ସ୍ପନ୍ଦିତ ମାନବର ଅନନ୍ୟ ଅଭୀପ୍ସା :ମନୋଜ ଗଳ୍ପମାନସ
ସ୍ବାଧୀନତା ପରବର୍ତ୍ତୀ ଗଳ୍ପ ସାହିତ୍ୟର ଇତିହାସରେ ମନୋଜ ଦାସ ଏକ ଅନନ୍ୟ ପ୍ରତିଭା ଗଳ୍ପର ଆତ୍ମିକ ଚେତନାକୁ ସରସ ସୁନ୍ଦର ଭାବରେ ପ୍ରତିଫଳିତ କରିଥିବା ମନୋଜ ପରବର୍ତ୍ତୀ ସମୟରେ ଉତ୍ତରଣର ଚେତନା ଦେଇ ହୋଇଛନ୍ତି ପ୍ରସ୍ଫୁଟିତ ଦୀର୍ଘ ଅର୍ଦ୍ଧଶତାବ୍ଦୀର ଇତିହାସ ମଧ୍ୟରେ ସେ ଆପଣାଇଛନ୍ତି ଜୀବନର ରଙ୍ଗ, ଅନୁଭୂତିର ଶବ୍ଦ, ପ୍ରାପ୍ତିର ସ୍ବୀକୃତି, ପ୍ରତାରଣାର ସଂକେତ ଏବଂ ଆହୁରି ଅନେକ ଅନେକ ସ୍ମରଣୀୟ ମୁହୂର୍ତ୍ତର ଉଦ୍ଭାସିତ କାହାଣୀ ମନୋଜଙ୍କ ଗଳ୍ପ ମାନସ ଜୀବନର ଅନେକ ସ୍ମୃତି ଓ ଅନୁଭୂତିର ଆଲବମ୍ ମାତ୍ର
ପ୍ରତ୍ୟେକ ଗଳ୍ପର ପୃଷ୍ଠଭୂମିରେ ସେ ମଣିଷକୁ ଭଲ ପାଇଛନ୍ତି ଅତି ଅନ୍ତରଙ୍ଗ ଭାବରେ, ସେଥିପାଇଁ ତ ମଣିଷର ଚରମ ଅସହାୟତା ବାରମ୍ବାର ପ୍ରତିଫଳିତ ହୋଇଛି ଗଳ୍ପର ଭାବସତ୍ତା ମଧ୍ୟରେ
ବାମପନ୍ଥୀ ଚିନ୍ତାଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦ ଦର୍ଶନ, ତତ୍ସହିତ ମଣିଷର ବିଷାଦବୋଧଠାରୁ ଉଚ୍ଚତର ସତ୍ୟର ଆତ୍ମାନୁସନ୍ଧାନ, ପ୍ରତ୍ୟେକ ଚେତନା ଫୁଟିଉଠିଛି ଲେଖନୀ ମୁନରେ ଏବଂ ଅପେକ୍ଷା କରିଛି ଏକ ଭିନ୍ନ ସ୍ବୀକୃତି ନିମନ୍ତେ
ସ୍ବାଧୀନତା ସମସାମୟିକ ସମୟରେ ଗଳ୍ପରଚନା ଆରମ୍ଭ କରିଥିବା ମନୋଜ ଦାସଙ୍କ ଆଦ୍ୟ ପର୍ଯ୍ୟାୟର ସ୍ବର ପ୍ରତିଫଳିତ କରିଥାଏ ଏକ ଯୁଦ୍ଧୋତ୍ତର ପୃଥିବୀର ଚିତ୍ର ୧୯୪୨ ସମୟର ବିଶ୍ବଯୁଦ୍ଧ, ଯୁଦ୍ଧ ଜନିତ ଅସ୍ଥିରତା, ଜନ୍ମ ସ୍ଥାନରେ ଘଟିଥିବା ପ୍ରଳୟ ପରେ ପରେ ଦୁର୍ଭିକ୍ଷ ତାଙ୍କ ସରଳ ମନରେ ମଣିଷ ସମ୍ପର୍କରେ ଏକ ନୂତନ ଜିଜ୍ଞାସାବୋଧ ସୃଷ୍ଟି କରିଥିଲା
ଏକ ବୃହତ୍ତର ଜୀବନର ଚିରନ୍ତନ ସତ୍ୟାନ୍ବେଷୀ ମନୋଜ ମଣିଷକୁ ତତ୍କାଳୀନ ସମାଜର ବାସ୍ତବ ପୃଷ୍ଠପୀଠିକାରେ ଭେଟିଲେ ମଣିଷର ଦୁଃଖ ଓ ଯାତନାରୁ ମୁକ୍ତି, ମଣିଷର ମଣିଷ ପ୍ରତି ଅନ୍ୟାୟ ଓ ଶୋଷଣର ଅବସାନ କାମନା କରୁଥିବା ଯୁବ ମନୋଜ ଦାସଙ୍କୁ ସାମ୍ୟବାଦ ଏକ ବିଶେଷ ଦର୍ଶନ ରୂପେ ଦେଖାଦେଲା
