For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.
Excerpts from an Interview
ଫେବ୍ରୁଆରି ୨୧ ହେଲା ଶ୍ରୀମାଙ୍କ ଜନ୍ମଦିବସ | ପ୍ରୁଥିବୀବ୍ୟାପୀ ଅସୁମାରି ନରନାରୀ ତାଙ୍କୁ ଦିବ୍ୟ ଜନନୀ ଭାବରେ ଦେଖନ୍ତି | ଆପଣଙ୍କ ଅନୁଭୁତି କଣ?
ମୋର ଅନୁଭୁତି କ’ଣ ଆପଣ ଏ ପ୍ରଶ୍ନଟି ପଚାରିବା ମାତ୍ରେ ପ୍ରଥମେ ଯେଉଁ ସ୍ମୃତି ଜାଗରିତ ହେଉଚି, ତାହା ଜୀବନର ପ୍ରଥମ ଦର୍ଶନର ବିସ୍ମୟ ୧୯୬୩ ମସିହା ଫେବ୍ରୁଆରି ୨୧ ତାରିଖ କଥା | ପ୍ରାୟ ସୂର୍ଯାସ୍ତ ବେଳେ ଶ୍ରୀମା ଆଶ୍ରମର ତ୍ରିତଳ ଟେରାସ୍ ରେ ଦେଖାଦେଲେ ମୁଁ ପୂର୍ବରୁ ମନରେ କୌଣସି କଳ୍ପନା-ଜଳ୍ପନା ନେଇ ତଳେ ଠିଆ ହୋଇ ନ ଥିଲି | ଶ୍ରୀଅରବିନ୍ଦଙ୍କ ଯୋଗ ଓ ଦର୍ଶନର ଅଭିନବତ୍ୱ ମୋତେ ଚମତ୍କୃତ କରିଥିଲା | ସେ କିନ୍ତୁ ସ୍ଥୁଳ ଶରୀରରେ ନ ଥିଲେ | ଚେତନା ଜଗତରେ ତାଙ୍କର ସେହି ଦୁଃସାହସିକ ଅଭିଯାତ୍ରାରେ ଯିଏ ଥିଲେ ଏକମାତ୍ର ସହଯାତ୍ରୀ, ତାଙ୍କୁ ଅନ୍ୟ ସହସ୍ର ମଣିଷଙ୍କ ସହ ଦୂରରୁ ନୀରବରେ ଶ୍ରଦ୍ଧାଞଳି ଦେବାହିଁ ଥିଲା ମୋର ଉଦ୍ଦେଶ୍ୟ |ଶ୍ରୀମାଙ୍କୁ ଦେଖିଲି | ସରଳ ଭାଷାରେ କହିଲେ, ପ୍ରଥମ କେତେ ସେକେଣ୍ଡ୍ ମୁଁ ମୋ ନିଜ ଆଖିକୁ ବିଶ୍ୱାସ କରିପାରିଲି ନାହିଁ | ଗୋଟିଏ ମାନବିକ ମୁଖମଣ୍ଡଳରେ ଏତେ ସୌନ୍ଦର୍ଯ୍ୟର ବିକାଶ ସମ୍ଭବ ହୋଇପାରେ ? ସୂର୍ଯୋଦୟ ଓ ସୂର୍ଯ୍ୟାସ୍ତର ମହିମା, ଚନ୍ଦ୍ରମାର ସ୍ନିଗ୍ଧତା, ଦୂର ଦିଗନ୍ତର ଉଦାସ ନିର୍ଜନତା, ମହାକାଶର ବ୍ୟାପ୍ତି - ସେ ସୌନ୍ଦର୍ଯ୍ୟରେ ଥିଲା ଏ ସମସ୍ତ ବିଭବର ସମାବେଶ | କବିତା ଲେଖୁ ନାହିଁ; ନିଜ ଦୃଷ୍ଟିରେ ପାଇଥିବା ଐଶ୍ୱର୍ଯ୍ୟକୁ ଭାଷାରେ ଅଭିବ୍ୟକ୍ତି କରୁଛି ମାତ୍ର |
