁବକମାନଙ୍କୁ ଏକଜୁଟ କରି ଉତ୍ପାଟିତ ଗଛଲତା ଓ ବିଧ୍ବଂସ୍ତ ପ୍ରାଚୀର ସଙ୍କୁଳ ଗ୍ରାମର ପଥଘାଟ ଚଳପ୍ରଚଳ ଉପଯୋଗୀ କରିବାରେ ମନୋନିବେଶ କଲେ ଭାଇ ।

“ମନ୍ମଥ ବାବୁଙ୍କୁ ଦେଖିଲେ ଆମର ଦୁଶ୍ଚିନ୍ତା ଚାଲିଯାଏ । ସେ ସାଙ୍ଗରେ ରହିଲେ ମନେହୁଏ ଆମେ ନିରାପଦ।” ଜଣେ ଯୁବକ କହୁଥାନ୍ତି। ମୁଁ ବି ଅନୁଭବ କରୁଥାଏଁ, ତାଙ୍କ ଉପସ୍ଥିତି ଆଣି ଦେଉଥାଏ ମଣିଷ ଉପରେ ପ୍ରତ୍ୟୟ; ଆତ୍ମବିଶ୍ୱାସ ମଧ୍ୟ। ଏହା ବିଶେଷ ଭାବରେ ହୃଦୟଙ୍ଗମ କରିଥିଲି ଆମ ଘରେ ଦୁଇ ଦୁଇ ଥର ଡକାୟତି ପରେ; ମୁଲକବ୍ୟାପୀ ଦୁର୍ଭିକ୍ଷ ଏବଂ ମହାମାରୀବେଳେ ।

କେତେ ବର୍ଷ ବିତିଗଲା । ଭାଇ ରେଭେନ୍‌ସାରୁ କୃତିତ୍ୱ ସହକାରେ ବି.ଏ. ପାଶ୍‌ କରି ଇତିହାସରେ ଏମ୍‌.ଏ. ପଢ଼ିବା ପାଇଁ ଗଲେ ଏଲ୍‌ହାବାଦ ।

୧୯୪୬ ମସିହାରେ ଭୋଗରାଇଠାରେ ଏକ ବିରାଟ ଜନସଭାର ଆୟୋଜନ କରି ପ୍ରାକ୍‌-ସ୍ୱାଧିନତା ଜାତୀୟ ମନ୍ତ୍ରୀମଣ୍ଡଳର ମୁଖ୍ୟ, ଓଡ଼ିଶାର “ପ୍ରଧାନମନ୍ତ୍ରୀ” ଶ୍ରୀ ହରେକୃଷ୍ଣ ମହତାବଙ୍କୁ ପ୍ରଥମଥର ପାଇଁ ସେ ଅଞ୍ଚଳକୁ ନେଇ ଆସିଥିଲେ ଭାଇ ।ପୂର୍ବରୁ ଅବଶ୍ୟ, ସମ୍ଭବତଃ ୧୯୪୨ରେ, ଶ୍ରୀମତି ସୁଭଦ୍ରା ମହତାବ ଆମ ଘରେ କିଛିଦିନ ଆତ୍ମଗୋପନ କରି ରହିଥିଲେ ।

ମହତାବଜୀ ଗୋଟିଏ ଟ୍ରକ ଯୋଗେ ଜଳେଶ୍ୱରଠୁଁ ବାଟଗ୍ରାମ ଯାଏ ଆସିଥିଲେ । ସେଠାରୁ ଆସିଥିଲେ ପାଦଯୋଗେ । ଏ ଲେଖକ ସେ ସଭାରେ ଉପସ୍ଥିତ ଥିଲା । ସ୍ୱାଗତ ଭାଷଣ ଅବସରରେ ସେ ମୁଲକର ଏକ ପରେ ଏକ ଦୁଃଖ ଓ ସମସ୍ୟାର ବର୍ଣ୍ଣନା ଦେଇ ପ୍ରତିଟି ଉପସ୍ଥାପନା ପରେ ଭାଇ ଯେତେବେଳେ କହୁଥାନ୍ତି, “ହେ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ! ଆଜି ସେହି ଉତ୍ତର ବାଲେଶ୍ୱର ଆପଣଙ୍କୁ ଅଭିନନ୍ଦନ ଜଣାଉଛି,” ସେତେବେଳେ ସେ ସ୍ତବ୍ଧ ଜନତା ଭିତରେ କ୍ୱଚିତ୍‌ କେହିଥିଲେ ଯାହାଙ୍କ ଆଖି ସଜଳ ହୋଇ ନଥିଲା ।