ମନୋଜ ଦାସଙ୍କ ମତରେ - "ମଣିଷର ଅସହାୟବୋଧ ସେତେବେଳେ ପ୍ରଭାବିତ କରିବାକୁ ଆରମ୍ଭ କରିଥିଲା ମାର୍କ୍ସୀୟ ଦର୍ଶନର ପ୍ରଭାବ ମଧ୍ୟ ନୂଆ କରି ପ୍ରବେଶ କରୁଥିଲା ଗଳ୍ପରେ ଶଙ୍ଖ, ଚତୁରଙ୍ଗ ବନ୍ଦ ହୋଇ ଝଙ୍କାର ଓ ଡ଼ଗରର ପ୍ରଭାବ ଓ ପ୍ରତିଷ୍ଠା ସାହିତ୍ୟ ପତ୍ରିକା କ୍ଷେତ୍ରରେ ବିସ୍ତାର ଲାଭ କରୁଥିଲା”
ଏହି ପର୍ଯ୍ୟାୟରେ ଲିଖିତ ମନୋଜଙ୍କ ଗଳ୍ପ ମଧ୍ୟରେ ରହିଛି ଅଭାବ, ଦୁଃଖର କଥା, ଆହୁରି ରହିଛି ସାମନ୍ତବାଦୀ ଆଭିଜାତ୍ୟର ଅବକ୍ଷୟ, ତତ୍ସହିତ ବ୍ୟକ୍ତିଚରିତ୍ରର ମୁକ୍ତି ପ୍ରତ୍ୟାଶାଜନିତ ସ୍ବପ୍ନ ଏବଂ ମୋହଭଙ୍ଗର ପ୍ରାଥମିକ ପ୍ରତିଶ୍ରୁତି
ବାଲେଶ୍ବର ଜିଲ୍ଲା ସ୍କୁଲରେ ୧୯୪୪ରେ ଯୋଗଦେବା ପରେ, କେତେଜଣ ମାର୍କ୍ସବାଦୀଙ୍କ ସଂସ୍ପର୍ଶରେ ଆସିବା ସହ, ସେ ତାଙ୍କର ପ୍ରଥମ ଗଳ୍ପ ଲେଖିଥିଲେ ‘ନାରାୟଣ ମିଶ୍ରର ସ୍ବପ୍ନ’ କିନ୍ତୁ ଯେତେବେଳେ ଗାଳ୍ପିକ ତାଙ୍କର ଜଣେ ମାର୍କ୍ସିଷ୍ଟ ବନ୍ଧୁଙ୍କୁ ଗଳ୍ପର ନାମଟି କହିଲେ, ସେ ତାହା ପ୍ରତ୍ୟାଖ୍ୟାନ କଲେ ଓ କହିଲେ, "ସ୍ବପ୍ନ ! ମାର୍କ୍ସବାଦରେ ସ୍ବପ୍ନର ସ୍ଥାନ ନାହିଁ ଅତଏବ ତୁମେ ଗଳ୍ପଟିକୁ ପରିବର୍ତ୍ତନ କର" ଅଗତ୍ୟା ଗାଳ୍ପିକ ଗଳ୍ପଟିକୁ ଫେରାଇ ଆଣିଲେ ଓ ଗଳ୍ପଟିର ଅସ୍ତିତ୍ବ
ଚିରକାଳ ଲୋପ ପାଇଗଲା
ମନୋଜ ଦାସଙ୍କ ପ୍ରଥମ ଗଳ୍ପ ସଂକଳନ ରୂପେ ‘ସମୁଦ୍ରର କ୍ଷୁଧା’ (୧୯୫୧-୫୨) ମାତ୍ର ଦୁଇଟି ଗଳ୍ପ ‘ସମୁଦ୍ରର କ୍ଷୁଧା’ ଓ ‘ସାମରିକ’କୁ ନେଇ ପ୍ରକାଶିତ ହୁଏ‘ସମୁଦ୍ରର କ୍ଷୁଧା’ ରେ ଗାଳ୍ପିକ ଦ୍ବିତୀୟ ବିଶ୍ବଯୁଦ୍ଧକାଳୀନ ଇଂରେଜ ମାନଙ୍କ ଅତ୍ୟାଚାର,ବୀଭତ୍ସ କ୍ଷୁଧା ସହିତ ଶୋଷିତ ଗ୍ରାମୀଣ ନାରୀଟିର ଅସହାୟତା ଓ ବିଡ଼ମ୍ବିତ ଭାଗ୍ୟକୁ ରୂପାୟିତ କରିଛନ୍ତି ମନୋଜ ଦାସ ପରବର୍ତ୍ତୀ ଗଳ୍ପ ସଂଚୟନ ଗୁଡ଼ିକରେ ମନୁଷ୍ୟ ଜୀବନ ବହୁ ଦିଗନ୍ତକୁ ଉନ୍ମୋଚିତ କରିବାରେ ମନୋନିବେଶ କରିଛନ୍ତି ତା’ର ଅହମିକା, ସ୍ବପ୍ନ, ବାସ୍ତବତା ଆନୁଗତ୍ୟ, ବିଶ୍ବାସ ଘାତକତା, ଅନ୍ତରଙ୍ଗତା, ବନ୍ଧୁତ୍ବ, ବିଶ୍ବସ୍ତତା ଆଜି ସବୁକୁ ଗ୍ରହଣକରି ସେ ରଚନା କରିଛନ୍ତି ଅଜସ୍ର ଗଳ୍ପ
