Loading...

Prof. Chandrasekhara Rath

ଅସାଧାରଣଙ୍କୁ ଅଭିନନ୍ଦନ
ମନୋଜ ଦାସ

ବିକାଶର ଏକ ବିଶେଷ ସ୍ତରରେ ଉପନୀତ ହୋଇ ମଣିଷ ଜୀବନରେ ଯାବତୀୟ ଅନୁକୂଳ ପରିସ୍ଥିତି ସକାଶେ ଏକ ପରମ ଚେତନା ବା ଭଗବାନଙ୍କ ପାଖରେ କୃତଜ୍ଞ ହେବାର ଆବେଗ ଅନୁଭବ କରେ ୤ ସେ ସ୍ତର ସୁନ୍ଦର ; ଶୁଭଙ୍କର ୤ ପରବର୍ତ୍ତୀ ସ୍ତରରେ ସେଭଳି କୃତଜ୍ଞତାବୋଧ ନିମନ୍ତେ ଜଣେ ଅନୁକୂଳ ଓ ପ୍ରତିକୂଳ ଭିତରେ ତାରତମ୍ୟ ଦେଖେ ନାହିଁ ୤ ସେ ହୃଦୟଙ୍ଗମ କରେ, ତଥାକଥିତ ସୁଖ, ଦୁଃଖ ଆପାତ ଦୃଷ୍ଟିରେ ସୌଭାଗ୍ୟ ଦୁର୍ଭାଗ୍ୟ- ସମସ୍ତ ଅଭିଜ୍ଞତା ହିଁ ତାର ଚେତନାର ପ୍ରଗତିର ସହାୟକ ୤ ସବୁ ପାଇଁ ସେତେବେଳେ ସେ କୃତଜ୍ଞ ୤

ଭାଗ୍ୟବାନ ସାଧକ କ୍ଷେତ୍ରରେ ଏ ସ୍ତର ବି ଅତିକ୍ରାନ୍ତ ହୋଇଯାଏ ୤ ସେତେବେଳେ ସେ ସ୍ବତନ୍ତ୍ର ଭାବରେ କୃତଜ୍ଞ ଅନୁଭବ କରିବାର ପ୍ରଶ୍ନ ଉଠେ ନାହିଁ ୤ କାରଣ ସର୍ବବ୍ୟାପ୍ତ ଦିବ୍ୟଶକ୍ତିର ଅନ୍ତର୍ଭୁକ୍ତ ହୋଇଥାଏ ତାର ଚିନ୍ତା ଓ କାର୍ଯ୍ୟକଳାପ ; ବସ୍ତୁତଃ ତାର ସମଗ୍ର ସତ୍ତା ୤

ଉପରୋକ୍ତ ତିନିସ୍ତରର ପ୍ରଥମ ସ୍ତରତୁ ମୁଁ ଉତ୍ତୀର୍ଣ୍ଣ ହୋଇନାହିଁ ୤ ହୁଏତ ତାର ସୀମାନ୍ତରେ ଠିଆ ହୋଇ, ଦ୍ବିତୀୟ ସ୍ତରର ମହତ୍ତ୍ବ ଓ ମାଧୁର୍ଯ୍ୟ ବିଭୂତି ଥରେ ଥରେ ଅନୁଭବ କରିପାରୁଛି ମାତ୍ର ୤

ଅର୍ଥାତ୍ ଜୀବନର ବହୁ ଅନୁକୂଳ ପରିସ୍ଥିତି ପାଇଁ ମୁଁ କୃତଜ୍ଞ ୤ତହିଁରୁ ଅନ୍ୟତମ ହେଲା ମୋର ବନ୍ଧୁଭାଗ୍ୟ ୤ ସେଥିରେ ଭଗବାନ୍ ମୋତେ ଐଶ୍ବର୍ଯ୍ୟଶାଳୀ କରିଛନ୍ତି ୤ ସାହିତ୍ୟ କ୍ଷେତ୍ରରେ ଅଗ୍ରଜମାନଙ୍କର ଶୁଭେଚ୍ଛା ଯେପରି ମୋତେ ଅଭିଭୂତ କରିଛି, ମୋର ସମସାମୟିକ ସାହିତ୍ୟ ସ୍ରଷ୍ଟାମାନଙ୍କର ସହୃଦୟତା ମୋତେ ସେହିପରି କୃତାର୍ଥ କରିଛି ୤

ମୋର ସେହି ଅମୂଲ୍ୟ ଆତ୍ମୀୟ ପର୍ଯ୍ୟାୟର ବନ୍ଧୁବର୍ଗଙ୍କ ଭିତରେ ଅନ୍ୟତମ ଚନ୍ଦ୍ରଶେଖର ବାବୁ ୤ କିନ୍ତୁ ତାଙ୍କ ସହ ପରିଚୟ ତଥା ଘନିଷ୍ଠତା ହୋଇଥିଲା ଅପେକ୍ଷାକୃତ ବିଳମ୍ବରେ ୤ ୧୯୬୩ ମସିହା ଫେବୃୟାରୀ ମାସରେ ମୁଁ ଶ୍ରୀଅରବିନ୍ଦ ଆଶ୍ରମରେ ଯୋଗ ଦେବା ପରେ, ସେହି ବର୍ଷ ନଭେମ୍ବର କିମ୍ବା ପରବର୍ତ୍ତୀ ବର୍ଷ ନଭେମ୍ବରରେ ଓଡିଶାର କେତେକ ପ୍ରତିଷ୍ଠାନରେ ମୋର କିଛି କିଛି କହିବାର କାର୍ଯ୍ୟକ୍ରମ ଥାଏ ୤ ତହିଁର ଅନ୍ତର୍ଭୁକ୍ତ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ ୤ ମାଜିଷ୍ଟ୍ରେଟ ଶ୍ରୀ ବିହାରୀଲାଲ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ହେଉଥାଏ ଏବଂ ତାଙ୍କ ଅତିଥି ହୋଇ ରହିଥାଏ ୤ ସେହି ଅବସରରେ ପାଇଥିଲି ଅଧ୍ୟାପକ ଶ୍ରୀଚନ୍ଦ୍ରଶେଖର ରଥଙ୍କ ସାହଚର୍ଯ୍ୟ ୤ ସାଥି ହୋଇ ରାଇରଙ୍ଗପୁର ଓ ଆଉ କେତେକ ସ୍ଥାନ ବୁଲିଥିଲୁ ୤ ଆଜି ବି ସ୍ମ୍ରୁତିରେ ଜାଗରୁକ ଆଳାପର ସେ ଆନନ୍ଦ ୤