ପରେ ପରେ ସେ ଜଳେଶ୍ୱରପୁରଠାରେ ଆୟୋଜନ କଲେ ସୁବର୍ଣ୍ଣରେଖା ଛାତ୍ର ସମ୍ମିଳନୀ । ପୁନର୍ବାର ଆସିଥିଲେ ମହତାବ୍‌ଜୀ । ସୂର୍ଯ୍ୟାସ୍ତ ପରେ ପରେ ବିଶାଳ ଜନସମାବେଶରେ ସେ ଅନ୍ୟୁନ ଦୁଇ ଘଣ୍ଟା କାଳ ଭାଷଣ ଦେବା ଅନ୍ତେ ତଜ୍ଜନିତ କ୍ଲାନ୍ତିର ଅପନୋଦନାର୍ଥେ ଆୟୋଜକମାନଙ୍କ ପ୍ରସ୍ତାବ ଏବଂ ଭାଇଙ୍କ ସମର୍ଥନ କ୍ରମେ ନବନିର୍ମିତ ହାଇସ୍କୁଲ ଛାତ୍ରାବାସ ବାରନ୍ଦାରେ ହାର୍ମୋନିୟମ୍‌ ଧରି ସଙ୍ଗୀତ ପରିବେଷଣ କରିବାକୁ ବସିଲି । ଗୋଟିଏ ଗୀତ ଶେଷ ହେଲେ ଆୟୋଜକମାନେ ଆଉ ଗୋଟାଏ ପାଇଁ ବରାଦ କରୁଥାନ୍ତି । ସମ୍ଭବତଃ ନୈଶାହାର ପ୍ରସ୍ତୁତିରେ ବିଳମ୍ବ ଯୋଗୁଁ ।ସାମ୍‌ନାରେ ଖୋଲା ଆକାଶ ତଳେ ବସିଥାନ୍ତି ମହତାବ୍‌ଜୀ – ତାଙ୍କ ଅନତିକ୍ଷୁଦ୍ର କଳେବର ଆନୁପାତିକ ଏକ ବେତ ଚେଆରରେ। ବାରମ୍ବାର ଲକ୍ଷ୍ୟ କରି ଦେଖିଲି, ତାଙ୍କ ସୁଦୃଶ୍ୟ ମୁଖମଣ୍ଡଳର କୌଣସି ଅଞ୍ଚଳରେ କ୍ଲାନ୍ତି ଅପନୋଦନଜନିତ ପରିବର୍ତ୍ତନର ସୂଚନା ନାହିଁ – କାରଣ ସେ ମୋଟେ କ୍ଲାନ୍ତ ହୋଇ ନଥିଲେ । ମୋ ସଙ୍ଗୀତ ପ୍ରତିଭାର ତାରିଫସୂଚକ ଯତ୍‌କିଞ୍ଚିତ୍‌ ଭାବ ଆବିଷ୍କାର ମାନସରେ ଯତ୍‌ପରୋନାସ୍ତି ତୀର୍ଯ୍ୟକ ତଥା ତୀକ୍ଷ୍ମ ଦୃଷ୍ଟିରେ ତାଙ୍କ ଆଡ଼େ ଅନାଇବା ସତ୍ତ୍ୱେ ଯାହା ଦେଖିଲି, ସେଥିରୁ ଧାରଣା ହେଲା ଯେ ଆମେ ଯେମିତି ଇଚ୍ଛାକଲେ ଆଖି ବନ୍ଦ ରଖିପାରୁଁ, କରିତ୍‌କର୍ମା ମହତାବ୍‌ଜୀ ସେମିତି ନିଜ କର୍ଣ୍ଣଯୁଗଳ ବନ୍ଦ ରଖିପାରୁଥିଲେ । ତେବେ ତାଙ୍କ ପଛରେ ବେଞ୍ଚ ଉପବିଷ୍ଟ କରୁଣାକର ପାଣୀଗ୍ରାହୀ ଏବଂ ଅନ୍ୟ ଉପନେତା ବୃନ୍ଦଙ୍କ ମୁଣ୍ଡ ବାରମ୍ବାର ଦୋହଲୁଥାଏ । ସେଥିରୁ କେତୋଟି ଦୋହଳଣ ମୋର ପ୍ରଶଂସାସୂଚକ ଏବଂ କେତୋଟି ତୁଚ୍ଛା ତନ୍ଦ୍ରାତୁର ଢ଼ୁଳାଣ, ତାହା ମୁଁ ନିରୂପଣ କରିପାରୁ ନଥିଲି ।

ସମ୍ମିଳନୀ ଶେଷ ହେଲା । ହଷ୍ଟେଲ୍‌ବାସୀ ସ୍ୱେଚ୍ଛାସେବକମାନଙ୍କୁ ଜଣ ଜଣ କରି ଉପହାର ଦେବା ଭିତରେ ଭାଇଙ୍କ ମଧ୍ୟମାକୃତି ଥଳିଟି ନିଃସ୍ୱ ହୋଇଯାଆନ୍ତେ ତାଙ୍କ ନୂଆ ଫାଉଣ୍ଟେନ୍‌ ପେନ୍‌ଟି ମଧ୍ୟ ଚାଲିଗଲା । ତଥାପି ଜଣେ ଆଶାୟୀ ଯୁବକ ବଞ୍ଚିତ ରହିଗଲେ । ତାଙ୍କୁ ସମ୍ବୋଧନ କରି ଭାଇ କହିଲେ, “ତମେ ଯଥାଶୀଘ୍ର ଏକ ବିଶେଷ ଚିଜ ପାଇବ ।”