ଶ୍ରେଣୀଦଗ୍ଧ ସମାଜ ଜୀବନର ନିର୍ମମ ସ୍ବାଦକୁ ପ୍ରକାଶ କରି ଲେଖକ ଯେଉଁ ନୂତନ ଅଭ୍ୟୁଦୟ ସମାଜର ସ୍ବପ୍ନ ଦେଖିଥିଲେ, ତାହା ହୁଏତ କ୍ରମଶଃ ନିଷ୍ପ୍ରଭ ହୋଇଉଠିଛି ବାସ୍ତବତାର କ୍ରୁର ଚାପରେ ତେଣୁ ସେ ଚାହିଁଛନ୍ତି ଜୀବନ ପାଇଁ ସାହିତ୍ୟ ରଚିତ ହେଉ ମାତ୍ର ତାହା ହେଉ ସୁନ୍ଦର, ଶାଶ୍ବତ, ମଧୁର
ସୁତରାଂ ଲେଖକ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ହେଉ ଅବା ନହେଉ ମଣିଷ ଜୀବନର ବିବିଧ ଦିଗକୁ କରିଛନ୍ତି ଉଦ୍ଭାସିତ ପୁନଶ୍ଚ ଏହାକୁ ହାସ୍ୟରସ ଓ ଲଘୁବ୍ୟଙ୍ଗରେ ରସାଣିତ କରି ପାଠକକୁ କରିଛନ୍ତି ଆମୋଦିତ, ପୁଲକିତ ତଥା ବିସ୍ମୟ ବିମୁଗ୍ଧ
ତେବେ ଲେଖକଙ୍କ ସଫଳତା ଉତ୍ତରଣ ପର୍ଯ୍ୟାୟରେ ଯେଉଁଠି ସେ ବ୍ୟକ୍ତିର ବାଲ୍ୟ ଆଟୋପରୁ ମୁକ୍ତି ପାଇ ଅନୁଶୀଳନ କରିଛନ୍ତି ମଣିଷର ଆତ୍ମାକୁ ଏହି ସାମୂହିକତାରୁ ବ୍ୟକ୍ତିକୈନ୍ଦ୍ରିକ ଭାବସତ୍ତା ଦିଗକୁ ଗତି କରୁଥିବା ସାହିତ୍ୟ ଏହି ପର୍ଯ୍ୟାୟରେ ଅନୁଶୀଳନ କରିଛି ବ୍ୟକ୍ତିର ଅନ୍ତର୍ମୁଖୀ ଚେତନାକୁ ଯାହାକୁ ସାଧାରଣ ଭାଷାରେ ଆଧ୍ୟାତ୍ମିକ ଉତ୍ତରଣର ପର୍ଯ୍ୟାୟ ଭାବରେ ବିବେଚିତ କରାଯାଇପାରେ
ଏହି ଆଧ୍ୟାତ୍ମିକ ଉତ୍ତରଣ ସଂପର୍କରେ ନିଜେ ଲେଖକ କୁହନ୍ତି- “ଆଧ୍ୟାତ୍ମିକତା ଯେ ଜୀବନ ବିରୁଦ୍ଧ ଜିନିଷ ନୁହେଁ, ସେ ବାସ୍ତବିକ ମଣିଷର ସମସ୍ତ ପ୍ରଗତି, ସମସ୍ତ ଅଭୀପ୍ସା ଓ ସମସ୍ତ ବାସ୍ତବ ଉନ୍ନତି ପଛରେ ପ୍ରଚ୍ଛନ୍ନ ଭାବରେ ଥାଏ”
