Loading...

Juba Bharatara Swapna( In Odia)

ଯୁବ ଭାରତର ସ୍ବପ୍ନ

କୌଣସି ଏକ ବିଷୟ ବା ବ୍ୟକ୍ତି ପ୍ରତି ଅଭିନନ୍ଦନ ଜଣାଇବାକୁ ଗଲାବେଳେ ମନ ଭିତରେ ଚକିତରେ ଏଇ ଶଙ୍କାର ଉଦୟ ହୁଏ: – ଅଭିନନ୍ଦନ ଯାହା ବା ଯେଉଁମାନଙ୍କ ପ୍ରତି ଉଦ୍ଦିଷ୍ଟ, ସେମାନଙ୍କ ଭିତରେ ତାହାର ଐକାନ୍ତିକତା ଯଥାଯଥ ଭାବରେ ଅନୁଭୂତ ହେବ ତ ? ଗଣ-ରାଜନୀତିର ଏଇ ଉଦ୍‌ବେଳିତ ଯୁଗରେ ଭାଷାର ଆଡ଼ମ୍ବର ଓ ଶବ୍ଦରାଶିର ଦାୟିତ୍ବହୀନ ବ୍ୟବହାର ସୀମାଲଂଘନ କରିଯାଇଛି୤ ମୁଦ୍ରାସ୍ଫୀତି ହେଲେ ଯେପରି ମୁଦ୍ରାର ବାହୁଲ୍ୟ ସାଥେ ସାଥେ ତାର ଅନ୍ତର୍ମୂଲ୍ୟ ହ୍ରାସ ହୁଏ ଆଜି ଶବ୍ଦ କ୍ଷେତ୍ରରେ ଠିକ୍ ସେହିଭଳି ଅବସ୍ଥାର ଉଦ୍‌ଭବ ହୋଇଛି୤ କହିବା ବାହୁଲ୍ୟ, ଶବ୍ଦସ୍ପୀତିର ଏଇ ଯୁଗରେ ଅଭିନନ୍ଦନ ନାମରେ ଯେଉଁ ସବୁ ଶବ୍ଦ ସବୁ ବ୍ୟବହୃତ ହୁଏ, ପ୍ରାୟଶଃ ସେ ସବୁର ଉଦ୍ଦେଶ୍ୟ ହୋଇଥାଏ ଲଜ୍ଜା-ପରିହୃତ ଖୋସାମଦି୤ ଅତଏବ ଯେତେବେଳେ ନିଷ୍କପଟ ଅଭିନନ୍ଦନ ପାଇଁ ମଧ୍ୟ ନିରୂପାୟ ହୋଇ ସେହି ବହୁଳ ଦୁର୍ବ୍ୟବହୃତ ଶବ୍ଦରାଜିକୁ ହିଁ ପ୍ରୟୋଗ କରିବାକୁ ହୁଏ, ସେତେବେଳେ ଏଭଳି ଆଶଙ୍କା ହେବା ସ୍ବାଭାବିକ୤

ଏଇ ସାମାନ୍ୟ ଭୂମିକାର କାରଣ, ‘ଯୁବଭାରତ’ ନାମଟି ଏଇ ଲେଖକକୁ ଅତି ଚମତ୍କାର ଲାଗିଛି୤ ଯେଉଁ ମାନଙ୍କ ଦ୍ବାରା ଏହା ନିର୍ଦ୍ଧାରିତ ହୋଇଛି, ସେମାନେ ଯେଉଁ ଭାବରେ ଏହି ଶବ୍ଦ-ଯୋଜନା କରିଥାଆନ୍ତୁ ନା କାହିଁକି, ସେମାନଙ୍କୁ ଏ ଲେଖକର ପ୍ରଚୁର ଅଭିନନ୍ଦନ୤ ଦୁର୍ଭାଗ୍ୟବଶତଃ ଆଜି ଅବଶ୍ୟ ‘ଯୁବ ସମାଜ’, ‘ଭାରତବର୍ଷ’ ଇତ୍ୟାଦି ଶବ୍ଦ ସମାହାରରେ ବହୁ ଉଦାତ୍ତ ବକ୍ତୃତାର ଅନ୍ତ ନାହିଁ୤ ଏକପକ୍ଷରେ କ୍ରମାଗତ ଭାବରେ ନିଜର ସ୍ବାର୍ଥସାଧନ ପାଇଁ ଯୁବସମାଜକୁ ବିପଥରେ ପରିଚାଳିତ କରୁଥିବା ତଥାକଥିତ ନେତାମାନଙ୍କ ତୁଣ୍ଡରେ ଯୁବ-ସମାଜର କର୍ତ୍ତବ୍ୟ ସଂପର୍କରେ ଅନର୍ଥକ ଉପଦେଶ ଓ ଅନ୍ୟ ପକ୍ଷରେ ବିକଳାଙ୍ଗ, ଅପ୍ରାକୃତିକ ଭାରତବର୍ଷକୁ ନିର୍ବିକାର ଭାବରେ ଅଟଳ ବାସ୍ତବତା ହିସାବରେ ମାନି ନେଇଥିବା ବ୍ୟକ୍ତିବର୍ଗଙ୍କ ତୁଣ୍ଡରେ ଭାରତର ଗୌରବୋଜ୍ଜଳ ଭୂମିକା ସଂପର୍କରେ ଆସ୍ଫାଳନ ଶୁଣି ଶୁଣି ମଧ୍ୟ ଏଭଳି ଏକ ନାମ-କରଣ କରିବା ଦିଗରେ ଏ ପତ୍ରିକାର ଉଦ୍ୟୋକ୍ତାମାନେ ଯେ ବୀତସ୍ପୃହ ହୋଇନାହାନ୍ତି, ତାହା ହିଁ ‘ଯୁବ’ ଓ ‘ଭାରତ’, ଏ ଉଭୟ ଶବ୍ଦର ଅମଳିନ ମହିମାର ଅବିସମ୍ବାଦିତ ଦଲିଲ୤

