Screen

Profile

Layout

Direction

Menu Style

Cpanel

Kalandi Charana Panigrahi

ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ


ବାଲେଶ୍ବରରେ ପ୍ରଥମେ ଭେଟିଥିଲି କାଳିନ୍ଦୀଚରଣ ପାଣିଗ୍ରାହୀଙ୍କୁ୤ କଲେଜ୍ ବା ଫକୀରମୋହନ ସାହିତ୍ୟ ପରିଷଦର କୌଣସି ଅନୁଷ୍ଠାନ ସକାଶେ ଆଗମନ କରି ଆମ ବସାକୁ ( ଏ ଲେଖକର ଅଗ୍ରଜ ମନ୍ମଥ ବାବୁଙ୍କ ଆମନ୍ତ୍ରଣ କ୍ରମେ) ଆସି, ଅପରାହ୍ନ ଚାହା ଜଳଖିଆ ଅନ୍ତେ ଟିକିଏ ସହର ବୁଲି ଦେଖିବାର ଅଭିପ୍ରାୟ ବ୍ୟକ୍ତ କରନ୍ତେ ମୁଁ ହେଲି ତାଙ୍କ ପଥ ପ୍ରଦର୍ଶକ୤ ସେତେବେଳେ ମୁଁ ନବମ ଶ୍ରେଣୀର ଛାତ୍ର୤ କିନ୍ତୁ ଖାଲି ସୌଜନ୍ୟ ନୁହେଁ, ସେ ମୋତେ ସମ୍ମାନ ଦେଖାଇ କଥାବାର୍ତ୍ତା କରୁଥାନ୍ତି; ମୁଁ କିଛି କହିଲେ ମନୋଯୋଗ ସହକାରେ, ବରଂ ନମ୍ର ଭାବରେ, ତାହା ଶୁଣୁଥାନ୍ତି୤ ଓଡ଼ିଶାର ସବୁଠୁଁ ଗଣ୍ୟମାନ୍ୟ ସାହିତ୍ୟିକ ଏଡ଼େ ବିନୀତ ଆଚରଣ କରି ପାରନ୍ତି, ତାହା ଥିଲା ମୋ ପାଇଁ ଅବିଶ୍ବାସ୍ୟ୤

ପରବର୍ତ୍ତୀ ସମୟରେ ମୋର ହୃଦ୍‌ବୋଧ ହେଲା, ସେ ବିନୟବୋଧ ତାଙ୍କ ଚରିତ୍ରର ସ୍ବତଃସ୍ଫୁର୍ତ୍ତ ଗୁଣ ବିଶେଷ୤ ବିନୟବୋଧ ସହିତ ମିଶିଥିଲା ଗୁଣଗ୍ରାହୀତା୤ ମୋର ପ୍ରଥମ କ୍ଷୀଣାଙ୍ଗ ବହି ‘ସମୁଦ୍ରର କ୍ଷୁଧା’ର ସେ କରିଥିଲେ ଉଦାର ସମୀକ୍ଷା୤ କେଇବର୍ଷ ପରେ ପ୍ରକାଶିତ ‘ଇନ୍ଦୋନେସିଆର ଅନୁଭୂତି’କୁ ତାଙ୍କ ପଠିତ ଭ୍ରମଣ କାହାଣୀ ସବୁ ଭିତରେ ସବୁଠାରୁ ଚିତ୍ତାକର୍ଷକ ବୋଲି ସେ ଲେଖିଥିଲେ୤ ୧୯୬୩ରେ ମୁଁ ପଣ୍ଡିଚେରୀ ଚାଲି ଆସିବା ଯୋଗୁଁ ଶ୍ରୀ ଜଗନ୍ନାଥ ରଥ, ଶ୍ରୀ ସହଦେବ ପ୍ରଧାନ ଓ ଶ୍ରୀ ନିୟାମତଲାଲ୍‌ ଗୁପ୍ତାଙ୍କ ଆୟୋଜନରେ ଅନୁଷ୍ଠିତ ବିଦାୟ ସଭାରେ ତାଙ୍କ ଭାଷଣ ସମସ୍ତଙ୍କ ମର୍ମ ସ୍ପର୍ଶ କରିଥିଲା୤

୧୯୮୦ରେ ଏ ଲେଖକର ‘ସାରଳା ସମ୍ମାନ’ ପ୍ରାପ୍ତି ଅବସରରେ ନନ୍ଦିନୀ ଦେବୀ ଏବଂ ଦେବେନ୍ଦ୍ର ବାବୁ ‘ଧରିତ୍ରୀ’ କାର୍ଯ୍ୟାଳୟରେ ଏକ ବନ୍ଧୁମିଳନ ଧରଣର ସଭା ଆବାହନ କରିଥିଲେ୤ ସଭାପତିତ୍ବ କରିଥିଲେ କାଳିନ୍ଦୀବାବୁ୤ ଓଡ଼ିଶାରେ ଥିବାବେଳେ କେତେଥର ତାଙ୍କ ପାଖକୁ ଯାଇଛି ‘ଆଗାମୀ’ ବା ‘ଦିଗନ୍ତ’ ସକାଶେ ଲେଖା ଆଦାୟ କରିବା ନିମନ୍ତେ; ତାଙ୍କୁ ଭେଟିଛି କେତେ ସମାବେଶରେ୤ କିନ୍ତୁ ସେହି ବନ୍ଧୁମିଳନରେ, ସଭାପତି ଅଭିଭାଷଣ ଦେବାବେଳେ ପ୍ରଥମଥର ପାଇଁ ସେ ବିରକ୍ତି ପ୍ରକାଶ କରିବାର ଦେଖିଲି୤ ଭାଷାରେ, ଭାବରେ ଭଙ୍ଗୀରେ୤ ବିରକ୍ତିର ହେତୁ, ମୋ ବକ୍ତବ୍ୟ ଟେପ୍ କରିବାର ବ୍ୟବସ୍ଥା କାହିଁକି କରାନଗଲା୤ କହିବା ବାହୁଲ୍ୟ, ସେ ବିରକ୍ତି ମାଧ୍ୟମରେ ସେ ଏ ଲେଖକ ପ୍ରତି କଳାପୂର୍ଣ୍ଣ ଭାବରେ ତାଙ୍କର ଶୁଭେଚ୍ଛା ଜ୍ଞାପନ କରୁଥିଲେ୤

ତାହାହିଁ ଥିଲା ତାଙ୍କ ସହ ମୋର ଶେଷ ସାକ୍ଷାତ୤