ମନୋଜ ଦାସଙ୍କ ଗଳ୍ପର ଆତ୍ମିକ ବିବର୍ତ୍ତନ ସାମାଜିକ ମଣିଷର ସମସ୍ୟା ମଧ୍ୟରୁ ଗତିକରି ପରିଣତିରେ ଏକ ମହତ୍ତର ଉତ୍ତୀର୍ଣ୍ଣ ଭାବକୁ ହିଁ ସନ୍ଧାନ କରିଛିଏକ ମହତ୍ତର ଚେତନାର ଜୀବସତ୍ତାକୁ ପହଞ୍ଚାଇ ଦେବାର ବ୍ୟାକୁଳତା ମାନବକୁ ମାଧବରେ ରୂପାନ୍ତରିତ କରେ ସମସ୍ତ ନୈରାଶ୍ୟବୋଧ ମଧ୍ୟରେ ଆଶାର ଅମୃତବର୍ଷାର ସ୍ପର୍ଶରେ ବ୍ୟକ୍ତି ଯେତେବେଳେ ଅମୃତ ଉପଲବ୍ଧିରେ ନିଜକୁ ସମାହିତ କରେ, ସେତେବେଳେ ବ୍ୟକ୍ତିତ୍ବ ଅନୁପମ ମାଧୁର୍ଯ୍ୟରେ ମଧୁରମୟ ହୁଏ କଥାଶିଳ୍ପୀ ମନୋଜ ଦାସ ନିଜର ଅପୂର୍ବ ସାଧନା ମାଧ୍ୟମରେ ପାଠକକୁ ଏକ ଉତ୍ତରିତ ସୋପାନକୁ ନେଇ ମହତ୍ତର ସ୍ରୋତରେ ସାମିଲ୍ କରାଇଥାନ୍ତି
ନିଜର ଅନୁଭୂତିସିଦ୍ଧ ଓ ଆଧ୍ୟାତ୍ମିକଲବ୍ଧ ଜ୍ଞାନର ସଂଯୋଗରେ ସେ ମାନବୀୟ ଚେତନାର ଭିନ୍ନ ଭିନ୍ନ ଦିଗନ୍ତକୁ
ଉନ୍ମୋଚିତ କରିଛନ୍ତି ତାଙ୍କର ଗଳ୍ପ ଚିରନ୍ତନ ମାନବିକ ଭାବାବେଗରେ ପ୍ରତିଭାଦୀପ୍ତ ତଥା ବୁଦ୍ଧିଦୀପ୍ତ ବୈଦ୍ଗ୍ଧ୍ୟର ଅମ୍ଳାନ ସ୍ବାକ୍ଷର ନେଇ ଉଦ୍ଭାସିତ
ସାହିତ୍ୟର ଭିନ୍ନ ଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଥିଲେ ହେଁ ସାଂପ୍ରତିକ ସମୟର ଜଣେ ବିଶିଷ୍ଟ କଥାକାର ଭାବରେ ସେ ସୁପରିଚିତ ଶୈଳୀ ତାଙ୍କର ଏକାନ୍ତ ସ୍ବଭାବସୁଲଭ ଅତଏବ ନିଆରା ଉପସ୍ଥାପନା କୌଶଳ ତଥା ଭାଷା ପ୍ରୟୋଗରେ ମୌଳିକତା ଛତ୍ରେ ଛତ୍ରେ ଲକ୍ଷଣୀୟ କଥାବସ୍ତୁର ପରିକଳ୍ପନା ହିଁ ତାଙ୍କୁ ବେଶ ଭିନ୍ନ ଭାବରେ ଚିହ୍ନେଇ ଦିଏ ମୋଟ ଉପରେ ଏକ ଭିନ୍ନ ଧରଣର କଥାକାର ଭାବରେ ସେ ପାଠକ ମହଲରେ ଆଦୃତ
ଏଯାବତ୍ ତାଙ୍କର ଅନେକ କ୍ଷୁଦ୍ରଗଳ୍ପ ସଂକଳନ ପ୍ରକାଶିତ ସେଗୁଡ଼ିକ ହେଲା ‘ସମୁଦ୍ରର କ୍ଷୁଧା’, ‘ଜୀବନର ସ୍ବାଦ’, ‘ବିଷକନ୍ୟାର କାହାଣୀ’, ‘ଆରଣ୍ୟକ’, ‘ଶେଷ ବସନ୍ତର ଚିଠି’, ‘ମନୋଜ ଦାସଙ୍କ କଥା ଓ କାହାଣୀ’, ‘ଲକ୍ଷ୍ମୀର ଅଭିସାର’, ‘ଆଦ୍ୟପୁରୁଷ ଓ ଅନ୍ୟାନ୍ୟ କାହାଣୀ’, ’ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ମନୋଜ ପଞ୍ଚବିଂଶତି’, ‘ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ’ ଏବଂ ‘ଅବୋଲକରା କାହାଣୀ’ ଇତ୍ୟାଦି
ମନୋଜ କାହାଣୀ ମାଳାର କେତୋଟି ପୁଷ୍ପ