ପ୍ରଥମେ ‘ଯୁବ’, – ଯୁବସମାକ କଥା ଆଳୋଚନା କରାଯାଉ୤ ଯୁବ-ସମାଜକୁ ନେଇ କେବଳ ଭାରତବର୍ଷରେ

ନୁହେଁ, ସାରା ପୃଥିବୀରେ ଆଜି କିଂକର୍ତ୍ତବ୍ୟବିମୂଢ଼ତାର ଅନ୍ତ ନାହିଁ୤ ମନସ୍ତତ୍ତ୍ବର ନିର୍ଦ୍ଧାରଣ ଅନୁସାରେ, ପ୍ରତ୍ୟେକ ଯୁଗର ଶୁକ୍ଳକେଶଗୋଷ୍ଠୀ ସେହି ଯୁଗର ଉଦୀୟମାନ ସଂପ୍ରଦାୟ ଉଦ୍ଦେଶ୍ୟରେ ଭ୍ରୂକୁଞ୍ଚନ କରିବା ଅବଶ୍ୟ ଏକ ଅବଧାରିତ ଅଭ୍ୟାସ୤ କିନ୍ତୁ ଆଜିର ଯୁବସମାଜ ବିରୁଦ୍ଧରେ ଯେଉଁ ଅଭିଯୋଗ, ତାହା ସେହି ଚିରାଚରିତ ପ୍ରଥାର ପୁନରାବୃତ୍ତି କଦାପି ନୁହେଁ୤ ଆଜିର ଯୁବ ସମାଜକୁ ନେଇ ପୃଥିବୀ ସନ୍ତ୍ରସ୍ତ, ସେହି ଯୁବସମାଜର ଚିନ୍ତାଶୀଳଗୋଷ୍ଠୀ ହିଁ ସମସ୍ୟାର ଗୁରୁତ୍ବକୁ ଉପଲବ୍‌ଧି କରି ବିଷାଦ ଗ୍ରସ୍ତ୤ ଏ ସମସ୍ୟା ଏଭଳି ବିଶ୍ବବ୍ୟାପୀ ଯେ, ଏହାର ସର୍ବାଙ୍ଗୀନ ରୂପ ସଂପର୍କରେ ଏଠାରେ ସୂଚନା ଦେବା ମଧ୍ୟ ସଂଭବପର ନୁହେଁ୤ କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ, ଆଜିର ଯୁବ ସମାଜ ଯେଉଁ ସମସ୍ୟାର ଅବତାରଣା କରିଛି, ତାହା ଆଗରେ ପ୍ରବୁଦ୍ଧ ମନୋବୈଜ୍ଞାନିକର ତତ୍ତ୍ବ ବା ସମାଜ ବିଜ୍ଞାନୀର ବିଶ୍ଳେଷଣ, ସବୁକିଛି ପାଣି ଫାଟି ଯାଇଛି୤ ବିଶେଷକରି ୟୁରୋପର ବାତାବରଣରେ ଏହାକୁ ନେଇ ଆଜି ସୃଷ୍ଟି ହୋଇଛି ଏକପ୍ରକାର ଦୁର୍ଲଂଘ୍ୟ ଗ୍ଲାନିବୋଧ୤

