Screen

Profile

Layout

Direction

Menu Style

Cpanel

Kabi Kunjabihari Das and Kabi Radhamahon Gadanayak

କବି କୁଞ୍ଜବିହାରୀ ଦାଶ ଓ କବି ରାଧାମୋହନ ଗଡ଼ନାୟକ

 

ଏ ଲେଖକ ଜିଲ୍ଲା ସ୍କୁଲରେ ପଢ଼ିବାବେଳେ ବାଲେଶ୍ବର କଲେଜକୁ ଅଧ୍ୟାପକ ରୂପେ ଆସିଥାନ୍ତି ପ୍ରଖ୍ୟାତ କବି କୁଞ୍ଜବିହାରୀ ଦାଶ୤ ସେତେବେଳେ ବିଭିନ୍ନ ପତ୍ର ପତ୍ରିକାରେ ମୁଁ କବିତା ହିଁ ଲେଖୁଥାଏ ୤ କିଛି କିଛି ତାଙ୍କ ଦୃଷ୍ଟିକୁ ଆସିଥାଏ୤ ମୋ ସହ ପରିଚୟ ହେବା ମାତ୍ରେ ସେ ହେଲେ ଉଚ୍ଛ୍ବସିତ ପ୍ରଶଂସାରେ ମୁଖର୤ ମୋର ବି ମନେଥିଲା ତାଙ୍କର ଗୋଟାଏ କବିତାର ପ୍ରଥମାର୍ଦ୍ଧ୤ ତାଙ୍କୁ ଶୁଣାଇଦେଲି୤ ତାଙ୍କ ଆଖି ଛଳ ଛଳ ହେବାର ଦେଖି ଶଙ୍କି ଗଲି୤ ପରେ ବୁଝିଲି, ସେ ସ୍ବଭାବତଃ ଭାବପ୍ରବଣ୤ (୧୯୮୦ରେ ମୋର ସାରଳା ପୁରସ୍କାର ପ୍ରାପ୍ତି ସଭାରେ ସେ ସ୍ବାଗତ ଭାଷଣ ଦେଇ ଏକହିଁ ଭାବପ୍ରବଣତା ସହକାରେ ତାଙ୍କ ସହ ମୋର ପ୍ରଥମ ଦେଖାର ସ୍ମୃତି ଚାରଣ କରିଥିଲେ୤)

ଭାବପ୍ରବଣ ଭାଷାରେ ହିଁ ଦିନେ ସେ ମୋତେ ଆଉ ଜଣେ ମହାନ କବିଙ୍କ ସହ ପରିଚୟ କରାଇଦେଲେ୤ ବାଲେଶ୍ବରର ଶାନ୍ତିକାନନ ରାସ୍ତାରେ ଏ ସ୍କୁଲ ଛାତ୍ରଟି ତାଙ୍କୁ ଦୂରରୁ ନମସ୍କାରଟିଏ ପକାଇ ବାଟ ଭାଙ୍ଗି ଚାଲି ଯାଉଥିଲା୤ ସେ କିନ୍ତୁ ଅଟକି ରହିଲେ, ଅଟକାଇ ରଖିଲେ ତାଙ୍କ ସହପଥିକ ଜଣଙ୍କୁ୤ ମୋତେ ପାଖକୁ ଡାକି ପଚାରିଲେ, ‘‘ମୋର ଏ ବନ୍ଧୁଙ୍କୁ ଚିହ୍ନିଛ ?’’

କୁଞ୍ଜବିହାରୀ ବିପୁଳାୟତନ; ଦୀର୍ଘକାୟ୤ ତାଙ୍କ ବନ୍ଧୁ ଚଞ୍ଚଳ, କ୍ଷୀଣକାୟ୤

‘‘ ନାହିଁ ଆଜ୍ଞା୤’’

‘‘ରାଧାମୋହନ ଗଡ଼ନାୟକ୤’’

ଚମତ୍କୃତ ହେଲି୤

‘‘ଆପଣଙ୍କର କେଡ଼େ କବିଜନୋଚିତ ନାମ୤ ଆଉ ମୋର ? ମରହଟ୍ଟି ରାଧାମୋହନ !’’ କହିଲେ କବି୤

‘‘ମୋତେ ‘ଆପଣ’ ନ କହିଲେ କୃତଜ୍ଞ ହେବି ’’ ମୁଁ କହିଲି୤

‘‘ଆପାତତଃ କବି ମନୋଜଙ୍କ ସହ ଆଳାପ ହେଉଛି; ସ୍କୁଲ୍ ଛାତ୍ରଟିଏ ସହ ନୁହେଁ୤ ତେବେ ପରିଚୟ ନିବିଡ଼ ହେଲେ ବଳେ ବଳେ ଆପଣରୁ ତୁମେ କୁ ଆସିଯିବ୤’’ ପ୍ରତିଶୃତି ଦେଲେ ଗଡ଼ନାୟକ୤