ଥରେ ନିଖିଳ ଭାରତ ସମ୍ୱାଦପତ୍ର ସଂପାଦକ ସଂଘର ସଭାପତି, ଅଧୁନା ବିଲୁପ୍ତ "ଦି ମେଲ୍" ଦୈନିକର ସଂପାଦକ ଭି. ପି. ଭି. ମେନନ୍ ଶ୍ରୀଅରବିନ୍ଦଙ୍କୁ ସେ ପ୍ରଥମେ ଦେଖିବାର ଅଭିଜ୍ଞତା କଥା ମୋତେ କହୁଥିଲେ | ସେ “କ୍ୟୁ” ରେ ଠିଆ ହୋଇ ଧୀରେ ଧୀରେ ଅଗ୍ରସର ହେଉଥିଲେ | କେତେବେଳେ “କ୍ୟୁ” ମୋଡ ନେଲାଣି, ସେ ଅନ୍ୟମନସ୍କ ଥାଇ ବୁଝି ନ ଥିଲେ | ହଠାତ୍ ସମ୍ମୁଖରେ ପ୍ରତିଭାତ ହେଲା ବିସ୍ମୟକର କିଛି | ତାହା କ’ଣ ? ମନେହେଲା ସେ ନିଜ ଅଜାଣତରେ ତୁଷାରଧବଳ କୈଳାସ ପର୍ବତ ସାମ୍ ନାରେ ପହଞ୍ଚି ଯାଇଛନ୍ତି | ପର ମୂହୂର୍ତ୍ତରେ ସେ ହୃଦୟଙ୍ଗମ କଲେ ତାଙ୍କ ମନରେ ସେ ବିସ୍ମୟକର ଅନୁଭୂତି ଜଗାଇଥିବା ଦୃଶ୍ୟ ହିମାଳୟ ନୁହେଁ, ଶ୍ରୀଅରବିନ୍ଦ | ବିପୁଳ ତନୁବନ୍ତ ମେନେନ୍ ମହାଶୟ ଚେତା ହରାଇ ତାଙ୍କ ଆଗରେ ଥିବା ଜଣଙ୍କ ପିଠିରେ ଲଦି ହୋଇଗଲେ | ଅବଶ୍ୟ ମୁହୂର୍ତ୍ତକ ପାଇଁ | ତା ପରେ ସେ ପ୍ରକୃତିସ୍ଥ ହେଲେ| ଶ୍ରୀମାଙ୍କର ସେ ପ୍ରଥମ ଦର୍ଶନରେ ମୁଁ ଅବଶ୍ୟ ଚେତା ହରାଇ ନାହିଁ; କିନ୍ତୁ ଚେତନାର ଯେଉଁ ସ୍ପନ୍ଦନ, ଯେଉଁ ପ୍ରସାରଣ ଅନୁଭବ କରିଥିଲି, ତାହା ଅପ୍ରତ୍ୟାଶିତ, ଅଭାବନୀୟ - ଏବଂ ପରେ ଆଧ୍ୟାତ୍ମ ମନସ୍ତତ୍ତ୍ୱ ଅଧ୍ୟୟନ ଅବସରରେ ବୁଝିଥିଲି - ସେ ଅନୁଭୂତି ଅତୀନ୍ଦ୍ରିୟ ମଧ୍ୟ | ଅର୍ଥାତ୍ ଯେଉଁ ସୌନ୍ଦର୍ଯ୍ୟ ଦେଖିଥିଲି, ତାହା ସ୍ଥୂଳ ଦୃଶ୍ୟମାତ୍ର ନୁହେଁ | ସୂକ୍ଷ୍ମ ପର୍ଯ୍ୟାୟର ଏକ ସୌନ୍ଦର୍ଯ୍ୟ, ଏକ ଦିବ୍ୟ ଆଭା ମୋ ଆଗରେ ପ୍ରତିଭାତ ହୋଇଥିଲା |