ଯୁବ ସମାଜକୁ ନେଇ ଯେଉଁ ସମସ୍ୟାଟି ଦେଖା ଦେଇଛି, ତାହା ଆଉ କିଛି ନୁହେଁ – କେବଳ ଏକ ପ୍ରକାର ଅର୍ଥହୀନ ବିଶୃଙ୍ଖଳା୤ ଉଦ୍ଦାମ ଯୌବନର ଗତିଶୀଳ କୂଳଲଂଘନ ଏହା ନୁହେଁ, କିମ୍ବା ଏକ ସ୍ବପ୍ନାନୁରଞ୍ଜିତ ଭବିଷ୍ୟତ ଉଦ୍ଦେଶ୍ୟରେ ଗଠନଶୀଳ ବିପ୍ଳବ ବି ଏହା ନୁହେଁ୤ ପ୍ରାୟତଃ ସନ୍ତ୍ରାସବାଦରେ ରୂପାନ୍ତରିତ ଏକ ବିଶୃଙ୍ଖଳା କେବେ ବା ଗୋଷ୍ଠୀଗତ, କେବେ ବା ଏକକ୤ କେବେ ବା ଏହା ଏକ ଅଶ୍ଳୀଳ ଆନ୍ଦୋଳନର ରୂପ ନେଉଛି, କେବେ ବା ସଂପୂର୍ଣ୍ଣ ଅର୍ଥହୀନ ଏକ ଅନ୍ଧ ହଟ୍ଟଗୋଳରେ ଏହା ପର୍ଯ୍ୟବେସିତ ହେଉଛି୤ ଏହି ସବୁ ଘଟଣାବଳୀ ପଛରେ କିଭଳି ପ୍ରେରଣା ରହିଛି ? କେଉଁ ଶକ୍ତି ବା ଏହାକୁ ନିୟନ୍ତ୍ରିତ କରୁଛି ?

ଅନେକ-ଦିନ ପର୍ଯ୍ୟନ୍ତ ଅନେକେ ଯୁକ୍ତି ଦେଉଥିଲେ ଯେ ଏକ ସୁସ୍ଥ ଜୀବନଯାପନର ପ୍ରତିଶୃତିର ଅଭାବ ୟୁରୋପର ଯୁବ ବିଶୃଙ୍ଖଳା ସକାଶେ ଦାୟୀ୤ ସ୍ବାଭାବିକ ଜୀବନଯାତ୍ରା ସକାଶେ ପ୍ରେରଣାର ଅଭାବ ହିଁ ବିଶୃଙ୍ଖଳା ସକାଶେ ପ୍ରେରଣାର ଉତ୍ସ୤ ଉପଯୁକ୍ତ ଶିକ୍ଷାଲାଭ ପାଇଁ ସୁଯୋଗର ଅଭାବ, ବେକାର ସମସ୍ୟା ଇତ୍ୟାଦି ଯୁବ-ବିଶୃଙ୍ଖଳାର କାରଣ ରୂପେ ନିର୍ଦ୍ଧାରିତ କରାଯାଉଥିଲା୤ କିନ୍ତୁ ସାଂପ୍ରତିକ ଘଟଣାବଳୀ ଏସବୁ କାରଣକୁ ଅଯଥାର୍ଥ ବୋଲି ପ୍ରମାଣିତ କରିଦେଇଛି୤ ବିଶୃଙ୍ଖଳା-ମାନଙ୍କର ଏକ ବିପୁଳ ଅଂଶ ଆଗରେ ଶିକ୍ଷାଲାଭ, ଉପଯୁକ୍ତ ଚିକିତ୍ସା, ଖେଳ କସରତର ବ୍ୟବସ୍ଥା, ସାଂସ୍କୃତିକ ବିନୋଦନ ଇତ୍ୟାଦି କୌଣସି ବିଷୟରେ ସୁଯୋଗର ଅଭାବ ନାହିଁ୤ ସେମାନଙ୍କ ଭବିଷ୍ୟତ ଜୀବନପାଇଁ ମଧ୍ୟ ବହୁ ଯୋଜନାବଦ୍ଧ ପଥ ଉନ୍ମୁକ୍ତ୤ ଶିକ୍ଷାଲାଭ ସମୟ ବା ଚାକିରି ସମୟ ବାହାରେ ଯେତିକି ସମୟ ସେମାନଙ୍କ ହାତରେ ଥାଏ, ତାକୁ ବ୍ୟୟ କରିବା ସକାଶେ ଅଜସ୍ର ପାର୍କ, ପାଠାଗାର, ଥିଏଟର୍‌, ସିନେମା, ଖେଳକସରତ୍, ଭ୍ରମଣ ତଥା ଆଡ଼୍‌ଭେଞ୍ଚରର ବିପୁଳ ଆୟୋଜନ ୟୁରୋପୀୟ ସମାଜ କରିଛି୤

ତେଣୁ ଜୀବନଯାତ୍ରାର ଅନିଶ୍ଚିୟତା-ସଂଜାତ ଅସନ୍ତୋଷ ହିଁ ଆଜିର ଯୁବ – ବିଶୃଙ୍ଖଳାର କାରଣ, ଏକଥା ହୁଏତ ଭାରତବର୍ଷ ଭଳି କୌଣସି ଦେଶପ୍ରତି ଆଂଶିକ ଭାବରେ ପ୍ରଯୁଜ୍ୟ ହୋଇପାରେ, କିନ୍ତୁ ୟୁରୋପର ମୁଖ୍ୟ ଦେଶମାନଙ୍କ ସଂପର୍କରେ ନୁହେଁ୤