ଜମାଳପୁର ବିଶ୍ୱନାଥ ଏକାଡ଼େମୀରେ ମୋର ମାଇନର୍‌ ପଢ଼ା ଶେଷ ହୋଇଥାଏ । ଜଳେଶ୍ୱରପୁରଠାରେ ସଦ୍ୟ ପ୍ରତିଷ୍ଠିତ ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ମୋର ନାମ ଲେଖାଇବା ସିଦ୍ଧାନ୍ତ ହେଲା । ସ୍କୁଲ ଏବଂ ହଷ୍ଟେଲରେ ମୋତେ ଭର୍ତ୍ତି କରାଇବା ନିମନ୍ତେ ଭାଇ ନେଇଯିବା କଥା । ସେ ବଞ୍ଚିତ ସ୍ୱେଚ୍ଛାସେବକକୁ କି ଉପହାର ଦେବେ ? ଏଲାହାବାଦରୁ ଆସି ଭାଇ ମୋତେ ଖଣ୍ଡିଏ ପୃଥୁଳାକାର ଇଂରାଜୀ ବହି ଦାନ କରିଥିଲେ । ପ୍ରାୟ ଦେଢ଼ ହଜାର ଚହଟ ଚିକ୍କଣ ପୃଷ୍ଠା ସମ୍ବଳିତ ସାହିତ୍ୟ ଜ୍ଞାନକୋଷ ଜାତୀୟ ସେ ବହିରେ ମୁଁ ମୋର ସେ ଅବଧି ଆୟତ୍ତ ଇଂରାଜୀ ଭାଷାର ପୁଞ୍ଜି ଖଟାଇ ରବିନ୍‌ସନ୍ କ୍ରୁଶୋର କାହାଣୀଟି ପଢ଼ି ଶେଷ କରିଥିଲି। ବହିଟି ସମ୍ଭବତଃ କୌଣସି କୃତିତ୍ୱଯୋଗୁଁ ତାଙ୍କୁ ପୁରସ୍କାର ରୂପେ ମିଳିଥିଲା । ଭାଇଙ୍କର ସେ ସଙ୍କଟବେଳେ ତଦବଧି ତଟକା ସେ ବହିଟି ନେଇ ମୁଁ ତାଙ୍କୁ ଧରାଇଦେଇଥିଲି । ସଂପ୍ରତିଭ ତଥା ସକୃତଜ୍ଞ ନୟନରେ ମୋତେ ଅନାଇ ସେ ତାହା ଗ୍ରହଣ କଲେ । ପରଦିନ ଜଳେଶ୍ୱରପୁରରେ ସ୍ୱେଚ୍ଛାସେବକ ତରୁଣଟି ହାତରେ ସେ ଖଣ୍ଡିକ ଅର୍ପଣ କଲାବେଳେ ସେ ପୁନର୍ବାର ମୋ ତ୍ୟାଗର ସ୍ୱୀକୃତିସୂଚକ ସ୍ମିତ ହସ ସହକାରେ ମୋତେ ଅନାଇଥିଲେ ।

କିଛି ଦିନ ଅନ୍ତେ, ଏକ ରବିବାରରେ, ତରୁଣ ଜଣଙ୍କୁ ମୋତେ ଥରେ ସେ ବହିଟି ପଢ଼ିବାକୁ ଦେବାକୁ ଅନୁରୋଧ କରନ୍ତେ ସେ ଯାହା କହିଲେ, ତାର ସାରାଂଶ ହେଲା : ‘ ଏତେ ଉଚ୍ଚାଭିଳାଷୀ ହେବା ଶୁଭଲକ୍ଷଣ ନୁହେଁ । ମୁଁ ମାତ୍ର ବର୍ଷକ ପରେ କଲେଜ ଯିବି । ଅଥଚ ବହିଟିର ଭାଷାରେ ଦାନ୍ତ ବସାଇପାରୁ ନାହିଁ । ତମେତ ମାତ୍ର ଅଷ୍ଟମରେ ନାମ ଲେଖାଇଛ । ଧୈର୍ଯ୍ୟ ଧର ।’ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ ଶେଷ ହେବା ସଙ୍ଗେ ସଙ୍ଗେ ସମ୍ବାଦ ମିଳିଲା, ଭାଇ ଏମ୍‌.ଏ. ପାଶ୍‌ ଉତ୍ତାରୁ ବାଲେଶ୍ୱର କଲେଜରେ ଅଧ୍ୟାପକ ରୂପେ ନିଯୁକ୍ତି ପାଇଛନ୍ତି ।

‘ହେଲା? ଏଣିକି ଭାଇ ପାଖରେ ରହି ସହରରେ ପଢ଼ିବୁ ।’ ବାପାଙ୍କର ସେ ସସ୍ମିତ ବଚନ ଚନ୍ଦ୍ରପୃଷ୍ଠରେ ପ୍ରଥମେ ପଦାର୍ପଣ କରିଥିବା ଭଦ୍ରଲୋକଜଣଙ୍କ ପୁଲକର ସମସ୍ତରୀୟ ପୁଲକ ଉଦ୍ରେକ କରିଥିଲା ମୋ ମନରେ । ଭାଇ ମୋ ସହିତ ଜଳେଶ୍ୱରପୁର ଯାଇ ହେଡ଼ମାଷ୍ଟର ମହୋଦୟଙ୍କ ଠାରୁ ମୋର ଅଷ୍ଟମ ଶ୍ରେଣୀ ସମାପ୍ତି ସୂଚକ ସାର୍ଟିଫିକେଟ୍‌ ହାସଲ କଲେ । ସେ ଜଣେ ପୂଝାରୀ ପିଲାକୁ ଧରି ଆଗତୁରା ଚାଲିଗଲେ ବାଲେଶ୍ୱର ।

ମୋ ପୁଲକ ଦ୍ୱିଗୁଣ ହେଲା ଯେତେବେଳେ ମୋତେ ପାଛୋଟି ନେବାପାଇଁ ବାଲେଶ୍ୱର ଷ୍ଟେସନକୁ ଆସିଥିବା ଶ୍ରଦ୍ଧେୟ ରଜନୀ ଭାଇ ଜଣାଇଲେ କି ଭାଇ ଯେଉଁ ବସାଟି ଭଡ଼ାସୂତ୍ରରେ ଦଖଲ କରିଛନ୍ତି, ତାହା ଖୋଦ୍‌ ଫକୀର ମୋହନ ସେନାପତିଙ୍କ ନିଜ ନିର୍ମିତ ବାସଗୃହ ତାଙ୍କ ମୁଖ୍ୟ ରଚନାବଳୀର ଜନ୍ମସ୍ଥାନ ।

