Screen

Profile

Layout

Direction

Menu Style

Cpanel

Shri Shyam Sundar Mohapatra

ମନୋଜ ଦାସଙ୍କୁ ମୁଁ ଯେମିତି ଜାଣେ

ଶ୍ୟାମ ସୁନ୍ଦର ମହାପାତ୍ର

ମନୋଜ ବାବୁ ବାଲେଶ୍ବର ଜିଲ୍ଲା ସ୍କୁଲର ଉଚ୍ଚ ଶ୍ରେଣୀରେ ପଢିବା ବେଳେ ମୋ ସହିତ ତାଙ୍କର ପରିଚୟ ହେଲା୤ ତାଙ୍କ ବଡ଼ଭାଇ ଅଧ୍ୟାପକ ଡକ୍ଟର ମନ୍ମଥନାଥ ଦାସ ମୋର ଅଧ୍ୟାପକ ଥିଲେ୤ କେବଳ ଅଧ୍ୟାପକ ନୁହନ୍ତି, ଭ୍ରାତା, ବନ୍ଧୁ, ଉପଦେଷ୍ଟା, ପ୍ରେରଣାଦାତା ସବୁ କିଛିଥିଲେ୤ ଏଣୁ ମନୋଜବାବୁ ମୋର ଅକୃତ୍ରିମ ଅନୁଜପ୍ରତିମ ଥିଲେ୤ ‘ଫକୀରମୋହନ ସାହିତ୍ୟ ପରିଷଦ’ ତରଫରୁ ଆୟୋଜିତ ୩ଦିନ ବ୍ୟାପୀ ସଂଗୀତ ସମ୍ମେଳନ ବେଳେ ଦିନେ ସକାଳେ ବାଲେଶ୍ବର କଲେଜର (ବର୍ତ୍ତମାନ ଫକୀରମୋହନ କଲେଜ) ଗୋଟିଏ ରୁମ୍ ଭିତରୁ ସଂଗୀତର ମଧୁର ମୂର୍ଚ୍ଛନା ଭାସି ଆସୁଥିଲା୤ ମୁଁ ବାରଣ୍ଡା ଦେଇ ସେବାଟେ ଯାଉଥିଲି୤ ଅଟକି ଗଲି, କ’ଣ ଛୋଟେଲାଲ ବଜାଉଛନ୍ତି କି? ହଠାତ୍ ଛୋଟେଲାଲ କିପରି ଆସିଲେ ? ତା’ ଆଗ ଦିନ ରାତିରେ ବନୱାରିଲାଲ ଓ ଛୋଟେଲାଲଙ୍କ ଯୁଗଳବନ୍ଦୀ କଲେଜ ହଲରେ ସଂଗୀତର ଏକ ଝଡ଼ ସୃଷ୍ଟି କରିଥିଲା୤ ସେ ଦୁଇଜଣ ଥିଲେ ଭାରତ ପ୍ରସିଦ୍ଧ ସଂଗୀତଜ୍ଞ୤ ଛୋଟେଲାଲ ଥିଲେ ହାରମୋନିୟମ୍ ବାଦକ୤ ସେ ଯାହା ବଜାଇଥିଲେ ଦେଖିଲି ମନୋଜ ସେଇ ରାଗ ବଜାଉଛନ୍ତି୤ ପ୍ରାୟ ଅଧଘଣ୍ଟାଏ ଶୁଣିଲାପରେ ମୁଁ ମନ୍ତ୍ରମୁଗ୍ଧ ହୋଇ ମନୋଜଙ୍କୁ କହିଲି, ‘‘ପ୍ରିୟ ମନୋଜ ବାବୁ, ସଂଗୀତ ହୁଏତ ତୁମ ଜୀବନର ଲକ୍ଷ୍ୟ ହୋଇପାରେ୤’’ ମୋର କହିବାର ଉଦ୍ଦେଶ୍ୟ, ସେତେବେଳେ ମନୋଜ ବାବୁଙ୍କ ପ୍ରାଣ ସଂଗୀତକୈନ୍ଦ୍ରିକ ଓ ଭାବ କୈନ୍ଦ୍ରିକ ଥିଲା୤