ପରିଚୟ ପରେ ପ୍ରାୟ ବନ୍ଧୁତାରେ ପରିଣତ ହୋଇଥିଲା୤ ୧୯୫୫ରୁ ୧୯୬୨ - ମୋର ଆଠବର୍ଷର କଟକ ବାସ ବେଳେ ସେ ଯେତେଥର ସହରକୁ ଆସିଛନ୍ତି, ମୋତେ ନ ଭେଟି ଲେଉଟି ଯାଇ ନାହାନ୍ତି ସମ୍ଭବତଃ୤ ଏ ଆଠବର୍ଷର ପ୍ରଥମ ଚାରିବର୍ଷ ମୁଁ ଥିଲି ଛାତ୍ର (ଆଇନ୍ ଓ ରେଭେନ୍ସା କଲେଜ)୤ ସେ ପର୍ଯ୍ୟାୟରେ ସେ କଟକରେ ଥିବା ଭିତରେ ମୋର ସିଗାରେଟ ଖର୍ଚ୍ଚ ବହନ କରିବେ, ଏହା ଥିଲା ଏକ ଅଲିଖିତ କାନୁନ୍୤ ତାଳଦଣ୍ଡା କେନାଲ୍ ଉପରେ ଗୋଟାଏ ଭଡ଼ା କୋଠରୀରେ ରହୁଥିଲି କିଛିଦିନ୤ ଦିନେ ମଧ୍ୟାହ୍ନରେ କିଞ୍ଚିତ୍ ନିଦ୍ରା ପରେ ଉଠି ବସିବା ବେଳକୁ ମୋ ଛାତି ଉପରୁ ଖସି ପଡ଼ିଲା ଗୋଟିଏ ଅଖୋଲା ସିଗାରେଟ୍ ପ୍ୟାକେଟ୍୤ କିଏ ଏ ନିଷ୍କାମ ହିତୈଷୀ ? ତରବର ହୋଇ ରାସ୍ତାକୁ ଯାଇ ଦେଖିଲି, ଦୂରରେ ଦଳେ ଲୋକଙ୍କ ଭିତରେ ହଜି ଯାଉଛନ୍ତି କବିବର୤

ବହୁତ ବର୍ଷପରେ ମୁଁ ଓଡ଼ିଶା ଯାଇଥିବା ଅବସରରେ ତାଙ୍କ ସହ ଦେଖା ହୋଇଗଲା ଭୁବନେଶ୍ବରର ଏକ ରାଜପଥରେ୤ ସେ ବିମର୍ଷ ଦିଶୁଥିଲେ୤ କହିଲେ, ‘‘ଗତକାଲି ଓଡ଼ିଶା ସାହିତ୍ୟ ଏକାଡ଼େମିର ଉପସଭାପତି ରୂପେ ମୋର କାର୍ଯ୍ୟକାଳ ପୁରିଗଲା୤ ସମସ୍ତେ ପଚାରୁଛନ୍ତି, ମୋତେ କାହିଁକି ସଭାପତି କରା ନ ଗଲା ?’’

‘‘ଆନନ୍ଦର କଥା୤’’ ମୁଁ ମୋର ପ୍ରତିକ୍ରିୟାରେ କହିଲି୤

ସେ ପ୍ରଶ୍ନବାଚୀ ଦୃଷ୍ଟିରେ ଅନାଇଲେ୤

‘‘ସମସ୍ତେ ପଚାରୁଛନ୍ତି ଅର୍ଥ ସମସ୍ତେ କହୁଛନ୍ତି ଆପଣ ସେଥିପାଇଁ ଥିଲେ ଯୋଗ୍ୟ୤ ଏଇଟା ଆନନ୍ଦର କଥା ନୁହେଁ ? ଯଦି ସମସ୍ତେ ଭାବୁଛନ୍ତି ଆପଣ ଯୋଗ୍ୟ, ତେବେ ଆପଣ ସଭାପତି ନ ହେବାଟା ଅଯୋଗ୍ୟତା ନୁହେଁ ନିଶ୍ଚୟ !’’ କହିଲି୤

 

ଏଥର ସେ ହସିଲେ୤ ତା’ପରେ ତାଙ୍କୁ କହିଲି, ‘‘ମୁଁ ଆନନ୍ଦିତ ଭିନ୍ନ ଏକ ପର୍ଯ୍ୟାୟରେ ମଧ୍ୟ୤’’

‘‘ଅର୍ଥ ?’’

‘‘ଆସନ, ଉପାସନ, ଉପାଧି, ପୁରସ୍କାର - ଏସବୁ ପ୍ରତି ଆପଣଙ୍କର ଯଦି ଯତ୍‌କିଞ୍ଚିତ୍ ମୋହ ଥିବ, ତେବେ ମୋହଭଙ୍ଗ ଦିଗରେ ଏହା ଏକ ବିଧିପ୍ରଦତ୍ତ ଆଶୀର୍ବାଦ ରୂପେ ଆପଣ ଗ୍ରହଣ କରିବା ଉଚିତ୍୤ ଆପଣଙ୍କୁ ସେ ସୁଯୋଗ ମିଳିଲା, ସେ ପାଇଁ ମୁଁ ଆନନ୍ଦିତ୤

ତାଙ୍କ ପ୍ରତିକ୍ରିୟା ଅବଶ୍ୟ ଜାଣିପାରିଲି ନାହିଁ୤ ପରସ୍ପର ବିଦାୟ ନେଲୁଁ୤ ତାହା ହିଁ ଥିଲା ତାଙ୍କ ସହ ଶେଷ ସାକ୍ଷାତ୍୤