ସହସ୍ର କୋଠା ସମନ୍ୱିତ ସହର ଭିତରେ ସେହି ଅଦ୍ୱିତୀୟ ପ୍ରତିଷ୍ଠାନ ଗୋଟିକ ହିଁ ହେବ ଆମ ବାସସ୍ଥଳୀ, ଏଥିରେ ସହଜରେ ପରତେ ଯାଇପାରୁ ନଥିଲି । ରଜନୀ ଭାଇ ସମଭିବ୍ୟାହାରେ ମଲ୍ଲିକାଶପୁରସ୍ଥିତ ସେ ମହାର୍ଘ୍ୟ ଠିକଣାରେ ପହଞ୍ଚିବା ବେଳକୁ ଭାଇ ଏବଂ ପୂଝାରୀ ପିଲା ମୋତେ ସ୍ୱାଗତ କଲେ ।

ମଲ୍ଲିକାଶପୁର ସେତେବେଳେ ଏକ ବିଜନ ପଲ୍ଲୀ । ଶାନ୍ତିକାନନ ଆବର୍ଜ୍ଜନାମୟ ଏବଂ ଉପେକ୍ଷିତ । ଆମ ବସାଘରକୁ ଛାଡ଼ିଦେଲେ ଆଖପାଖରେ ଆଉ ଗୋଟିଏ ମଧ୍ୟ ପକ୍କାଘର ନଥାଏ । ଘରର ପଶ୍ଚିମାଂଶ ଧ୍ବସ୍ତପ୍ରାୟ ଏବଂ ତହିଁ ଉପରେ ଶତାଧିକ ଛୋଟବଡ଼ ଗଛ ।

ମୁଁ ପହଞ୍ଚିବା ଦିନ ସଂଧ୍ୟାରେ ଭାଇଙ୍କୁ କଟକ ଯିବାକୁ ପଡ଼ିଲା । ନିଶାର୍ଦ୍ଧରେ ମୋ ନିଦ ତୁଟିଗଲା । ଛାତ ଉପରେ ସତେ ଅବା ଆକାଶରୁ ଅବତରଣ କରିଥିଲେ କୌଣସି ନୃତ୍ୟକାରୀ ଦଳ । ପୂଝାରୀ ପିଲାଟିକୁ ଜଗାଇବାରେ ବିଫଳହୋଇ ପାହାଚ ଚଢ଼ି ଶେଷ ସୋପାନ ଯାଏ ଗଲି ଏବଂ କେଉଁ ଅଭାବନୀୟ ଦୃଶ୍ୟ ଦେଖିବାକୁ ଯାଉଛି, ସେହି ରୋମାଞ୍ଚରେ ଉଦ୍‌ବୁଦ୍ଧ ହୋଇ କବାଟ ଖୋଲିଦେଲି । ଦେଖିଲି ଦଳେ ଛେଳିଙ୍କର ଉନ୍ମତ୍ତ ଜ୍ୟୋତ୍ସ୍ନାବିହାର ଏବଂ ଟ୍ୱିଷ୍ଟ- ଜାତୀୟ ନୃତ୍ୟ । କୋଠାର ଧ୍ୱଂସମାନ ଅଂଶଦେଇ ସେମାନେ ଅକ୍ଲେଶରେ ସେ ବିଶେଷ ମଞ୍ଚକୁ ଆରୋହଣ କରୁଥିଲେ ।

ଭାଇ କଟକରୁ ଫେରି ମୋର ସେ ଅଭିଜ୍ଞତା କଥା ଶୁଣି ବହୁତ ହସିଲେ ଏବଂ ସେଠାରେ ବିତାଇଥିବା ପ୍ରଥମ ରଜନୀରେ ସେ ମଧ୍ୟ ସାହସ ସହକାରେ ସେ ରହସ୍ୟ ଉଦ୍‌ଘାଟନ କରିଥିବା କଥା ଜଣାଇଲେ । ମୋତେ ସେ ଦିଗରେ ଅବହିତ କରିବା କଥା ସେ ପାସୋରି ଦେଇଥିଲେ ।

ଦିବାହାର ଓ ନୈଶାହାର ଘରେ ପ୍ରସ୍ତୁତ ହେଉଥିଲା । ଜଳଖିଆ ପାଇଁ ଭାଇ ମୋତେ ଦିନେ ଦୁଇଦିନ ଛଡ଼ାରେ କିଛି ଅର୍ଥ ଧରାଇ ଦେଉଥିଲେ । ପ୍ରଥମ ଥରପାଇଁ ଅନୁଭବ କରିଥିଲି ସ୍ୱାଧୀନ ଭାବରେ ଖର୍ଚ୍ଚ କରିବାର ଆନନ୍ଦ ।

ପରେ ପରେ ବୌଦିଦି(ନୂଆବୋଉଙ୍କୁ ଆମ ଅଞ୍ଚଳର ବଙ୍ଗ ପ୍ରଭାବିତ ସମ୍ବୋଧନ) ଆସି ଉପନୀତ ହେଲେ ଏବଂ ସ୍ଥାପନ କଲେ ନିୟମିତ ଗୃହସ୍ଥଳୀ । ଭାଇଙ୍କ ପରାମର୍ଶ ଗ୍ରହଣ କରି ରଜନୀ ଭାଇ ମଧ୍ୟ କିଛି କାଳ ଆମ ସହ ଅବସ୍ଥାନ କଲେ । ସଦ୍ୟଜାତ କନ୍ୟା ଝାନ୍‌ସୀ ଥିଲା ଆମପାଇଁ ଏକ ନୂତନ ଶିହରଣ । ସେ ଗମ୍ଭୀର ହୋଇ ବସିଥିବାବେଳେ ତାକୁ କିଏ ହସାଇ ପାରିବ, ସେ ଦିଗରେ ରଜନୀ ଭାଇ ଏବଂ ମୋ ଭିତରେ ହେଉଥାଏ ପ୍ରତିଯୋଗିତା ।

ଏଲାହାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କଲାବେଳେ ପ୍ରକାଶ ପାଇଥିଲା ଭାଇଙ୍କର ପ୍ରଥମ ବହି ‘Westerners in the East’ ସେତେବେଳେ ମୁଁ ଜମାଳପୁରରେ ସପ୍ତମ ଶ୍ରେଣୀର ଛାତ୍ର । ଆମମାନଙ୍କ ଇଂରାଜୀଶିକ୍ଷାର ଆରମ୍ଭ ବହୁ ବିଳମ୍ବରେ ପଞ୍ଚମ ଶ୍ରେଣୀରେ । ତଥାପି ବହିଟି ପଢ଼ି ବୁଝିବା ଦିଗରେ ମୁଁ ବ୍ୟାକୁଳ ଚେଷ୍ଟା କରିଥିଲି । ପାଠ୍ୟ ପୁସ୍ତକ ବାହାରେ କୌଣସି ଇଂରାଜୀ ବହିର ବିଷୟ ବସ୍ତୁ ଭିତରକୁ ତାହାହିଁ ମୋର ପ୍ରଥମ ଦୁଃସାହସିକ ଅଭିଯାନ ।

ତାଙ୍କ ପରବର୍ତ୍ତୀ ବହି ‘Glimpses of Kalinga History’ ତତ୍କାଳୀନ କଲିକତାର ସବୁଠୁଁ ଅଭିଜାତ ମୁଦ୍ରଣାଳୟ ଶ୍ରୀଗୌରାଙ୍ଗ ପ୍ରେସ୍‌ରେ ପ୍ରସ୍ତୁତ ହେବାବେଳେ ତା’ର ପ୍ରଚ୍ଛଦପଟ ଇତ୍ୟାଦି ସମ୍ପର୍କରେ କିଛି ବିଶେଷ ନିର୍ଦ୍ଦେଶ ଦେଇ ଭାଇ ମୋତେ କଲିକତା ପ୍ରେରଣ କରିଥିଲେ । ସେତେବେଳେ ମୁଁ ଜିଲ୍ଲା ସ୍କୁଲର ଛାତ୍ର । ପ୍ରେସ୍‌ର ପରିଚାଳକ ଜଣେ ସମ୍ଭ୍ରାନ୍ତ ଆଗନ୍ତୁକଙ୍କୁ କହୁଥିଲେ, “ଏଭଳି ବହିଟିଏ ଛାପିବାରେ ସାର୍ଥକତା ଅଛି । ଓଡ଼ିଶା ଦିନେ କଳିଙ୍ଗ ନାମରେ ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ ଥିଲା ଏବଂ ଏ ତଥ୍ୟ ରାଖାଲ ଦାସ ବାନାର୍ଜୀଙ୍କ ଭଳି ଐତିହାସିକ ସ୍ୱୀକାର କରିଛନ୍ତି ।ସେକଥା ମୋତେ ଜଣାନଥିଲା । ମନ୍ମଥନାଥ ଦାସଙ୍କ ଭଳି ସୌଜନଶୀଳ ଲେଖକଙ୍କ ସହ ସମ୍ପର୍କରେ ଆନନ୍ଦ ଅଛି ୤”

ଏହା ପରେ ପରେ ପ୍ରକାଶ ପାଇଲା ତାଙ୍କ ଓଡ଼ିଆ ବହି : ‘ଯୁଗେ ଯୁଗେ ଉତ୍କଳୀୟ ଧର୍ମ ଓ ସଭ୍ୟତା।’ ସେତେବେଳେ ପ୍ରକାଶନ ଶିଳ୍ପ ଆଜି ଭଳି ବ୍ୟାପକ ଓ ସମୃଦ୍ଧ ନଥିଲା । ଭାଇ ନିଜ ଅର୍ଥରେ ବହିଟି ପ୍ରକାଶ କରିଥିଲେ ଏବଂ ସ୍ନେହବଶତଃ ପ୍ରକାଶକ ଭାବରେ ଦେଇଥିଲେ ମୋର ନାମ । ଏହାପରେ ଅବଶ୍ୟ ଏକ ପରେ ଏକ ତାଙ୍କର ଗ୍ରନ୍ଥରାଜି ପ୍ରକାଶ ପାଇଚାଲିଲା । ତାଙ୍କ ପ୍ରକାଶକମାନଙ୍କର ଅନ୍ତର୍ଭୁକ୍ତ ହେଲେ ଇଂଲଣ୍ଡର ପ୍ରଖ୍ୟାତ ସଂସ୍ଥା ଜର୍ଜ ଆଲେନ୍‌ ଏଣ୍ଡ୍‌ ଆଲିନ୍‌ । ସମ୍ଭବତଃ ତୃତୀୟଥର ଇଂଲଣ୍ଡରେ ଗବେଷଣା କରୁଥିବାବେଳେ ସେ ତାଙ୍କ ପ୍ରଭାବଶାଳୀ ଗାଇଡ଼୍‌ଙ୍କ ଆନୁକୂଲ୍ୟରେ ତଦବଧି ଅନାଲୋଚିତ ଭାରତର ସ୍ୱାଧିନତା ସଂଗ୍ରାମର ବହୁ ତଥ୍ୟ ରାତି ରାତି ବସି ଲିପିବଦ୍ଧ କରୁଥାନ୍ତି । ତାଙ୍କ ଗବେଷଣାର ଶେଷ ପର୍ଯ୍ୟାୟବେଳକୁ ଦୁଇଜଣ ବୃତ୍ତିଧର୍ମୀ ଲେଖକ ସେମାନଙ୍କ ସହକାରୀମାନଙ୍କୁ ଧରି ସେଠାରେ ପହଞ୍ଚି ଆଧୁନିକ ସାଜସରଞ୍ଜାମ ସହଯୋଗ କେଇଦିନ ଭିତରେ ସବୁ ତଥ୍ୟସଂଗ୍ରହ କରିନେଇ ‘Freedom at Midnight’ ବହି ଲେଖିବାକୁ ବସିଗଲେ । ସେମାନେ ବୋଧହୁଏ ଜାଣିଥିଲେ ସେ ଜଣେ ଭାରତୀୟ ଐତିହାସିକ ଅନୁରୂପ କାର୍ଯ୍ୟରେ ବ୍ୟାପୃତ । ଭାଇ ତାଙ୍କ ବହି ସମାପ୍ତ କଲାବେଳକୁ ପ୍ରଥମୋକ୍ତ ବହି ଜାକଜମକ ସହକାରେ ପ୍ରକାଶ ପାଇଗଲା ।

