ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ
ବାଲେଶ୍ବରରେ ପ୍ରଥମେ ଭେଟିଥିଲି କାଳିନ୍ଦୀଚରଣ ପାଣିଗ୍ରାହୀଙ୍କୁ କଲେଜ୍ ବା ଫକୀରମୋହନ ସାହିତ୍ୟ ପରିଷଦର କୌଣସି ଅନୁଷ୍ଠାନ ସକାଶେ ଆଗମନ କରି ଆମ ବସାକୁ ( ଏ ଲେଖକର ଅଗ୍ରଜ ମନ୍ମଥ ବାବୁଙ୍କ ଆମନ୍ତ୍ରଣ କ୍ରମେ) ଆସି, ଅପରାହ୍ନ ଚାହା ଜଳଖିଆ ଅନ୍ତେ ଟିକିଏ ସହର ବୁଲି ଦେଖିବାର ଅଭିପ୍ରାୟ ବ୍ୟକ୍ତ କରନ୍ତେ ମୁଁ ହେଲି ତାଙ୍କ ପଥ ପ୍ରଦର୍ଶକ ସେତେବେଳେ ମୁଁ ନବମ ଶ୍ରେଣୀର ଛାତ୍ର କିନ୍ତୁ ଖାଲି ସୌଜନ୍ୟ ନୁହେଁ, ସେ ମୋତେ ସମ୍ମାନ ଦେଖାଇ କଥାବାର୍ତ୍ତା କରୁଥାନ୍ତି; ମୁଁ କିଛି କହିଲେ ମନୋଯୋଗ ସହକାରେ, ବରଂ ନମ୍ର ଭାବରେ, ତାହା ଶୁଣୁଥାନ୍ତି ଓଡ଼ିଶାର ସବୁଠୁଁ ଗଣ୍ୟମାନ୍ୟ ସାହିତ୍ୟିକ ଏଡ଼େ ବିନୀତ ଆଚରଣ କରି ପାରନ୍ତି, ତାହା ଥିଲା ମୋ ପାଇଁ ଅବିଶ୍ବାସ୍ୟ
ପରବର୍ତ୍ତୀ ସମୟରେ ମୋର ହୃଦ୍ବୋଧ ହେଲା, ସେ ବିନୟବୋଧ ତାଙ୍କ ଚରିତ୍ରର ସ୍ବତଃସ୍ଫୁର୍ତ୍ତ ଗୁଣ ବିଶେଷ ବିନୟବୋଧ ସହିତ ମିଶିଥିଲା ଗୁଣଗ୍ରାହୀତା ମୋର ପ୍ରଥମ କ୍ଷୀଣାଙ୍ଗ ବହି ‘ସମୁଦ୍ରର କ୍ଷୁଧା’ର ସେ କରିଥିଲେ ଉଦାର ସମୀକ୍ଷା କେଇବର୍ଷ ପରେ ପ୍ରକାଶିତ ‘ଇନ୍ଦୋନେସିଆର ଅନୁଭୂତି’କୁ ତାଙ୍କ ପଠିତ ଭ୍ରମଣ କାହାଣୀ ସବୁ ଭିତରେ ସବୁଠାରୁ ଚିତ୍ତାକର୍ଷକ ବୋଲି ସେ ଲେଖିଥିଲେ ୧୯୬୩ରେ ମୁଁ ପଣ୍ଡିଚେରୀ ଚାଲି ଆସିବା ଯୋଗୁଁ ଶ୍ରୀ ଜଗନ୍ନାଥ ରଥ, ଶ୍ରୀ ସହଦେବ ପ୍ରଧାନ ଓ ଶ୍ରୀ ନିୟାମତଲାଲ୍ ଗୁପ୍ତାଙ୍କ ଆୟୋଜନରେ ଅନୁଷ୍ଠିତ ବିଦାୟ ସଭାରେ ତାଙ୍କ ଭାଷଣ ସମସ୍ତଙ୍କ ମର୍ମ ସ୍ପର୍ଶ କରିଥିଲା
୧୯୮୦ରେ ଏ ଲେଖକର ‘ସାରଳା ସମ୍ମାନ’ ପ୍ରାପ୍ତି ଅବସରରେ ନନ୍ଦିନୀ ଦେବୀ ଏବଂ ଦେବେନ୍ଦ୍ର ବାବୁ ‘ଧରିତ୍ରୀ’ କାର୍ଯ୍ୟାଳୟରେ ଏକ ବନ୍ଧୁମିଳନ ଧରଣର ସଭା ଆବାହନ କରିଥିଲେ ସଭାପତିତ୍ବ କରିଥିଲେ କାଳିନ୍ଦୀବାବୁ ଓଡ଼ିଶାରେ ଥିବାବେଳେ କେତେଥର ତାଙ୍କ ପାଖକୁ ଯାଇଛି ‘ଆଗାମୀ’ ବା ‘ଦିଗନ୍ତ’ ସକାଶେ ଲେଖା ଆଦାୟ କରିବା ନିମନ୍ତେ; ତାଙ୍କୁ ଭେଟିଛି କେତେ ସମାବେଶରେ କିନ୍ତୁ ସେହି ବନ୍ଧୁମିଳନରେ, ସଭାପତି ଅଭିଭାଷଣ ଦେବାବେଳେ ପ୍ରଥମଥର ପାଇଁ ସେ ବିରକ୍ତି ପ୍ରକାଶ କରିବାର ଦେଖିଲି ଭାଷାରେ, ଭାବରେ ଭଙ୍ଗୀରେ ବିରକ୍ତିର ହେତୁ, ମୋ ବକ୍ତବ୍ୟ ଟେପ୍ କରିବାର ବ୍ୟବସ୍ଥା କାହିଁକି କରାନଗଲା କହିବା ବାହୁଲ୍ୟ, ସେ ବିରକ୍ତି ମାଧ୍ୟମରେ ସେ ଏ ଲେଖକ ପ୍ରତି କଳାପୂର୍ଣ୍ଣ ଭାବରେ ତାଙ୍କର ଶୁଭେଚ୍ଛା ଜ୍ଞାପନ କରୁଥିଲେ
ତାହାହିଁ ଥିଲା ତାଙ୍କ ସହ ମୋର ଶେଷ ସାକ୍ଷାତ