ଚନ୍ଦ୍ରଶେଖରବାବୁ ସଦ୍ୟ ଲେଖାଲେଖି ଆରମ୍ଭ କରିଥାନ୍ତି ୤ କିନ୍ତୁ ଊର୍ବଶୀ “ବୃନ୍ତହୀନ ପୁଷ୍ପସମ” ବିକଶିତ ହେବା ପ୍ରାୟେ ତାଙ୍କ ଲେଖା ମୂଳରୁ ପରିପକ୍ବତା ନିର୍ଭୁଲ ପ୍ରମାଣ ବହନ କରିଥାଏ ୤

ଏହା ଏକ ବିରଳ ବିଶେଷତ୍ବ ୤

ବିରଳ ହେଲେ ବି ଚନ୍ଦ୍ରଶେଖରବାବୁଙ୍କର ଅନ୍ୟାନ୍ୟ ବିଶେଷତ୍ବରୁ ଏହା ଗୋଟିଏ ୤ ସବୁଠୁଁ ବଡ ବିଶେଷତ୍ବ କଣ ? ସୃଜନୀ ପ୍ରେରଣାର ମହତ୍ ସ୍ତର ହିଁ ସମ୍ଭବତ୍ଃ ସବୁଠୁଁ ବଡ ବିଶେଷତ୍ବ୤ ସେ ସ୍ତରର ପଟ୍ଟଭୁମି ତାଙ୍କ ଜୀବନର ଆଧ୍ୟାତ୍ମିକ ଦିଗ- ସର୍ବୋତ୍ତମ ଦିଗ ୤

ତାଙ୍କ ଗଳ୍ପ, ଉପନ୍ୟାସର ଉତ୍କର୍ଷ ସର୍ବଜନବିଦିତ ୤ କିନ୍ତୁ ସେ ଜଣେ ଶକ୍ତିମାନ୍ ଚିନ୍ତାବିଦ୍ ମଧ୍ୟ ୤ ତାଙ୍କ ନିବନ୍ଧ ସମୂହରେ ଆମକୁ ଭାବିତ ଏବଂ (ଗଠନମୂଳକ ଅର୍ଥରେ ) ବିବ୍ରତ କଲା ଭଳି ଧ୍ୟାନ ଧାରଣା ସହ ସୁଗମ ଓ ସୁନ୍ଦର କଥନ କଳାର ସମାହାର ଚମତ୍କାର ୤

ଏସବୁ ତାଙ୍କର ଗହନ ସୃଜନାତ୍ମକ ଦିଗ ୤ ସାମାଜିକ ସ୍ତରରେ ସେ ଜଣେ ଉଚ୍ଚକୋଟିର ବକ୍ତା ୤ ସଂଯତ ଭାଷା ଏବଂ ଉନ୍ନତ ଭାବର ଯେଭଳି ସାବଲୀଳ ଅଭିବ୍ୟକ୍ତି ତାଙ୍କ କଣ୍ଠରେ ସମ୍ଭବ ହୁଏ, ତାହାର ଦୃଷ୍ଟାନ୍ତ କ୍ବିଚିତ୍ କାହିଁ ମିଳିଥାଏ ୤ ତାଙ୍କ ସୃଜନୀ ପ୍ରତିଭାର ଏହା ଏକ ଏକ ଦିଗ ୤ ସୃଷ୍ଟିର ବିଚିତ୍ର ନିୟମରେ ପ୍ରତିଭା ଜଣକ ଭିତରକୁ ଅବତରଣ କରିପାରେ ୤ ଜଣେ ପ୍ରତିଭାବାନ୍ ଭାବରେ ଅସାଧାରଣ ହେବା ସତ୍ତ୍ବେ ମଣିଷ ଭାବରେ ସାଧାରଣ ହୋଇପାରେ ୤ ମଣିଷ ଭାବରେ ଚନ୍ଦ୍ରଶେଖରବାବୁଙ୍କ ଚରିତ୍ରର ଏକ ଉଜ୍ଜ୍ବଳ ଦିଗ ହେଲା, ଅନ୍ୟର କୃତିତ୍ବରେ, ବନ୍ଧୁର ଗୌରବରେ ସ୍ବତ୍ଃସ୍ଫୂର୍ତ୍ତ ଭାବରେ ସେ ନିଜେ ଉତଫୁଲ୍ଲ ଅନୁଭ ଲକା ଭଳି ସୁମହତ୍ ସ୍ବଭାବର ଅଧିକାରୀ ୤ ଏ ଉତ୍କର୍ଷ, ଏ ପ୍ରସାରିତ ଚେତନା ସହଜଲଭ୍ୟ ନୁହେଁ ୤

ଶ୍ରୀ ଚନ୍ଦ୍ରଶେଖର ରଥ ଅସାଧାରଣଙ୍କୁ ମୋର ଅଭିନନ୍ଦନ ୤

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.