ଚମତ୍କାର ! ଏମିତି ଅନ୍ୟ କିଛି ଦିବ୍ୟ ଅନୁଭୂତି କଥା କୁହନ୍ତୁ
ଦିବ୍ୟ ଅନୁଭୂତି ପ୍ରକଟ କରିବା ନିଷିଦ୍ଧ | ସେ ଦିଗରେ ମୋର ପୁଞି ମଧ୍ୟ ସାମାନ୍ୟ | ଯେଉଁମାନଙ୍କର ବହୁତ ରହିଛି, ସେମାନେ କିଛି ବିବୃତ କରିପାରନ୍ତି | ସେତକର ବିଭୂତି ନଷ୍ଟ ହେଲେ ବି ସେମାନେ ଦରିଦ୍ର ହେବେ ନାହିଁ | ମୁଁ ସେ ଦିଗରେ ସେମିତି ଧନବାନ ନୁହେଁ | ତେବେ ଶ୍ରୀମାଙ୍କ ସାନ୍ନିଧ୍ୟରେ ସାଧାରଣ ଅନୁଭୂତି ଭାବରେ ଆମେ ଯାହାସବୁ ଗ୍ରହଣ କରିନେଉଥିଲୁଁ, ଆଜି ତାଙ୍କ ତିରୋଧାନର ତେତିଶ୍ ବର୍ଷ ପରେ ସେସବୁ ଅସାଧାରଣ ବୋଲି ପ୍ରତ୍ୟୟ ହୁଏ | ଗୋଟିଏ ଉଦାହରଣ : ନିଜ ଜନ୍ମଦିନରେ ବା ଅନ୍ୟ କୌଣସି ଉପଲକ୍ଷ୍ୟେ ତାଙ୍କ ସମୀପକୁ ଯିବାର ସୁଯୋଗ ପାଇ ତାଙ୍କ କୋଠରୀ ଭିତରକୁ ପଶିଯିବା ମାତ୍ରେ ମୋର ଯାହା ମନେ ହେଉଥାଏ, ଆଜି ତା’ର ଭାବାନୁବାଦ ଏହିଭଳି : ଅତୀତ, ବର୍ତ୍ତମାନ, ଭବିଷ୍ୟତ ସମନ୍ନିତ ସମୟ-ପ୍ରବାହ ଯେମିତି ସେ କୋଠରୀ ବାହାରେ ଅଟକି ଯାଇଛି | ଭିତରେ ଉତ୍କଣ୍ଠା ନାହିଁ, ଉଦ୍ ବେଗ ନାହିଁ, ଭୟ ନାହିଁ | ରହିଛି ମହାକାଳର ଏକ ଅଜଣା ଦିଗ - ପ୍ରଶାନ୍ତ ଓ କରୁଣାସିଞ୍ଚିତ କାଳାତୀତ ପରିବେଶ | ଚେତନାର ଗୁଣ ପରିବେଶକୁ କେତେ ପ୍ରଭାବିତ କରିପାରେ, ତାହା ଥିଲା ତା’ର ମହତ୍ତମ ଦୃଷ୍ଟାନ୍ତ |
ଶ୍ରୀମା ଯେଉଁ ମହନୀୟ ଚେତନାରେ ରହିବା ଫଳରେ ତାଙ୍କ ପରିବେଶ ସେଭଳି ଅଦଭୁତ ପ୍ରଶାନ୍ତ ହୋଇପାରୁଥିଲା, ସେ ଚେତନାରେ ଥାଇ ସେ ଆଶ୍ରମର ନାନାଦି ସମସ୍ୟା, ହାନିଲାଭ ଓ ସଂଗଠନ ବ୍ୟାପାର କିପରି ବୁଝୁଥିଲେ ?