ଭାଇ ଭୁବନେଶ୍ୱର ଲେଉଟି ଆସିଥାନ୍ତି । କୌଣସି କାରଣରୁ ମୁଁ ବି ଆସିଥାଏଁ । ବିମର୍ଷଭାବରେ ସେ କହିଲେ, ‘ପରିଶ୍ରମ ବୃଥାଗଲା।’

ମୋର ଭୁବନେଶ୍ୱରରୁ ଦିଲ୍ଲୀ ଯିବାର ଥାଏ । ଭାଇଙ୍କଠୁଁ ତାଙ୍କ ପାଣ୍ଡୁଲିପିଟି ହାସଲକରି ମୋର ଜଣେ ପ୍ରକାଶକ ବନ୍ଧୁ ‘Vision Books’ ଏବଂ ‘Orient Paperbacks’ ର ପରିଚାଳନା କପିଲ ମାଲହୋତ୍ରାଙ୍କୁ ଧରାଇଦେଲି । ସେ ପ୍ରଥମେ ଇତସ୍ତତଃ ହେଲେ । ତେବେ ପାଣ୍ଡୁଲିପିଟି ରଖିଲେ ।

ପରଦିନ ମୋ ସହ ସାକ୍ଷାତ ହୁଅନ୍ତେ ସେ କହିଲେ, ‘ମୁଁ ସାରାରାତି ଶୋଇନାହିଁ ।’ ଆଶଙ୍କା ହେଲା, ସେ ବହିଟି ପ୍ରକାଶ ନକରିବାର କୌଣସି ଭୂମିକା ପ୍ରସ୍ତୁତ କରୁଛନ୍ତି ।

କହିଲି, “ଦୁଃଖିତ ! କିନ୍ତୁ ତମ ମୁହଁରେ କୌଣସି କ୍ଲାନ୍ତି ଭାବ ନାହିଁ । ଏଥିରୁ ଜାଣୁଛି ତମ ଜୀବନୀଶକ୍ତି ଖୁବ୍‌ ପ୍ରାଣବନ୍ତ୤”

“ଏମିତି କାରଣରୁ ଆହୁରି କେତେ ରାତି ଅନିଦ୍ରା ହେବାକୁ ପଡ଼ିଲେ ମଧ୍ୟ ମୁଁ ପ୍ରାଣବନ୍ତ ରହନ୍ତି ୤” ଏହା କହି ପାଣ୍ଡୁଲିପିଟି ବାହାର କରି ସେ କହିଲେ, “ସନ୍ଧ୍ୟାରେ ପଢ଼ିବା ଆରମ୍ଭ କଲି । ଛାଡ଼ି ପାରିଲି ନାହିଁ । ନୈଶାହାର ବେଳେ ବି ପଢ଼ୁଥାଏ । ଭୋର ହୋଇଗଲା ମୋ ଅଜାଣତରେ । ବର୍ତ୍ତମାନ ପ୍ରେସ୍‌କୁ ପଠାଇ ଦେଉଛି ୤”

ପ୍ରକାଶ ପାଇଲା ‘ Freedom and Partition of India’ ଯେଉଁ ଗୁଣଗ୍ରାହୀ ଉଭୟ ‘Freedom at Midnight’ ଏବଂ ଭାଇଙ୍କ ବହି ପଢ଼ିଛନ୍ତି, ସେମାନେ କହନ୍ତି ଭାଇଙ୍କ ବହି ଅଧିକ ତଥ୍ୟ ସମୃଦ୍ଧ ତଥା ସୁଲିଖିତ । ଏହା ଗବେଷଣା ଏବଂ ସଂଧାନୀମାନଙ୍କ ପାଇଁ ଇଦ୍ଦିଷ୍ଟ । ଏଥିରେ ନାଟକୀୟତା ବା ଚାଞ୍ଚଲ୍ୟର ଶୈଳୀ ନାହିଁ ।

ଭାରତ ବିଭାଜନ ତଥା ସ୍ୱାଧିନତା ଉପରେ ପୌରହିତ୍ୟ କରିଥିବା ଭାରତର ଶେଷ ବ୍ରିଟିଶ ବଡ଼ଲାଟ ଲର୍ଡ଼ ମାଉଣ୍ଟବ୍ୟାଟେନ୍‌ଙ୍କ ସହ ସେ ସନ୍ତ୍ରାସବାଦୀଙ୍କ ହାତରେ ନିହତ ହେବାର ଆଉକିଛି କାଳ ପୂର୍ବରୁ – ଦୀର୍ଘ ସାକ୍ଷାତ୍‌କାର ନେବାରେ ଭାଇ ହେଲେ ଶେଷ ଐତିହାସିକ । ତେବେ ନିଜର କୃତିତ୍ୱ ସମ୍ପର୍କରେ ବିଜ୍ଞପ୍ତି ଦେବାରେ ସେ ଥିଲେ ଅପାରଗ ।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ, ରାଜ୍ୟସଭା ସଦସ୍ୟ ଭାବରେ ତାଙ୍କ ନିଷ୍ଠା ଏବଂ ସତ୍ୟପରାୟଣତାର ବହୁ ଦୃଷ୍ଟାନ୍ତ ମୁଁ ନିର୍ଭରଯୋଗ୍ୟ ଆଗନ୍ତୁକମାନଙ୍କ ଠାରୁ ଶୁଣିଥାଏ । ସାଂସଦ ଭାବରେ ତାଙ୍କ ଜିମା ଅନୁଦାନର ଯେପରି କୌଣସି ପ୍ରକାର ଅପବ୍ୟବହାର ହୋଇ ନପାରିବ, ସେଥିପାଇଁ ସେ ଥିଲେ ଅତ୍ୟନ୍ତ ସଜାଗ । ମୋର ସମ୍ମାନିତ ବନ୍ଧୁ ଭାରତର ପୂର୍ବତନ ପ୍ରଧାନ ସେନାପତି ଜେନେରାଲ ଶଙ୍କର ରାୟଚୌଧୁରୀ, ପୂର୍ବତନ ମନ୍ତ୍ରୀ ଅରୁଣ ସୌରୀ, ପ୍ରଖ୍ୟାତ ଶିଳ୍ପପତି କେ.କେ.ବିର୍‌ଲା (ଏମାନେ ରାଜ୍ୟସଭାରେ ଭାଇଙ୍କ ସମସାମୟିକ) ସ୍ୱତଃସ୍ଫୁର୍ତ୍ତ ଭାବରେ ମୋତେ କହିଛନ୍ତି, ଭାଇଙ୍କ ଭଳି ବିଦ୍ୱାନ, ସଜ୍ଜନ ତଥା ସୌଜନ୍ୟଶୀଳ ବ୍ୟକ୍ତି ଖାଲି ରାଜନୀତିରେ ନୁହେଁ, ବୌଦ୍ଧିକ ଜଗତରେ ବି ବିରଳ । ଏକଦା ତାଙ୍କୁ ପବ୍ଲିକ୍‌ ସର୍ଭିସ୍‌ କମିସନର ମୁଖ୍ୟ କରିବା ନିମନ୍ତେ ଏହି ଲେଖକ ଜରିଆରେ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟସଭାରେ କାର୍ଯ୍ୟକାଳ ସମାପ୍ତ ହୁଅନ୍ତେ ସେ ରାଜ୍ୟପାଳ କିମ୍ବା ରାଷ୍ଟ୍ରଦୂତ ପଦ ଗ୍ରହଣ କରିବାକୁ ପ୍ରସ୍ତୁତ କି ବୋଲି ପ୍ରଶ୍ନ କରିଥିଲେ କ୍ଷମତାସୀନ ଶିବିରର ମୁଖପାତ୍ର ଜଣେ ପ୍ରମୁଖ ନେତା । କିନ୍ତୁ ଭାଇ ଏ ସମସ୍ତ ପ୍ରସ୍ତାବ ଓ ସମ୍ଭାବନାରୁ ନମ୍ରଭାବରେ ଓହରି ଆସିଥିଲେ ।