ଅନେକ କହନ୍ତି ‘ଦିଗନ୍ତ’ ସାହିତ୍ୟ ପତ୍ରିକା ହେଉଛି ମନୋଜ ବାବୁଙ୍କର ସାହିତ୍ୟକୁ ଏକ ବିଶେଷ ଅବଦାନ୤ ଆମେ ଛାତ୍ର ଜୀବନରେ ସାଧନାର ଅନେକ ଦିଗ ଉପରେ ଏକ୍ସପେରିମେଣ୍ଟ କରିଥିଲୁଁ୤ ସଂଗୀତ ପରେ ସାହିତ୍ୟକୁ ଆମେ ଧରିଲୁ୤ ‘ଦିଗନ୍ତ’କୁ ଏକ ସାଧାରଣ ପତ୍ରିକା ରୂପରେ ପ୍ରକାଶ ନ କରି ଏକ ନୂତନ ଆଦର୍ଶ ଓ ଆଭିମୁଖ୍ୟ ନେଇ ପ୍ରକାଶ କରିବାକୁ ଚାହିଁଲୁ୤ ପ୍ରଗତିଶୀଳ ସାହିତ୍ୟ ପତ୍ରିକା ରୂପରେ କିପରି ତାକୁ ସମସ୍ତେ ସ୍ବୀକାର କରିବେ ଏହା ଆମର ଲକ୍ଷ୍ୟ ଥିଲା୤ ପ୍ରଗତିଶୀଳ ସାହିତ୍ୟ ଉପରେ ସେତେବେଳେ ଖୁବ୍ ଜୋର ଆଲୋଚନା ଓ ଚର୍ଚ୍ଚା ହେଉଥିଲା୤ ବଙ୍ଗଳାର ପ୍ରଖ୍ୟାତ ମାର୍କ୍ସବାଦୀ ଦାର୍ଶନିକ ଓ ସାହିତ୍ୟିକ ଗୋପାଳ ହାଲଦାର ଦର୍ଶନରେ, କିଶୋର କବି ସୁକାନ୍ତ ଭଟ୍ଟାଚାର୍ଯ୍ୟ କବିତାରେ, ବିଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ଶମ୍ଭୁ ମିତ୍ର ଓ ଉତ୍ପଳ ଦତ୍ତ ଏବଂ ତାଙ୍କ ଭାରତୀୟ ଗଣନାଟ୍ୟ ସଂଘ (ଆଇ.ପି.ଟି.ଏ) ସଂଗୀତ, ନାଟକ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ବିପ୍ଲବ ଆଣିଥିଲେ୤ ‘ଦିଗନ୍ତ’ରେ ଆମେ ଏକ ପରୀକ୍ଷା ନିରୀକ୍ଷା କଲୁ୤ ବଙ୍ଗଳାରେ ‘କିଣୁ-ଗୋୟେଲାର-ଗଲି’ ସେତେବେଳେ ଏକ ଯୁଗାନ୍ତକାରୀ କବିତା୤ ଆମେ ଅନେକଙ୍କୁ କହିଲୁ ସେଭଳି ଧରଣର କବିତା ଲେଖିବାକୁ୤ କେହି ଲେଖି ନ ପାରିବାରୁ ମନୋଜ ବାବୁ କହିଲେ, ‘‘ଶ୍ୟାମବାବୁ, ଆପଣ ନିଜେ ଲେଖନ୍ତୁ୤’’ ମୁଁ ଅସ୍ବସ୍ତି ଅନୁଭବ କଲି, କିନ୍ତୁ ଲେଖିଲି୤ ଲେଖାଟି ଏତେ ସଫଳ ହେଲା ଯେ, ମୋତେ ମାୟାଧର ମାନସିଂହ ଚିଠି ଦେଇ ଧନ୍ୟବାଦ ଜଣାଇଲେ୤ ‘ଦିଗନ୍ତ’ ପ୍ରକୃତରେ ଓଡ଼ିଶା ସାହିତ୍ୟ ଜଗତରେ ଏକ ନୂତନ ପ୍ରଚେଷ୍ଟା ଥିଲା୤

