Screen

Profile

Layout

Direction

Menu Style

Cpanel

Smt. Rajashree Das

 

 

ମୋ ଦିଅର ମନୋଜ

 

ବିଗତ ଶତାବ୍ଦୀର ଚତୁର୍ଥ ଦଶକରେ ମୁଁ ଯେତେବେଳେ ମନୋଜଙ୍କ ପରିବାରକୁ ବୋହୁ ହୋଇ ଆସିଲି, ସେତେବେଳେ ମନୋଜଙ୍କ ପୟସ ୯ କିମ୍ବା ୧୦ ବର୍ଷ ୤ ମୋ ବୟସ ୧୪ ବର୍ଷ ୤ ସେ ମୋର ଏକମାତ୍ର ଦିଅର ; ମୁଁ ତାଙ୍କର ଏକମାତ୍ର ବଡ ଭାଉଜ (ବୌଦିଦି) ୤ ମୋ ନିଜର ଭାଇ ନାହିଁ ୤ମନୋଜଙ୍କୁ ପ୍ରଥମେ ଦେଖି ମନ ଭିତରେ ମୋର ସାନଭାଇ ପ୍ରତି ସଂଚାରିତ ସ୍ନେହ ଅନୁଭବ କରିଥିଲି ୤୯ ବର୍ଷର ଏହି ଚପଳ ଚଞ୍ଚଳ ବୁଦ୍ଧିଦିପ୍ତ ବାଳକ ସଦା ଚଞ୍ଚଳ ; ଅନ୍ୟକୁ ଚକିତ କରିବାର ପ୍ରୟାସ ସବୁବେଳେ ଜାରି ରଖିଥାଏ ୤ କେତେବେଳେ ଫଳଭାରାକ୍ରାନ୍ତ ଜାମରୁଳ ଗଛ ଉପରେ ଆକ୍ରମଣ ତ, କେତେବେଳେ ଅନ୍ୟ କେଉଁ ବୃକ୍ଷଡାଳରେ ବସି ସୁମଧୁର ବଂଶୀବାଦନ ; କେତେବେଳେ ପୁଣି ହରମୋନିଓମ୍ ବଜାଇ ସଂଗୀତ ଗାନ ତ, କେତେବେଳେ ଦିଆସିଲି କାଠି ସମୂହର ସହାୟତାରେ ମ୍ୟାଜିକ୍ ଦେଖାଇ ଅନ୍ୟକୁ ଚମକ୍ତ୍ରୁତ କରିବା ୤ଏ ସମସ୍ତ କଳାକୌସଳର ପ୍ରଥମ ଦର୍ଶକ ବା ଶ୍ରୋତା ଥିଲି ମୁଁ ୤ବୟସର ନିକଟବର୍ତ୍ତିତା ତଥା ପରିବାରର ସ୍ବାଧୀନ ବାତାବରଣରେ ମୁଁ ହୋଇଯାଇଥିଲି ତାଙ୍କର ଭାଉଜରୂପୀ ସହଜୋଗୀ ୤ ଗାଁ ବାଡି-ବଗିଚାର ଜାମରୁଳ, ଲିଚୁ, ସପେଟା, ଜାମୁକୋଳି, ବରକୋଳି ଇତ୍ୟାଦି ସମଗ୍ର ଫଳଗଛର ସାମ୍ରାଜ୍ୟ ଉପରେ ତାଙ୍କର ଅଖଣ୍ଡ ଆଧିପତ୍ୟ ଓ ଉପ୍ତାତ ୤ ବଗିଚାର ବଛା ବଛା ୨୬ଟି ପିଜୁଳି ଗଛକୁ ସେ ସେତେବେଳେ ଓଡିଶା ପ୍ରଦେଶର ୨୬ଟି ଗଡଜାତ ନାମରେ ନାମିତ କରିଥାନ୍ତି ୤ ସବୁଠାରୁ ବଡ ଝଙ୍କାଳିଆ ପିଜୁଳି ଜଛଟିର ନାମ ଦେଇଥାନ୍ତି ମୟୁରଭଞ୍ଜ ୤ ତାହା ବୋଧହୁଏ ମୋ ସମ୍ମାନାର୍ଥେ ୤ କାରଣ ମୁଁ ଥିଲି ମୟୁରଭଞ୍ଜର ଝିଅ ୤ ତୁଳସୀ ଦୁଇପତ୍ରରୁ ବାସିବା ଭଳି ବାଲ୍ୟ ଚପଳ କୌତୁକ ଭିତରେ ବି ବାଳକ ବୟସରୁ ତାଙ୍କଠାରେ ଗୁରୁଜନ ପ୍ରତି ସମ୍ମାନବୋଧ ଟିକେହେଲେ ଊଣା ନଥିଲା ୤ ଅତୀତର ସ୍ମୃତିଚାରଣରେ ମନୋଜଙ୍କର ଏସବୁ ପିଲାକାଳ କଥା ଆଜି ମୋର ମନେ ପଡୁଛି ୤ ଛାତ ଉପରେ ପସି ହାଋମୋନିଓମ୍ ବଜାଇ ସ୍ବରଚିତ ଗୀତରେ ଏ ସ୍ବର ସଂଯୋଜନା କରୁଥିଲେ ୤ ମୁଁ ବସି ଶୁଣୁଥିଲି ୤ ସେ ସଂଗୀତରୁ ଗୋଟିଏ ଏବେ ବି ମନେ ଅଛି-