ଲୋକସଭା ନିମନ୍ତେ ତାଙ୍କୁ ଭୁବନେଶ୍ୱରରୁ ପ୍ରାର୍ଥୀ କରିବାର ପ୍ରସ୍ତାବ ହୁଅନ୍ତେ ସେ ମୋତେ ଫୋନ୍‌ ଯୋଗେ ତାହା ଜଣାଇଲେ । ମୁଁ କହିଥିଲି, ଯଦି ପ୍ରାର୍ଥୀ ହେବେ, ତେବେ ସେ ବାଲେଶ୍ୱରରୁ ହୁଅନ୍ତୁ । ଅକ୍ଲେଶରେ, ଜନସାଧାରଣଙ୍କ ସଶ୍ରଦ୍ଧ ସମର୍ଥନରେ ସେ ବିଜୟୀ ହେବା ନିଶ୍ଚିତ । କିନ୍ତୁ ତାହା ହେଲା ନାହିଁ । ସେ ଯେ ଅଳ୍ପ ଭୋଟ ବ୍ୟବଧାନରେ ଆସନଟି ହରାଇଲେ, ତା’ର ବହୁବିଧ କାରଣ ନିର୍ଣ୍ଣୟ କରିଛନ୍ତି ଶଭେଚ୍ଛୁ ତଥା ନିର୍ବାଚନ ବେଶେଷଜ୍ଞମାନେ, ଯଥା – ତାଙ୍କ ପ୍ରଚାର ସକାଶେ ଉଦ୍ଦିଷ୍ଟ ଅର୍ଥ ବିପଥଗାମୀ ହୋଇଗଲା; ଦଳର ଲୋକେହିଁ ଦଗା ଦେଲେ – ଯେହେତୁ ଭାଇଙ୍କ ଦ୍ୱାରା ସେମାନଙ୍କ ସ୍ୱାର୍ଥ ସିଦ୍ଧି ହେବ ନାହିଁ; ଭାଇ ନିଜେ ଦଳର ବିଭିନ୍ନ ଉପଦଳ ଓ ଗୋଷ୍ଠୀମାନଙ୍କୁ ପ୍ରୀତ କରିବାର ବ୍ୟବସ୍ଥା କଲେନାହିଁ; ଛାତ୍ରମାନେ ଆପଣାଛାଏଁ ତାଙ୍କ ପ୍ରଚାର ପାଇଁ ପ୍ରସ୍ତୁତ ହୁଅନ୍ତେ ସେ ଜଣେ ରକ୍ଷଣଶୀଳ ଗୁରୁଭଳି ସେମାନଙ୍କୁ ଚୁପ୍‌ ଚାପ ଯାଇ ଅଧ୍ୟୟନରେ ମନୋନିବେଶ କରିବାକୁ ନିର୍ଦେଶ ଦେଲେ, ଇତ୍ୟାଦି । ଏସବୁର ଆଂଶିକ ସତ୍ୟ ରହିଛି ନିଶ୍ଚୟ, କିନ୍ତୁ ମୁଖ୍ୟ କାରଣ ସମ୍ପର୍କରେ ମୋ ଧାରଣା ଭିନ୍ନ । ରାଜୀବ ଗାନ୍ଧୀଙ୍କ ଓଡ଼ିଶା ଗସ୍ତବେଳେ ଭାଇ ତାଙ୍କଠାରୁ ବିଦାୟ ନେଇ ନିଜ ନିର୍ବାଚନମଣ୍ଡଳୀ ଅଭ୍ୟନ୍ତରରେ ପ୍ରବେଶ କଲେ । ରାଜୀବ ଗାନ୍ଧି ଓଡ଼ିଶା ଛାଡ଼ିଲେ । ରାତିରେ ଗୃହକୁ ପ୍ରତ୍ୟାବର୍ତ୍ତନ କରି ଭାଇ ଖାଇ ବସିଛନ୍ତି; ମୁଁ ପଣ୍ଡିଚେରୀରୁ ଫୋନ୍‌କଲି । ସେ ଉତ୍ସାହଭରେ କହିଲେ, “ମଣ୍ଟୁ ! ମୁଁ ଏଇନେ ଲେଉଟି ଆସିଲି । ଆଜି କାର୍ଯ୍ୟକ୍ରମ ବେଶ୍‌ ଭଲ ହେଲା”

ବୁଝିଲି, ସେ ଯାଏ ନିଦାରୁଣ ଦୁଃସମ୍ବାଦ ସେ ପାଇ ନାହାନ୍ତି । ଜଣାଇଲି ଅଳ୍ପସମୟ ପୂର୍ବରୁ ଆତତାୟୀଙ୍କ ବୋମାମାଡ଼ରେ ରାଜୀବଜୀ ଚିର ବିଦାୟ ନେଇସାରିଲେଣି ।

ସେ ଫୋନ୍‌ ଧରି ସ୍ତବ୍ଧ ହୋଇ ରହିଲେ । କିଛିକ୍ଷଣ ପରେ ସ୍ତିମିତ କଣ୍ଠରେ କହିଲେ, ‘ ଏଇ ମୁହୁର୍ତ୍ତରୁ ମୁଁ ନିଷ୍ପ୍ରାଣ ନିର୍ବାଚନ ପରିପ୍ରେକ୍ଷୀରେ ।’

ଅବଶ୍ୟ ଯାନ୍ତ୍ରିକ ରୀତିରେ ପ୍ରଚାର ଚାଲୁରହିଲା , କିନ୍ତୁ ନିଜ ନିଷ୍କ୍ରିୟତା ଏବଂ ନିରୁତ୍ସାହ ଯୋଗୁଁ ପ୍ରଚାରର ଶେଷ ପର୍ଯ୍ୟାୟରେ ସେ ବେଶ୍‌ କିଛି ସମର୍ଥନ ହରାଇଲେ । ମୋ ଦୃଷ୍ଟିରେ ସେ ପ୍ରକୃତ ଅର୍ଥରେ ଥିଲେ ମହତ ମଣିଷ । କିନ୍ତୁ ସରଳ ବିଶ୍ୱାସ ଯୋଗୁଁ ସେ କେବେ କେବେ ଯଥାର୍ଥ ଦିଗ୍‌ଦର୍ଶନରୁ ବଞ୍ଚିତ ରହିଗଲେ । ତାଙ୍କ କୃତିତ୍ୱ ବହୁତ, କିନ୍ତୁ ତାଙ୍କ ଅନ୍ତର୍ନିହିତ ମାନବିକତା, ଶୁଭେଚ୍ଛା, ଶକ୍ତି ତଥା ଆଧ୍ୟାତ୍ମିକ ଅନ୍ୱେଷଣ ତାଙ୍କ ପ୍ରକଟିତ ବା ପ୍ରତିଭାତ ବ୍ୟକ୍ତିତ୍ୱ ତୁଳନାରେ ସେ ଥିଲେ ମହତ୍ତର ମଣିଷ – କଥାଟି ତାଙ୍କ ପ୍ରତି ସମ୍ପୁର୍ଣ୍ଣ ପ୍ରଯୁଜ୍ୟ ।

ସୌଜନ୍ୟ : “ସାପ୍ତାହିକ ସମାଜ” ୧୪ – ୨୦ ଅଗଷ୍ଟ ୨୦୧୦

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.