ମନୋଜ ବାବୁଙ୍କୁ ‘ଦିଗନ୍ତ’ର ସଂପାଦକ କଲୁ୤ ସେ କିଛିଦିନ ‘ଦିଗନ୍ତ’ ଚଳାଇଲେ୤ ପରେ ଶୁଣିଲି ସଚ୍ଚି ରାଉତରାୟ ମଧ୍ୟ ଶେଷରେ ତାହାର ସଂପାଦନା ଦାୟିତ୍ବ ବହନ କରିଥିଲେ୤ ମୁଁ, ଗାଳ୍ପିକ ସଦାନନ୍ଦ ଦାସ, ୰ ଅନ୍ନଦା ରକ୍ଷିତ, ୰ ଦୈତାରି ଦାସ ଓ ଅନ୍ୟ କେତେକ ବନ୍ଧୁ ‘ଦିଗନ୍ତ’ର ସହଯୋଗୀ ଥିଲୁଁ ଛାତ୍ର ଜୀବନରେ୤

ମନୋଜ ବାବୁଙ୍କୁ ମୁଁ ପ୍ରଥମେ ମାର୍କ୍ସବାଦୀ କରାଇବାକୁ ଚାହିଁଥିଲି୤ ସେ ହୋଇଥିଲେ ମଧ୍ୟ୤ ଛାତ୍ରନେତା ତଥା ଉଦୀୟମାନ ଜନନେତା ଭାବରେ ସେ ରାଜନୀତି ଆକାଶରେ ଆବିର୍ଭୂତ ହୋଇଥିଲେ୤ ବିଶ୍ବମ୍ଭର ସାମନ୍ତଙ୍କ ସହ ସେ ବନ୍ଧୁତ୍ବରେ ଆବଦ୍ଧ ହେଲେ୤ ବିଶ୍ବମ୍ଭର ବାବୁ ସେତେବେଳେ ବିଖ୍ୟାତ ଛାତ୍ରନେତା୤ ତାଙ୍କ ପିତା ନାରାୟଣ ବୀରବରଙ୍କ କନ୍ୟାକୁ ମନୋଜ ବାବୁ ବିବାହ କଲେ୤ କିନ୍ତୁ ରାଜନୀତି ତାଙ୍କୁ ଶେଷ ପର୍ଯ୍ୟନ୍ତ ଟାଣିରଖି ପାରିଲା ନାହିଁ୤

ସେତେବେଳେ ମୋ ସ୍ତ୍ରୀ ଡାକ୍ତର ରାଧାଦେବୀ କଟକରେ ମେଡିକାଲ କଲେଜରେ ହାଉସ ସର୍ଜନ ଥିଲେ୤ ସେ ଗୋଟିଏ ଭଡ଼ାଘରେ ରହୁଥାନ୍ତି୤ ମନୋଜ ବାବୁଙ୍କ ହାତରେ ସେତେବେଳେ ସବୁବେଳେ ଗୋଟିଏ କ୍ୟାମେରା ଥାଏ୤ ଦିନେ ସେ ଆସି ମୋତେ କହିଲେ, ‘‘ଶ୍ୟାମବାବୁ, ଆପଣଙ୍କ ଝିଅ ଓ ଆଈଙ୍କର ଗୋଟିଏ ଫୋଟୋ ନେବି୤’’ ପ୍ରକୃତରେ ମୋ ଆଈଙ୍କର ବା ମୋ ଝିଅର ଫଟୋ ମୋ ପାଖରେ ଆଦୌ ନ ଥିଲା୤ ବହୁବର୍ଷ ପରେ ଯେତେବେଳେ ଆଈଙ୍କ ଫଟୋ ଖୋଜାଚାଲିଲା, ମିଳିଲା କେବଳ ମନୋଜ ବାବୁଙ୍କ ଉଠାଇଥିବା ଫଟୋ୤ ମୁଁ ସେ ଫଟୋ ନେଇ ସୁରେନ୍ ଦାସଙ୍କୁ ଦେଲି କଲିକତାରେ କୌଣସି ଫଟୋ ଷ୍ଟୁଡିଓରେ ଏନଲାର୍ଜ୍ କରି ଆଣିବାକୁ୤ ସେ ତାହା ନେଇ ‘ଏଡନାଲରେଞ୍ଜ’କୁ ଦେବାରୁ ସେ ସେହି ପୁରୁଣା ଫଟୋକୁ ପରୀକ୍ଷା କରି କହିଲେ - ‘‘ଏ ଫଟୋ କିଏ ଉଠାଇଛି ? He must be a great photographer.’’ ଏକଥା ମୋତେ ସୁରେନ୍ ଦାସ କହିଥିଲେ୤ ମନୋଜ ବାବୁ ହୁଏତ ପ୍ରାକ୍ଟିସ କରିଥିଲେ ଦିନେ ରଘୁରାୟ ବା ଫଲି ମିସ୍ତ୍ରୀଙ୍କ ଭଳି ବିଖ୍ୟାତ ଫଟୋଗ୍ରାଫର ହୋଇ ପାରିଥାନ୍ତେ୤ କିନ୍ତୁ ତାଙ୍କ ପାଇଁ ଅନ୍ୟ ଏକ ଦିଗ ସ୍ଥିରୀକୃତ ଥିଲା୤