ସେ ରହସ୍ୟ ବୁଝିବାକୁ ହେଲେ ଶ୍ରୀଅରବିନ୍ଦଙ୍କ ଯୋଗ-ଦର୍ଶନ ମନେ ରଖିବାକୁ ହେବ | ସୃଷ୍ଟି ମାୟା ନୁହେଁ, ଭଗବାନଙ୍କର ଏକ ଛଦ୍ମରୂପ | ଶ୍ରୀମା ଯେତେବେଳେ ସ୍ଥୁଳ ସାଂଗଠନିକ କର୍ମରେ ମନୋନିବେଶ କରୁଥିଲେ, ସେତେବେଳେ ସେ ସ୍ୱୟଂସିଦ୍ଧ ଦିବ୍ୟ ଚେତନାରେ ଥାଇହିଁ ତାହା କରୁଥିଲେ, କାରଣ ସେ ଦିବ୍ୟଶକ୍ତିର ଅସଂଖ୍ୟ ଛଦ୍ମ ବା ସଂଗୁପ୍ତ ବିଚିତ୍ର ରୁପମାନଙ୍କ ସହହିଁ କାରବାର କରୁଥିଲେ | ଅନ୍ୟ ଭାଷାରେ କହିଲେ ତାଙ୍କ ଚେତନାରେ ସେ ସବୁକିଛି ସମ୍ଭାଳି ପାରୁଥିଲେ | ଆଉ ଟିକିଏ ଭିନ୍ନ ଭାଷାରେ କହିଲେ, ଛୋଟ ବଡ ସବୁ କାମ, ସବୁ ସମସ୍ୟା, ତାଙ୍କ ଚେତନାର ଅର୍ନ୍ତଭୁକ୍ତ | ତାଙ୍କ ସନ୍ତାନ ବା ଆଶ୍ରମର ଅନ୍ତେବାସୀମାନଙ୍କୁ ସେ ଶିଖାଇଥିଲେ, ସବୁ କର୍ମ ଭଗବାନଙ୍କୁ ଅର୍ପଣ କରାଯାଇପାରେ ସେତିକି କରିପାରିଲେ କର୍ମହିଁ ହେବ ସାଧନା | ସମଗ୍ର ସୃଷ୍ଟି ଯେହେତୁ ଭଗବାନଙ୍କର ହିଁ ଏକ କର୍ମ କୌଶଳର ପରିଣତି, କର୍ମ ଜରିଆରେ ଜଣେ ତାଙ୍କ ସହ ନିଜକୁ ସାମିଲ୍ କରିପାରେ | ସାଧାରଣ ଜୀବନରେ ଜଣେ ମାଆର ଦୁଇ ଶିଶୁ ପରସ୍ପର କନ୍ଦଳ କଲେ ଯେମିତି କାହାର କେତେ ଦୋଷ ସେକଥା ପ୍ରତି ପରୁଆ ନ କରି ଉଭୟଙ୍କୁ କୋଳେଇ ନେଇ ଶାନ୍ତ କରିପାରେ, ଶ୍ରୀମାଙ୍କ କରୁଣାର କୋଳରେ ପରସ୍ପର-ବିରୋଧୀ କେତେ ସଂସ୍କୃତି, କେତେ ଋଚି, କେତେ ସଂସ୍କାରର ମଣିଷ ସଂହତ ହୋଇ ରହିପାରୁଥିଲେ | ହଜାର ଲୋକଙ୍କ ଦଶ ହଜାର ଧରଣର ସମସ୍ୟା - ମୁଣ୍ଡବିନ୍ଧା, ଚୌକିରେ ଛାରପୋକଠୁ ଆରମ୍ଭ କରି ଧ୍ୟାନ ଧାରଣା ଓ ସାଧନାର ଜଟିଳ ଗୁଢ଼ ସମସ୍ୟାସବୁ ପ୍ରତି ଶ୍ରୀମାଙ୍କ ଦୃଷ୍ଟି ଥିଲା ସମାନ | ଶ୍ରୀମାଙ୍କ ଦିବ୍ୟତା ସମ୍ପର୍କରେ ସାଧକମାନଙ୍କର କେତେ ପ୍ରଗାଢ଼ ଅଭିଜ୍ଞତା ରହିଛି | ସେସବୁର ବର୍ଣ୍ଣନା ଆପାତତଃ ଥାଉ | ତାଙ୍କର ସାମଜିକ ସ୍ଥୁଳ ଆଚରଣହିଁ ତାଙ୍କ ଅନ୍ୟନ୍ୟ ମହାନତାର ପରିଚୟ ଦେଇଥାଏ - ବର୍ଷ ପରେ ବର୍ଷ ସମାନ ଭାବରେ - କ୍ରମାଗତ ଅଧିକରୁ ଅଧିକସଂଖ୍ୟକ ସାଧକ, ସଂଧାନୀ ବା ଏପରିକି ତୁଚ୍ଛା କୌତୁହଳୀ ମଣିଷଙ୍କ ଉପରେ ସେ କରୁଣା ଢ଼ାଳି ଦେଉଥିଲେ | କାହାପ୍ରତି ନିଷ୍କରୁଣ ହେବା ଦୂରର କଥା, ସେ ବିରକ୍ତ ହେବାର ଦୃଷ୍ଟାନ୍ତ ନାହିଁ | ଅଥଚ ଅଜ୍ଞାନତା ପ୍ରସୂତ, କେତେ କନ୍ଦଳ, କେତେ ଆକ୍ରମଣ ତାଙ୍କୁ ସହିବାକୁ ପଡ଼ିଛି |
ସ୍ଥୂଳ ଜଗତର କୋଳାହଳ, ଦେଖାସକ୍ଷାତ, କେତେ ଦେଶବିଦେଶର ରାଷ୍ଟ୍ରପତି, ରାଜାମହାରାଜା, ପ୍ରଧାନମନ୍ତ୍ରୀଙ୍କ ଠୁଁ ଆରମ୍ଭ କରି ଆର୍ତ୍ତ, ଅର୍ଥାର୍ଥୀ ଅସଂଖ୍ୟ ବ୍ୟକ୍ତିଙ୍କୁ ଆପଣା ସମୀପକୁ ସ୍ୱାଗତ କରିବା ଭିତରେ ଶ୍ରୀମା ଅବ୍ୟାହତ ରଖିଥା’ନ୍ତି ତାଙ୍କ ମୁଖ୍ୟ କର୍ମଧାରା - ଆପଣା ଭିତରେ ଅତିମାନସ ରୂପାନ୍ତର- ପ୍ରକ୍ରିୟା | ସୌଜନ୍ୟ, ସାମାଜିକତା ଓ ସଂଗଠନ ବଜାୟ ରଖି ସମାନ୍ତରାଳ ସେ ମହାଯୋଗର ସାଧନା - ତାହା ଏକ ଅକଳ୍ପନୀୟ ଶୃଙ୍ଖଳା | ପ୍ରଥମ ଧାରାର କର୍ମରେ ତାଙ୍କ ବିଧିବିଧାନ ପାଳନ କରିବା ଦିଗରେ, ତାଙ୍କ ଯୋଜନା କାର୍ଯ୍ୟକାରୀ କାରିବା ନିମନ୍ତେ ସେ ତାଲିମ ଦେଇ ତିଆରି କରିଥିଲେ ବହୁ ଯୋଗ୍ୟ ସହକାରୀ | କିନ୍ତୁ ସେମାନଙ୍କ ଭିତରୁ ଯୋଗ୍ୟତମ ବ୍ୟକ୍ତି ମଧ୍ୟ ଶ୍ରୀମାଙ୍କ ଦ୍ୱିତୀୟଧାରାର କର୍ମରେ ତାଙ୍କ ସହାୟତା କରିପାରି ନ ଥା’ନ୍ତେ | ଥରେ ଜଣେ ଅନୁଗତ ସନ୍ଧାନୀ ପ୍ରଶ୍ନ କଲେ, " ଆମେ ଆପଣଙ୍କଠୁଁ କେଉଁ ଯଥାର୍ଥ କଥା ଆଶା କରିପାରୁଁ ?" ଶ୍ରୀମାଙ୍କ ଉତ୍ତର: "ସବୁକିଛି |" ସଂଧାନୀ ପୁଣି ପଚାରିଲେ, "ଆପଣ ପୃଥିବୀରେ ଆପଣଙ୍କ କର୍ମ ସିଦ୍ଧି ପାଇଁ ଆମଠୁଁ ତଥା ମାନବଜାତିଠୁଁ କ’ଣ ଆଶା କରୁଛନ୍ତି?" ଶ୍ରୀମାଙ୍କ ଉତ୍ତର : "କିଛି ନୁହେଁ |" ପୁଣି ପ୍ରଶ୍ନ ହେଲା, "ଆପଣଙ୍କ ଦୀର୍ଘ ଆଭିଜ୍ଞତାରୁ ଆପଣ ଆମଠୁଁ ଓ ମାନବଜାତିଠୁଁ ଯାହା ଆଶା କରୁଥିଲେ ତାହା ଯଥେଷ୍ଟ ମାତ୍ରାରେ ପୂର୍ଣ ହୋଇଛି କି ?" ଶ୍ରୀମାଙ୍କ ଉତ୍ତର : "ଯେହେତୁ ମୁଁ କିଛିହିଁ ଆଶା କରି ନାହିଁ, ତେଣୁ ଏ ପ୍ରଶ୍ନର ଉତ୍ତର ଦେଇ ପାରିବି ନାହିଁ |" ଅର୍ଥାତ ଏକ ନୂତନ ଚେତନାର ପ୍ରତିଷ୍ଠା ଏବଂ ନିଜ ଭିତରେ ସେହି ଚେତନାକୁ ନେଇ ନାନାଦି ଦୁରୂହ ପରୀକ୍ଷା-ନିରୀକ୍ଷାରେ ସେଥିଲେ ସଂପୂର୍ଣ ଏକାକୀ ଧ୍ୟାନରତ କର୍ମରତ ମହାଯୋଗୀ |
ଶ୍ରୀଅରବିନ୍ଦଙ୍କ ଯୋଗରେ ଶ୍ରୀମାଙ୍କ ଭୂମିକା କ’ଣ ?
ଉତ୍ତର ଦୀର୍ଘ ହେବା ସ୍ୱାଭାବିକ | କିନ୍ତୁ ଯଥାସମ୍ଭବ ସଂକ୍ଷେପରେ କହୁଛି | ଶ୍ରୀମାଙ୍କ ନିଜ କହିବା ଅନୁସାରେ, ଶ୍ରୀଅରବିନ୍ଦଙ୍କ ବିନା ତାଙ୍କ ଅସ୍ତିତ୍ୱହିଁ ନାହିଁ | ତାଙ୍କ ବିନା ଶ୍ରୀଅରବିନ୍ଦ ଅପ୍ରକଟିତ | ଏଥିରୁ ଆମେ ବହୁକିଛି ହୃଦୟଙ୍ଗମ କରିପାରିବା, ଯଦି କଥାଟି ଉପରେ ଚିତ୍ତନିବେଶ କରିବା |ଶ୍ରୀଅରବିନ୍ଦ ଏକ ଚେତନା- ମାନବ-କଳେବରରେ ଏଯାଏ ସମ୍ଭବ ମହତ୍ତମ ଚେତନା | ସେହି ଚେତନାକୁ କାର୍ଯ୍ୟକାରୀ କରାଇବା ଦିଗରେ ଶ୍ରୀମା ହେଲେ ମହାଶକ୍ତି | ଏସବୁ ଅବଶ୍ୟ ଅନୁଭବ ଓ ଉପଲବ୍ଧିର କଥା | ଆଧ୍ୟାତ୍ମିକ ରହସ୍ୟର ଅନ୍ୟ ଏକ ଦିଗକୁ ଆସିବା | ଆଧ୍ୟାତ୍ମିକ ସାଧନାର ଦୁଇ ପ୍ରଧାନ ମାର୍ଗ : ଯୋଗ ଓ ତନ୍ତ୍ର | ଯୋଗର ଦିଗଦର୍ଶକ ଯୋଗେଶ୍ୱର ପ୍ରଭୁ | ତନ୍ତ୍ରର ଦିଗ୍ ଦର୍ଶକ ପ୍ରକୃତି ବା ମହାଶକ୍ତି | ଶ୍ରୀଅରବିନ୍ଦ ହେଲା ପୂର୍ଣଯୋଗ - ଯାହା ପ୍ରକୃତିର ବିଦ୍ୟାୟନ ବା ରୂପାନ୍ତର କରିବାକୁ ସକ୍ଷମ ହେବ | ତେଣୁ ସେ ଯୋଗରେ ଉଭୟ ଈଶ୍ୱର ଏବଂ ଶକ୍ତିର ସମନ୍ୱୟ ଲୋଡା |
ବର୍ତ୍ତମାନ ସାମାଜିକ ପର୍ଯାୟକୁ ଆସିବା | ଶ୍ରୀଅରବିନ୍ଦଙ୍କ ଯୋଗର ପଟ୍ଟଭୂମି ଭାରତବର୍ଷ; କିନ୍ତୁ ଏହା ସମଗ୍ର ମାନବଜାତିର ବିବର୍ତ୍ତନୀ ଭବିଷ୍ୟତ୍ ସହ ସଂପୃକ୍ତ | ତେଣୁ ସେ ଦିବ୍ୟ ଯୋଯନାର ପ୍ରାଚ୍ୟ ପ୍ରଜ୍ଞା ଓ ପାଶ୍ଚ୍ୟାତ ପ୍ରତିଭାର ସମନ୍ୱୟ ଥିଅଲା ଅନିବାର୍ଯ୍ୟ | ଶ୍ରୀମା ପାଶ୍ଚ୍ୟାତ୍ୟର ମହତ୍ତମ ସଂସ୍କୃତିର ଓ ଜ୍ଞାନର ପ୍ରତିଭୂ | ପରିଶେଷରେ ଆମକୁ ମନେ ରଖିବାକୁ ପଡିବ, ଶ୍ରୀମାଙ୍କୁ ଆମେ ସ୍ଥୂଳ କଳେବରରେ ଦେଖିଛୁଁ; ତାଙ୍କ ଛବି ଦେଖିଛୁଁ | କିନ୍ତୁ ପ୍ରକୃତରେ ଶ୍ରୀମା ଏକ ଦିବ୍ୟପ୍ରେମ; ବିଶ୍ୱବ୍ୟାପି ଚେତନା ଭିତରେ କର୍ମରତ ଏକ ଦିବ୍ୟଶକ୍ତି | ଆମ ନିଜ ନିଜ ଚେତନା ଯେତିକି ମାତ୍ରାରେ ପ୍ରଶାରିତ ହେଉଥିବ ଏବଂ ସେ ମହାଚେତନା ପ୍ରତି ଶ୍ରଦ୍ଧାଶୀଳ ଓ ଉନ୍ମୁକ୍ତ ହେଉଥିବ, ଆମେ ସେତିକି ମାତ୍ରାରେ ତାଙ୍କ ପରିଚୟ ପାଉଥିବା | ସ୍ଥୂଳ ଜଗତରେ ତାଙ୍କ ସ୍ଥାୟୀ କୃତିର ଅବଶ୍ୟ ପଟାନ୍ତର ନାହିଁ | ଶ୍ରୀଅରବିନ୍ଦ ଆଶ୍ରମ, ଶିକ୍ଷାକେନ୍ଦ୍ର, ଅରୋଭିଲ୍ - ଏସବୁ ପରିକଳ୍ପନା ଓ ଏସବୁର ରୂପାୟନ ବିଶାଳ, ସନ୍ଦେହ ନାହିଁ | କିନ୍ତୁ ସମୂଦ୍ର ଉପରେ ଲହରୀ ଭଳି ଏସବୁ ସେ ସୀମାହୀନ ଚେତନାର ସଙ୍କେତ ଓ ସନ୍ତକ ମାତ୍ର |