ଲହରୀ ଉତ୍ତାଳ୍ ରେ

   ତରଣୀ ସମ୍ଭାଳ୍ ରେ

ପବନେ ଶୁଭେ ମରଣ ହୁଙ୍କାର

ଗଗନେ ଘେରିଛି ଅନ୍ଧକାର ୤

 

ଆହୁରି କେତେ ଗୀତ, କବିତା ଓ ବ୍ୟଙ୍ଗ କବିତାର ପଦବିନ୍ୟାସ କରୁଥିଲେ ୤ ଏସବୁ ଥିଲା ତାଙ୍କର ଅପରିପକ୍ବ କୈଶୋରର ଇତସ୍ତତଃ ପଦକ୍ଷେପ ୤

ଏହାପରେ ସେ ଆସିଲେ ବାଲେଶ୍ବର ଜିଲ୍ଲାସ୍କୁଲରେ ପଢିବାକୁ ତାଙ୍କ ଭାଇ ଫକୀରମୋହନ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେବାପରେ ୤ ବାଲେଶ୍ବରରେ ଆମେ ଫକୀରମୋହନ ସେନାପତିଙ୍କ କୋଠାର ସୁରକ୍ଷିର ଅଂଶଟି ଭଡାନେଇ ରହିଲୁଁ ୤ଡାହାଣ ପଟେ ସେ କୋଠାର ସ୍ତୁପୀକ୍ରୁତ ଭଗ୍ନାବଶେଷ ୤ ପଛପଟେ     ଶାନ୍ତି କାନନ ର ଶାନ୍ତ ପରିବେଶ ୤ ସେହିଠାରେ ପ୍ରକାଶ ପାଇଲା ନବମ-ଦଶମ ଶ୍ରେଣୀର ଛାତ୍ର ମନୋଜ ଦାସଙ୍କର ପ୍ରଥମ ସାହିତ୍ୟ ସାଧନାର କୃତି ପୁସ୍ତକ ଦୁଇଟି ୤ ଶତାବ୍ଦୀର ଆର୍ତନାଦ ଏବଂ ବିପ୍ଲବୀ ଫକୀରମୋହନ ୤ ବାଲ୍ୟସୁଲଭ ଅନେକ ପ୍ରତିଭାର ସମାହାର ଭିତରୁ ଗାୟକ, ବାଦକ କିମ୍ବା ଯାଦୁକରର ସମ୍ଭାବନାକୁ ଏଡାଇ ସେ ଆଗଇ ଚାଲିଲେ ସାହିତ୍ୟର ସ୍ରୁଜନୀ ପଥରେ ୤ ଏହାପରର ମନୋଜ ଦାସଙ୍କୁ ସମସ୍ତେ ଜାଣନ୍ତି ୤