ମୋର ଧାରଣା, ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ସାନ୍ନିଧ୍ୟ ଲାଭ ମନୋଜ ଦାସଙ୍କ ଦିଗ ନିର୍ଣ୍ଣୟରେ ସହାୟକ ହୋଇଛି୤ ସେ ଗଳ୍ପ, ଉପନ୍ୟାସ, ସ୍ତମ୍ଭରଚନା ଆଦି ନାନା କ୍ଷେତ୍ରରେ ସୁପ୍ରତିଷ୍ଠିତ ହୋଇ ପାରିଛନ୍ତି୤

ସେ ପ୍ରମାଣ କରିଛନ୍ତି ଯେ, ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଅର୍ଥ ଗେରୁଆ ପିନ୍ଧିବା ନୁହେଁ୤ ସଂପୂର୍ଣ୍ଣ ଗାର୍ହସ୍ଥ୍ୟ ଜୀବନ ଭିତରେ ବି ଦିବ୍ୟଜୀବନ ଲାଭ କରାଯାଇପାରେ୤

ମନୋଜ ଦାସଙ୍କୁ ଜ୍ଞାନପୀଠ ପୁରସ୍କାର ମିଳିଲା ନାହିଁ୤ ଜଣେ ଦୁଇଜଣ ବ୍ୟକ୍ତି ଏଣୁତେଣୁ କିଛି ଲେଖି ତାଙ୍କ ସଂପର୍କରେ କୁତ୍ସା ପ୍ରଚାର କରିଥିଲେ୤

ଦିଲ୍ଲୀରେ ଉଚ୍ଚମହଲରେ ଥାଇ ମୋତେ ଜଣାଅଛି ଅନେକ ସମୟରେ ପୁରସ୍କାର କିପରି ମିଳେ୤ ଏଣୁ ମନୋଜ ବାବୁଙ୍କୁ ଗୋଟିଏ, ଯୋଡ଼ିଏ ଉପାଧି ବା ପୁରସ୍କାର ନ ମିଳିବାରୁ ଦୁଃଖ ନାହିଁ୤

ଏବର୍ଷ ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ରେ ଭୂଷିତ କରି ତାଙ୍କର ଉପଯୁକ୍ତ ମୂଲ୍ୟାୟନ କରିଛନ୍ତି୤ ଦିନେ ହୁଏତ ସେ ‘ଭାରତରତ୍ନ’ ଉପାଧିରେ ବି ସମ୍ମାନିତ ହେବେ, ଏ ବିଶ୍ବାସ ମନରେ ଆସୁଛି୤

ଭୂତପୂର୍ବ ସାଂସଦ ଓ ପ୍ରାକ୍ତନ ସାଧାରଣ ସଂପାଦକ,

ନିଖିଳ ଭାରତ କଂଗ୍ରେସ କମିଟି

ଡି.ୟୁ - ୭, ପୀତମ୍‌ପୁର, ନୂଆଦିଲ୍ଲୀ-୩୪

 

ସୌଜନ୍ୟ: ମନୋଜାୟନ