କିନ୍ତୁ ବିଶୃଙ୍ଖଳା ପଛରେ ଯେ ଅସନ୍ତୋଷ ରହିଛି, ଏଥିରେ ସନ୍ଦେହ ନାହିଁ, ଏବଂ ସେ ଅସନ୍ତୋଷ ଯେ ଏକପ୍ରକାର ଅନିଶ୍ଚିୟତା ଭିତରୁ ଉଦ୍ଭୂତ, ତାହା ମଧ୍ୟ ସତ୍ୟ୤ କିନ୍ତୁ ସେ ଅନିଶ୍ଚୟତାର ସ୍ବରୂପ ଅତି ବ୍ୟାପକ, ସୁଦୂରପ୍ରସାରୀ ତାର ମୂଳ – ଯେଉଁ ଅର୍ଥରେ ସଚରାଚର ଅନିଶ୍ଚୟତା ବୋଲି କୁହାଯାଉଛି, ସେ ଅର୍ଥରେ ନୁହେଁ୤

ଏ ଅନିଶ୍ଚୟତା ସମଗ୍ର ମାନବଜାତିର ଭବିଷ୍ୟତର ଅନିଶ୍ଚୟତା୤ ଏକ ସାମୟିକ ଆର୍ଥନୀତିକ ସଙ୍କଟ ଭିତରେ ନିପତିତ ଯୁବ-ସମାଜର ଭବିଷ୍ୟତ ବୃତ୍ତିଗତ ଅନିଶ୍ଚୟତା ଏ ନୁହେଁ; ମାନବଜାତି ଆକ୍ଷରିକ ଅର୍ଥରେ ଏ ପୃଥିବୀରେ ତିଷ୍ଠି ରହିବ କି ନାହିଁ, ସେହି ପ୍ରଶ୍ନଗତ ଉତ୍ତରର ଅନିଶ୍ଚୟତା ହିଁ ଆଜିର ବିଶ୍ବବ୍ୟାପୀ ବିଶୃଙ୍ଖଳାର ଉତ୍ସ୤ ଅର୍ଦ୍ଧଚେତନ ଅବସ୍ଥାରେ ହେଉ ବା ଅଚେତନ ଅବସ୍ଥାରେ ହେଉ, ଏହି ଅନିଶୟତା ଆତଙ୍କ ଓ ବିଷାଦର ଭୟାବହ ପ୍ରେତଛାୟାରୂପେ ସମଗ୍ର ବିଶ୍ବମାନସର ଅଭ୍ୟନ୍ତରରେ ପ୍ରସାରିତ୤ ମାନବଜାତି ତିଷ୍ଠି ରହିବା ସଂପର୍କରେ ସନ୍ଦେହ ବା ପ୍ରଶ୍ନ କାହିଁକି ଉଠୁଛି, ତାହା ଏକ ବ୍ୟାପକ ପ୍ରସଙ୍ଗ୤ ଅକ୍ଷମଣୀୟ ସଂକ୍ଷେପରେ କହିବାକୁ ଗଲେ – ବିବର୍ତ୍ତନର ଯେଉଁ ଆହ୍ବାନ ସହିତ ତାଳ ଦେବାପାଇଁ ଚେତନାର ସ୍ତର ପରେ ସ୍ତର ବିକଶିତ ହୋଇ ମାନବ ଭିତରେ ଆଜିର ସୁତୀବ୍ର ବୁଦ୍ଧିଦୀପ୍ତ ମାନସସ୍ତର ଦେଖା ଦେଇଛି, ବିବର୍ତ୍ତନର କ୍ରମାଗତ କ୍ଷିପ୍ରତର ଆହ୍ବାନ ସହିତ ତାଳ ଦେବାପାଇଁ ବର୍ତ୍ତମାନ ଅବସ୍ଥାରେ ତାହା ଆଉ ସକ୍ଷମ ନୁହେଁ୤ ତାର ଏଇ ଶାଣିତ ବୁଦ୍ଧିକୁ ନେଇ ମନୁଷ୍ୟର ଅହଂକାରର ଅନ୍ତ ନାହିଁ ଆଜି୤ ଅହଂକାରର ଅନ୍ଧକାର ଭିତରେ ଆଚ୍ଛନ୍ନ ରହି ସେ ଆତ୍ମିକ ବିକାଶ ବା ବିବର୍ତ୍ତନୀ ପ୍ରଗତିର ସ୍ପୃହାଠୁଁ ଦୂରେଇ ଯାଇଛି୤ ତାର ଏଇ ସ୍ଥାଣୁତ୍ବର ସୁଯୋଗ

