Loading...

Kabi Kunjabihari Das and Kabi Radhamahon Gadanayak

କବି କୁଞ୍ଜବିହାରୀ ଦାଶ ଓ କବି ରାଧାମୋହନ ଗଡ଼ନାୟକ

ଏ ଲେଖକ ଜିଲ୍ଲା ସ୍କୁଲରେ ପଢ଼ିବାବେଳେ ବାଲେଶ୍ବର କଲେଜକୁ ଅଧ୍ୟାପକ ରୂପେ ଆସିଥାନ୍ତି ପ୍ରଖ୍ୟାତ କବି କୁଞ୍ଜବିହାରୀ ଦାଶ୤ ସେତେବେଳେ ବିଭିନ୍ନ ପତ୍ର ପତ୍ରିକାରେ ମୁଁ କବିତା ହିଁ ଲେଖୁଥାଏ ୤ କିଛି କିଛି ତାଙ୍କ ଦୃଷ୍ଟିକୁ ଆସିଥାଏ୤ ମୋ ସହ ପରିଚୟ ହେବା ମାତ୍ରେ ସେ ହେଲେ ଉଚ୍ଛ୍ବସିତ ପ୍ରଶଂସାରେ ମୁଖର୤ ମୋର ବି ମନେଥିଲା ତାଙ୍କର ଗୋଟାଏ କବିତାର ପ୍ରଥମାର୍ଦ୍ଧ୤ ତାଙ୍କୁ ଶୁଣାଇଦେଲି୤ ତାଙ୍କ ଆଖି ଛଳ ଛଳ ହେବାର ଦେଖି ଶଙ୍କି ଗଲି୤ ପରେ ବୁଝିଲି, ସେ ସ୍ବଭାବତଃ ଭାବପ୍ରବଣ୤ (୧୯୮୦ରେ ମୋର ସାରଳା ପୁରସ୍କାର ପ୍ରାପ୍ତି ସଭାରେ ସେ ସ୍ବାଗତ ଭାଷଣ ଦେଇ ଏକହିଁ ଭାବପ୍ରବଣତା ସହକାରେ ତାଙ୍କ ସହ ମୋର ପ୍ରଥମ ଦେଖାର ସ୍ମୃତି ଚାରଣ କରିଥିଲେ୤)

ଭାବପ୍ରବଣ ଭାଷାରେ ହିଁ ଦିନେ ସେ ମୋତେ ଆଉ ଜଣେ ମହାନ କବିଙ୍କ ସହ ପରିଚୟ କରାଇଦେଲେ୤ ବାଲେଶ୍ବରର ଶାନ୍ତିକାନନ ରାସ୍ତାରେ ଏ ସ୍କୁଲ ଛାତ୍ରଟି ତାଙ୍କୁ ଦୂରରୁ ନମସ୍କାରଟିଏ ପକାଇ ବାଟ ଭାଙ୍ଗି ଚାଲି ଯାଉଥିଲା୤ ସେ କିନ୍ତୁ ଅଟକି ରହିଲେ, ଅଟକାଇ ରଖିଲେ ତାଙ୍କ ସହପଥିକ ଜଣଙ୍କୁ୤ ମୋତେ ପାଖକୁ ଡାକି ପଚାରିଲେ, ‘‘ମୋର ଏ ବନ୍ଧୁଙ୍କୁ ଚିହ୍ନିଛ ?’’

କୁଞ୍ଜବିହାରୀ ବିପୁଳାୟତନ; ଦୀର୍ଘକାୟ୤ ତାଙ୍କ ବନ୍ଧୁ ଚଞ୍ଚଳ, କ୍ଷୀଣକାୟ୤

‘‘ ନାହିଁ ଆଜ୍ଞା୤’’

‘‘ରାଧାମୋହନ ଗଡ଼ନାୟକ୤’’

ଚମତ୍କୃତ ହେଲି୤

‘‘ଆପଣଙ୍କର କେଡ଼େ କବିଜନୋଚିତ ନାମ୤ ଆଉ ମୋର ? ମରହଟ୍ଟି ରାଧାମୋହନ !’’ କହିଲେ କବି୤

‘‘ମୋତେ ‘ଆପଣ’ ନ କହିଲେ କୃତଜ୍ଞ ହେବି ’’ ମୁଁ କହିଲି୤

‘‘ଆପାତତଃ କବି ମନୋଜଙ୍କ ସହ ଆଳାପ ହେଉଛି; ସ୍କୁଲ୍ ଛାତ୍ରଟିଏ ସହ ନୁହେଁ୤ ତେବେ ପରିଚୟ ନିବିଡ଼ ହେଲେ ବଳେ ବଳେ ଆପଣରୁ ତୁମେ କୁ ଆସିଯିବ୤’’ ପ୍ରତିଶୃତି ଦେଲେ ଗଡ଼ନାୟକ୤

ପରିଚୟ ପରେ ପ୍ରାୟ ବନ୍ଧୁତାରେ ପରିଣତ ହୋଇଥିଲା୤ ୧୯୫୫ରୁ ୧୯୬୨ – ମୋର ଆଠବର୍ଷର କଟକ ବାସ ବେଳେ ସେ ଯେତେଥର ସହରକୁ ଆସିଛନ୍ତି, ମୋତେ ନ ଭେଟି ଲେଉଟି ଯାଇ ନାହାନ୍ତି ସମ୍ଭବତଃ୤ ଏ ଆଠବର୍ଷର ପ୍ରଥମ ଚାରିବର୍ଷ ମୁଁ ଥିଲି ଛାତ୍ର (ଆଇନ୍ ଓ ରେଭେନ୍ସା କଲେଜ)୤ ସେ ପର୍ଯ୍ୟାୟରେ ସେ କଟକରେ ଥିବା ଭିତରେ ମୋର ସିଗାରେଟ ଖର୍ଚ୍ଚ ବହନ କରିବେ, ଏହା ଥିଲା ଏକ ଅଲିଖିତ କାନୁନ୍୤ ତାଳଦଣ୍ଡା କେନାଲ୍ ଉପରେ ଗୋଟାଏ ଭଡ଼ା କୋଠରୀରେ ରହୁଥିଲି କିଛିଦିନ୤ ଦିନେ ମଧ୍ୟାହ୍ନରେ କିଞ୍ଚିତ୍ ନିଦ୍ରା ପରେ ଉଠି ବସିବା ବେଳକୁ ମୋ ଛାତି ଉପରୁ ଖସି ପଡ଼ିଲା ଗୋଟିଏ ଅଖୋଲା ସିଗାରେଟ୍ ପ୍ୟାକେଟ୍୤ କିଏ ଏ ନିଷ୍କାମ ହିତୈଷୀ ? ତରବର ହୋଇ ରାସ୍ତାକୁ ଯାଇ ଦେଖିଲି, ଦୂରରେ ଦଳେ ଲୋକଙ୍କ ଭିତରେ ହଜି ଯାଉଛନ୍ତି କବିବର୤

ବହୁତ ବର୍ଷପରେ ମୁଁ ଓଡ଼ିଶା ଯାଇଥିବା ଅବସରରେ ତାଙ୍କ ସହ ଦେଖା ହୋଇଗଲା ଭୁବନେଶ୍ବରର ଏକ ରାଜପଥରେ୤ ସେ ବିମର୍ଷ ଦିଶୁଥିଲେ୤ କହିଲେ, ‘‘ଗତକାଲି ଓଡ଼ିଶା ସାହିତ୍ୟ ଏକାଡ଼େମିର ଉପସଭାପତି ରୂପେ ମୋର କାର୍ଯ୍ୟକାଳ ପୁରିଗଲା୤ ସମସ୍ତେ ପଚାରୁଛନ୍ତି, ମୋତେ କାହିଁକି ସଭାପତି କରା ନ ଗଲା ?’’

‘‘ଆନନ୍ଦର କଥା୤’’ ମୁଁ ମୋର ପ୍ରତିକ୍ରିୟାରେ କହିଲି୤

ସେ ପ୍ରଶ୍ନବାଚୀ ଦୃଷ୍ଟିରେ ଅନାଇଲେ୤

‘‘ସମସ୍ତେ ପଚାରୁଛନ୍ତି ଅର୍ଥ ସମସ୍ତେ କହୁଛନ୍ତି ଆପଣ ସେଥିପାଇଁ ଥିଲେ ଯୋଗ୍ୟ୤ ଏଇଟା ଆନନ୍ଦର କଥା ନୁହେଁ ? ଯଦି ସମସ୍ତେ ଭାବୁଛନ୍ତି ଆପଣ ଯୋଗ୍ୟ, ତେବେ ଆପଣ ସଭାପତି ନ ହେବାଟା ଅଯୋଗ୍ୟତା ନୁହେଁ ନିଶ୍ଚୟ !’’ କହିଲି୤

ଏଥର ସେ ହସିଲେ୤ ତା’ପରେ ତାଙ୍କୁ କହିଲି, ‘‘ମୁଁ ଆନନ୍ଦିତ ଭିନ୍ନ ଏକ ପର୍ଯ୍ୟାୟରେ ମଧ୍ୟ୤’’

‘‘ଅର୍ଥ ?’’

‘‘ଆସନ, ଉପାସନ, ଉପାଧି, ପୁରସ୍କାର – ଏସବୁ ପ୍ରତି ଆପଣଙ୍କର ଯଦି ଯତ୍‌କିଞ୍ଚିତ୍ ମୋହ ଥିବ, ତେବେ ମୋହଭଙ୍ଗ ଦିଗରେ ଏହା ଏକ ବିଧିପ୍ରଦତ୍ତ ଆଶୀର୍ବାଦ ରୂପେ ଆପଣ ଗ୍ରହଣ କରିବା ଉଚିତ୍୤ ଆପଣଙ୍କୁ ସେ ସୁଯୋଗ ମିଳିଲା, ସେ ପାଇଁ ମୁଁ ଆନନ୍ଦିତ୤

ତାଙ୍କ ପ୍ରତିକ୍ରିୟା ଅବଶ୍ୟ ଜାଣିପାରିଲି ନାହିଁ୤ ପରସ୍ପର ବିଦାୟ ନେଲୁଁ୤ ତାହା ହିଁ ଥିଲା ତାଙ୍କ ସହ ଶେଷ ସାକ୍ଷାତ୍୤


About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.