 

ମୁଁ ତାଙ୍କୁ ଯେପରି ଜାଣେ ଆମର ପାରିବାରିକ ବିପୁଳ ଅନୁଭୂତିରେ ୤ ବାଲେଶ୍ବର ଜିଲ୍ଲାସ୍କୁଲ ପରେ ଫକୀରମୋହନ କଲେଜରୁ ଆଇ.ଏ., ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରୁ ବି.ଏ., ତା ପରେ କଟକ ରେଭେନ୍ସା କଲେଜରୁ ଏମ୍.ଏ., ଖ୍ରାଏଷ୍ଟ୍ କଲେଜରେ ଅଧ୍ୟାପକ ହେବା ସମୟରେ ସବୁବେଳେ ସେ ଆମ ପାଖରେ ଥିଲେ ୤ତା ପରେ, ମନୋଜ ପଣ୍ଡିଚେରୀ ଚାଲିଗଲେ ଶ୍ରୀ ଅରବିନ୍ଦ ଶ୍ରୀମା ଙ୍କ ଅଧ୍ୟାତ୍ମିକ ପରିଧିକୁ, ଓଡିଶାର କର୍ମକ୍ଷେତ୍ର ଓ ଆମ ପରିବାରକୁ ଦୂରରେ ରଖିଦେଇ କିନ୍ତୁ ଛାଡିଦେଇ ନୁହେଁ ୤ଦୂରରେ ଥାଇ ମଧ୍ୟ ସେ ଆମ ନିକଟରେ ଥିବା ପରି ଅଛନ୍ତି ୤ପ୍ରତିବର୍ଷ ଏକାଧିକ ଥର ବିଭିନ୍ନ ସଭା ଓ ଅନୁଷ୍ଠାନର ନିମନ୍ତ୍ରଣରେ ମନୋଜ ଓଡିଶା ଆସନ୍ତି ୤ ଆସନ୍ତି ଆମ ନିଜ ଘରକୁ ୤ ଓଡିଶା ପ୍ରତି ତାଙ୍କର ଆକର୍ଷଣ, ବାଲେଶ୍ବରର ସୁଦୂର ଉପକୂଳବର୍ତୀ ଗାଁ ଜନ୍ମମାଟି ପ୍ରତି ତାଙ୍କର ମମତା ଅତୁଟ ୤ ଆମ ପରିବାର ପ୍ରତି, ଆତ୍ମୀୟସ୍ବଜନ ସମସ୍ତଙ୍କ ପ୍ରତି ତାଙ୍କର ସ୍ନେହ ଶ୍ରଦ୍ଧା ସମ୍ମାନ ଓ କର୍ତବ୍ୟବୋଧ ସବୁବେଳେ ଆମେ ଅନୁଭବ କରୁଛୁଁ ୤ ଆଜିବି ସେ ଭୁବନେଶ୍ବର ଆସିଲେ ଆମ ବାଡିର ପିଜୁଳିଟିଏ କି ଆତଟିଏ ମୁଁ ବଢାଇଦେଲେ ସେ ସେହି ପିଲାଦିନ ପରି ଉଚ୍ଛ୍ବସିତ ଆନନ୍ଦ ଓ ଆଗ୍ରହରେ ଧରି ନିଅନ୍ତି ୤

 

ମନୋଜ ଆଜି ଓଡିଶାର, ଭାରତର ଏବଂ ଭାରତ ବାହାର ଦେଶର ସମସ୍ତଙ୍କର ପ୍ରିୟ ଲେଖକ ୤ ଏହା ମୋ ମନରେ ଅସୀମ ଆନନ୍ଦ ଆଣି ଦେଉଛି୤

 

......................x......................

 

-ସୌଜନ୍ୟ: ମନୋଜାୟନ