ନେଇ ତାର ଆପଣା ବୁଦ୍ଧି-ସଂଜାତ ବିଜ୍ଞାନର ବିଭୀଷିକା ତାକୁ ଆଜି ସଂହାର କରିବାକୁ ଉଦ୍ୟତ୤ ବିବର୍ତ୍ତନର ବିଚିତ୍ର ଗତିପଥରେ ଅନୁରୂପ କାରଣରୁ କେତେ ଯେ ଜୀବଜାତି ସ୍ବ ସ୍ବ ସତ୍ତା ହରାଇଛନ୍ତି, ତାର ଇୟତ୍ତା ନାହିଁ୤ ଯେଉଁ ପ୍ରାଧାନ୍ୟର ଅହଂକାର ତାକୁ ସ୍ଥାୟିତ୍ବର ଆଶ୍ବାସ ଦେଉଛି, ସେହି ପ୍ରାଧାନ୍ୟର ଅହଂକାର ହିଁ ତାର ବିନାଶର କାରଣ ହୋଇପାରେ୤

ଆଉ ଏକ ପ୍ରଶ୍ନ ଏଠାରେ ସ୍ବାଭାବିକ ଭାବରେ ଆସୁଛି ଯେ ନିଜର ସ୍ଥିତି ସଂପର୍କୀୟ ଅନିଶ୍ଚୟତା ଅଚେତନ ଭାବରେ ବା ଅର୍ଦ୍ଧଚେତନ ଭାବରେ ମନୁଷ୍ୟ ଭିତରେ ଉପସ୍ଥିତ ରହିଛି – ଏହାର ବା ପ୍ରମାଣ କ’ଣ ?

ଏହାର ଉତ୍ତରରେ ଏତିକି କୁହାଯାଇପାରେ ଯେ, ମନୁଷ୍ୟ କେବଳ ଯେ ଅନିଶ୍ଚୟତା ଭିତରେ ଅଛି, ତାହା ନୁହେଁ୤ ନିଷ୍ଠୁର ହେଲେ ବି ଏକଥା ସତ୍ୟ ଯେ ସେ ଅବଚେତନ ସ୍ତରରେ ନିଜର ବିନାଶକୁ ଅବଧାରିତ ସତ୍ୟରୂପେ ଗ୍ରହଣ କରିସାରିଛି୤ ପୃଥିବୀର ଇତିହାସରେ ଏଭଳି କୌଣସି ଯୁଗର ଉଦାହରଣ ନାହିଁ, ଆଜିର ଯୁଗଭଳି ଯେଉଁ ଯୁଗରେ ସମଗ୍ର ମାନବଜାତିର ଭାଗ୍ୟ କଳ୍ପନାତୀତ ଶକ୍ତିଶାଳୀ ମାରଣାସ୍ତ୍ର ସମୂହର ନିୟନ୍ତ୍ରକ କେତୋଟି ମାତ୍ର ସୁଇଚ୍ ବୋର୍ଡ଼ ଉପରେ ନିର୍ଭର କରୁଥିଲା୤ ବର୍ଷ ପରେ ବର୍ଷ ଧରି ଯେ କ୍ରମାଗତ ଭାବରେ ପରମାଣୁ ଉଦଜାନ ଏବଂ ସର୍ବୋପରି ଅଚିନ୍ତ୍ୟନୀୟ ଭୟାବହ ଧ୍ବଂସଶକ୍ତି Anti-matter ଉପରେ ଗବେଷଣା ହୋଇ ଏକପରେ ଏକ ପ୍ରଳୟଙ୍କରୀ ଶକ୍ତି ସମୂହକୁ ମାନବତାର ମସ୍ତକ ଉପରେ ଡିମୋକ୍ଲସର ତରବାରି ଭଳି ଉଦ୍ୟତ କରି ରଖିଦିଆଯାଇଛି, ତାକୁ ମାନବ ଜାତି କିପରି ନିର୍ବିକାର ଭାବରେ ସହ୍ୟ କରି ନେଉଛି? ଗଣତାନ୍ତ୍ରିକ ଧ୍ୟାନ ଧାରଣାର ଏଇ ଆଲୋକପ୍ରାପ୍ତ ଯୁଗରେ, ସର୍ବାଧିକ ଶିକ୍ଷିତ ଦେଶ ମାନଙ୍କରେ, କୌଣସି ବ୍ୟକ୍ତିର ବା ଗୋଷ୍ଠୀର ଖାମ୍‌ଖିଆଲ ଯୋଗୁଁ କ’ଣ ଏକା ସମ୍ଭବପର ହୋଇପାରେ? ଅସମ୍ଭବ୤ ଏ ଯୁଗରେ ଏଭଳି କୌଣସି ବିରାଟ ଘଟଣା ଘଟିପାରେନା, ଯାହାପାଇଁ ସମଗ୍ର ଆଲୋକପ୍ରାପ୍ତ ମାନବ ସମାଜ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦାୟୀ ନୁହନ୍ତି୤ ଆଲୋଚିତ ମାରଣାସ୍ତ୍ର ସମୂହର ଆତଙ୍କକୁ ଚିରତରେ ବିଦୂରିତ କରି ଦେବା ସକାଶେ ସମଗ୍ର ବିଶ୍ବ-ମାନବତାର ଇଚ୍ଛାଶକ୍ତି ହିଁ ଯଥେଷ୍ଟ୤ ଯେଉଁଠି ମାରଣାସ୍ତ୍ର ବିରୁଦ୍ଧରେ ରାଜନୀତି-ପ୍ରବର୍ତ୍ତିତ ସୌଖୀନ ଶୋଭାଯାତ୍ରାଟିଏ ଦେଖାଦିଏ, ତାହା ପ୍ରେମଚାପୁଡ଼ିର ରୂପାନ୍ତର ମାତ୍ର୤ ଆତ୍ମ ପ୍ରବଞ୍ଚନାର ପ୍ରଲେପ ଭେଦକରି ମନୁଷ୍ୟ ଯଦି ଏକାନ୍ତରେ ଆତ୍ମ ବିଶ୍ଳେଷଣ କରିପାରିବ, ତେବେ ସେ ଦେଖିପାରିବ, କରାଳ ଭବିଷ୍ୟତର ନିରାକରଣ ଦିଗରେ ନିଶ୍ଚେଷ୍ଟ କରିବା ପଛରେ କି ସତ୍ୟ ନିହିତ ରହିଛି୤

ସ୍ପଷ୍ଟ କଥାରେ – ନିଜ ହାତରେ ଆତ୍ମଦାହର ଅଗ୍ନିକାଣ୍ଡ ପ୍ରସ୍ତୁତ କରି ମାନବଜାତି ବିସର୍ଜନର ଆସନ୍ନପ୍ରାୟ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛି୤

କିନ୍ତୁ ମନେ ରଖିବାକୁ ପଡ଼ିବ ଯେ, ଏପରି ଆତ୍ମବିସର୍ଜନ ପଛରେ କୌଣସି ଆଦର୍ଶର ପ୍ରେରଣା ନାହିଁ୤ ବିବର୍ତ୍ତନ ଶକ୍ତିର ବିପ୍ଲବ-ମୁଖୀ ଉଦାତ୍ତ ଆହ୍ବାନ ଆଗରୁ ପରାଭୂତ ମାନବର ଏହାହିଁ ପଳାୟନ୤ ତାର ଗ୍ଳାନିର ଅନ୍ତ ନାହିଁ; କିନ୍ତୁ ସେ ଭୀରୁ୤ ନିଜକୁ ନିଜେ ଅହଂକାରର ଯେଉଁ କାରାଗାର ଭିତରେ ସେ ଅବରୁଦ୍ଧ କରିଛି, ସେଥିରୁ ମୁକ୍ତ ହେଲାଭଳି ଶକ୍ତି ତାର ନାହିଁ୤

ଆଜିର ସମସ୍ତ ସଙ୍କଟ ଓ ବିଶୃଙ୍ଖଳା ଉପରୋକ୍ତ ଗ୍ଲାନିବୋଧ ଓ ଭୀରୁତା ଭିତରୁ ଉଦ୍ଭୁତ୤ ଆଜିର ସଙ୍କଟ ଏକ ବିବର୍ତ୍ତନଗତ ସଙ୍କଟ୤

ପ୍ରଶ୍ନ ଉଠେ, ଯଦି ଏହି ବିବର୍ତ୍ତନଗତ ସଙ୍କଟ ସମସ୍ତ ବିଶୃଙ୍ଖଳା ସକାଶେ ଦାୟୀ, ତେବେ ବିଶୃଙ୍ଖଳା କେବଳ ଯୁବସମାଜ ଭିତରେ ଆବଦ୍ଧ କାହିଁକି ?

ବିଶୃଙ୍ଖଳା ଯୁବ ସମାଜ ଭିତରେ ଆବଦ୍ଧ, ଏହା କେବଳ ପର୍ଯ୍ୟବେକ୍ଷଣର ଭୁଲ ଛଡ଼ା ଆଉ କିଛି ନୁହେଁ୤ ବୟସ୍କମାନଙ୍କ ଭିତରେ ବିଶୃଙ୍ଖଳା କେବଳ ନୁହେଁ, ଉତ୍ସୃଙ୍ଖଳାର ସୀମା ନାହିଁ, କିନ୍ତୁ ଅଭିବ୍ୟକ୍ତିରେ ପାର୍ଥକ୍ୟ ରହିଛି୤ ହିମାଚଳର ସୁଗମ୍ଭୀର ଶୃଙ୍ଗରାଜିର ଅଦୃଶ୍ୟ ଅନ୍ତରାଳରୁ ନିଷ୍ପନ୍ଦ, ନୀରବରେ ଯେଉଁ ତୁଷାର ସ୍ରୋତ ସଞ୍ଚାରିତ ହୁଏ, ନିମ୍ନଭୂମିକୁ ଅବତରଣ କରି ଉଚ୍ଛଳ ନିର୍ଘୋଷରେ ସେ ନିଜକୁ ଜାହିର କରେ୤ ନାନାଦି ଦୁର୍ନୀତି, ଦୁରାଚରଣ ଓ ଦୁଶ୍ଚିନ୍ତାର ଅଦୃଶ୍ୟ ବିଷ ବୟୋବୃଦ୍ଧମାନଙ୍କ ଭିତରେ ଚହଟି ଚହଟି ସେମାନଙ୍କ ଉତ୍ତରାଧିକାରୀ ମାନଙ୍କ ଭିତରେ ତାହା କେବଳ ଭିନ୍ନ ରୂପରେ ଆତ୍ମପ୍ରକାଶ କରୁଛି ମାତ୍ର୤ ଯୁବ ସମାଜ ଗୋଟିଏ ଏକକ ଗୋଷ୍ଠୀ ନୁହେଁ୤ ସମଗ୍ର ମାନବ ସମାଜର ତାହା ସର୍ବାଧିକ ଗ୍ରହଣଶୀଳ ଅଂଶ୤ ସମଗ୍ର ମାନବସମାଜର ଭାବଧାରାକୁ ସେ କେବଳ ଆଚରଣଗତ ରୂପ ଦିଏ ମାତ୍ର୤ ବୋମାବିଧ୍ବସ୍ତ ଏକ ଜନପଦର ଶ୍ମଶାନ ଭିତରୁ ହତବାକ୍ ମରଣାର୍ତ୍ତ ଶିଶୁମାନଙ୍କର ଯେଉଁ ଅସହାୟ କ୍ରନ୍ଦନଧ୍ବନି ମହାବ୍ୟୋମ ବିଦୀର୍ଣ୍ଣ କରି ବିଲୀନ ହୋଇଯାଏ, କୁଆଡ଼େ ଯିବ ତାର ଅନ୍ତର୍ନିହିତ ନିଦାରୁଣ ଅଭିଶାପ? କୁହୁଳି କୁହୁଳି ତା’ର ପ୍ରତିଧ୍ବନି ଏକ ପରିବର୍ତ୍ତିତ ରୂପରେ ଏଇ ସମାଜ ଉପରେ ପ୍ରତିଶୋଧ ନେବ ହିଁ ନେବ, ଯୁବ ସମାଜର ଆଚରଣ ମାଧ୍ୟମରେ୤

ନିଜର ଯେଉଁ ଗ୍ରହଣଶୀଳ ଗୁଣ ଯୋଗୁଁ ଆଜି ଯୁବ ସମାଜ ପ୍ରବୁଦ୍ଧ କୁଳଗୁରୁମାନଙ୍କର ସଞ୍ଚିତ ସଂଗୁପ୍ତ ପାପର ପ୍ରାୟଶ୍ଚିତ କରୁଛି, ଏକମାତ୍ର ତାର ସେହି ଗ୍ରହଣଶୀଳ ଗୁଣ ହିଁ ପୁଣି ମାନବଜାତିକୁ ତାର ଆସନ୍ନ ଆତ୍ମ ନିର୍ବାପନ ପଥରୁ ଓଟାରି ଆଣି ପାରେ୤ ପ୍ରତାରଣା ଓ ଆତ୍ମପ୍ରତାରଣାର ଏଇ ପୂତିଗନ୍ଧମୟ ବାତାବରଣ ଭିତରେ, ବିବେକଶୂନ୍ୟତାର ଏଇ ଆଦିଗନ୍ତ ମରୁପ୍ରାନ୍ତର ମଧ୍ୟରେ, ହତାଶା ଓ ଦୀର୍ଘଶ୍ବାସର ଏଇ ଉଦ୍‌ଭ୍ରାନ୍ତ ଆରଣ୍ୟକ ରାତ୍ରିଗର୍ଭରେ କୌଣସି ମହାଶକ୍ତି ଯଦି ଏକ ନୂତନ ଆଶାର ଦ୍ୟୁତି ଉଦ୍‌ଭାସିତ କରିପାରେ, ଯଦି ବିଭୀଷିକାମୟ ଭବିତବ୍ୟର ଭାଗ୍ୟଚକ୍ରକୁ ନିବର୍ତ୍ତିତ କରିବାର ପ୍ରତିଶ୍ରୁତି ବହନ କରି ଆଣିପାରେ, ତେବେ ସେଥିରେ ସର୍ବପ୍ରଥମେ ସଂଜୀବିତ ହୋଇଉଠିବ ଏଇ ଗ୍ରହଣଶୀଳ ଯୁବସମାଜ୤ ସହସ୍ର ଆଦର୍ଶ-ବିକ୍ଷୁବ୍‌ଧ ତଥାକଥିତ ଚିନ୍ତାବିଦ୍ ସମ୍ପ୍ରଦାୟର କସ୍ମିଶ୍ଚିଦ୍ ପ୍ରାଜ୍ଞ-ପ୍ରବୁଦ୍ଧଙ୍କ ଦେବାଳିଆ ମସ୍ତିଷ୍କରୁ ଏଭଳି କୌଣସି ସଞ୍ଜୀବନୀ ମନ୍ତ୍ର ପ୍ରକଟିତ ହେବ, ଏକଥା ବିଶ୍ବାସ କରିବା ଅନର୍ଥକ୤ ନିଜର ମାନସ ପରିଧି ଅନ୍ତର୍ଗତ ଜ୍ଞାନଗାରିମାର ଶେଷ ଅସ୍ତ୍ର ପ୍ରୟୋଗ କରି ମଧ୍ୟ ଆଜିର ସଙ୍କଟର କୌଣସି ସମାଧାନ ମନୁଷ୍ୟ କରିପାରିବନାହିଁ ୤ଜେହେତୁ ଏହା ବିବର୍ତନଗତ ସଙ୍କତ, ଏକମାତ୍ର ସେହି ରହସ୍ୟମୟ ଶକ୍ତି, ଯିଏକି ବିବର୍ତ୍ତନର ସ୍ତର ପରେ ସ୍ତର ଉନ୍ମୋଚିତ କରି ଅଗ୍ନିମୟ ଗୋଲକପିଣ୍ଡ ଭିତରୁ ଆଜିର ଏଡ଼େ ବିଶାଳ ‘ମାନ୍ୟବର ମହୋଦୟ’ ସମାଜକୁ ସୃଷ୍ଟି କଲାଣି, ସେହି ଶକ୍ତି ହିଁ ଆଜିର କିମ୍ବା ଭବିଷ୍ୟତର ଯୁବ ସମାଜ ଭିତରେ ନୂତନ ସଞ୍ଜୀବନୀ ମନ୍ତ୍ରର ସଞ୍ଚାର କରିପାରେ୤ ଏକ ଆଲୋକପ୍ରାପ୍ତ, ସଚେତନ ଯୁବ ସମାଜର ଅନିବାର୍ଯ୍ୟ ଭୂମିକା ହେବ ସେହି ଦିବ୍ୟଶକ୍ତିର ରୋମାଞ୍ଚକର ଅନୁସନ୍ଧାନ୤

ଏହାପରେ ଆସୁଛି ‘ଭାରତ’ର ଭୂମିକା୤ ଏଇ ସଂକ୍ଷିପ୍ତ ପ୍ରବନ୍ଧରେ ଏ ସଂପର୍କରେ ଆଲୋଚନା କରିବା ଧୃଷ୍ଟତା ହେବ୤ ଭାରତବର୍ଷ କେବଳ ଭୌଗୋଳିକ ସଂଜ୍ଞାଟିଏ ବା ଇତିହାସର ଘଟଣାଚକ୍ର ଭିତରେ ଦୈବାତ୍ ଜନ୍ମଗ୍ରହଣ କରିଥିବା ଏକ ଜନସମାବେଶ ନୁହେଁ୤ ଆଧ୍ୟାତ୍ମିକ ଦୃଷ୍ଟିରେ ଭାରତବର୍ଷର ଅର୍ଥ ବହୁ ବ୍ୟାପକ ଏବଂ ସଂପୂର୍ଣ୍ଣ ଭିନ୍ନ୤ ଭାରତବର୍ଷ ଏକ ପ୍ରତୀକ୤ ବିବର୍ତ୍ତିତ ଭାବୀ ଧରିତ୍ରୀର ଅବଧାରିତ ଗୁରୁ – ଭାରତବର୍ଷ୤ ଆଜିର ବିକଳାଙ୍ଗ, ଦୁର୍ନୀତି-ଅଧ୍ୟୁଷିତ ଭାରତବର୍ଷ ସେହି ଐକ୍ୟବଦ୍ଧ ଆଧ୍ୟାତ୍ମିକ ଭାରତବର୍ଷର ଏକ କ୍ୟାରିକେଚର ମାତ୍ର ହୋଇପାରେ, କିନ୍ତୁ ଧ୍ବଂସସ୍ତୁପ ଭିତରେ ହିଁ ଅନାଗତ ସ୍ବର୍ଣ୍ଣୋଜ୍ଜଳ ଏକ ଯୁଗର ପ୍ରତୀକ୍ଷାରେ ରହିଛି ଭାରତର ଆତ୍ମା୤

ତେଣୁ ଯୁବ ଭାରତର ସ୍ବପ୍ନ-ବିଧିନିର୍ଦ୍ଧିଷ୍ଟ ଭାବୀ ବିଶ୍ବ ମାନବତାର ସ୍ବପ୍ନ୤


THE QUEST ETERNAL AND LITERATURE TODAY" : A Talk by Prof. Manoj Das

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.