Screen

Profile

Layout

Direction

Menu Style

Cpanel

ମୋର ଛାତ୍ର ଜୀବନର ବନ୍ଧୁ ମନୋଜ ଦାସ

 

ଜୀବନରେ ବହୁତ ମଣିଷଙ୍କ ସହିତ ପରିଚୟ ହୋଇଥାଏ, କିନ୍ତୁ କେତେଜଣଙ୍କୁ ସାରା ଜୀବନ ମନେରହେ? ସେହିମାନେ ମନେ ରହିଥାଆନ୍ତି ଯେଉଁମାନେ ମନ ଭିତରେ ବସାବାନ୍ଧିଅ ରହିଯାଆନ୍ତି୤ ଅତୀତକୁ ଭାବିବା ବେଳେ ଯେଉଁମାନଙ୍କ କଥା ଆଖି ଆଗରେ ଭାସି ଉଠେ ତାହାକୁ ଭାଷାରେ ପ୍ରକାଶ କରିବା ସମ୍ଭବ ହୋଇ ଉଠେନାହିଁ; ତଥାପି ସେହି ସ୍ମୃତି ଅତି ମଧୁର୤ ସେହି ସ୍ମୃତିକୁ ମନେ ପକାଇବା ବେଳେ ଆଜି ମନେ ପଡିଯାଉଛି ମୋର ୧୯୫୦ ମସିହା କଥା୤ ସେତେବେଳେ ଯେଉଁମାନଙ୍କ ସହ ମୋର ବନ୍ଧୁତା ହୋଇଥିଲା, ସେମାନଙ୍କ ମଧ୍ୟରୁ ଆଜି କେତେଜଣ କେବଳ ଓଡ଼ିଶା ନୁହନ୍ତି ଓଡ଼ିଶା ବାହାରେ ସର୍ବଭାରତୀୟ ସ୍ତରରେ ସୁପରିଚିତ ହୋଇ ଉଠିଛନ୍ତି୤ ସେମାନଙ୍କ ମଧ୍ୟରେ ମନୋଜ ଦାସ ଅନ୍ୟତମ୤ ୧୯୫୦ ମସିହା, ସେତେବେଳେ ମୁଁ ବାଲେଶ୍ବର କଲେଜ (ବର୍ତ୍ତମାନ ଫକୀରମୋହନ କଲେଜ)ର ତୃତୀୟ ବର୍ଷ କଳା ଛାତ୍ର ଏବଂ ମନୋଜ ଦାସ ବାଲେଶ୍ବର ଜିଲ୍ଲା ସ୍କୁଲର ଦଶମ ଶ୍ରେଣୀ ଛାତ୍ର୤ ସେତେବେଳେ ସେ ନିଜ ନାମ ମନୋଜ କୁମାର ଦାସ ବୋଲି ଲେଖୁଥିଲେ୤ ମନୋଜ ଦାସଙ୍କ ସହ ମୋର ପରିଚୟ ଓ ବନ୍ଧୁତା ହୋଇଥିଲା ସାହିତ୍ୟ ମାଧ୍ୟମରେ୤ ୧୯୫୦ ମସିହାରେ ମନୋଜ ଦାସ ଗୋଟିଏ ଖଣ୍ଡ-କାବ୍ୟ ଲେଖିଥିଲେ, ଯା’ର ନାମ - ‘ବିପ୍ଲବୀ ଫକୀରମୋହନ’୤ ମୋତେ ଖଣ୍ଡିଏ ବହି ଉପହାର ଦେଇ ସେଥିରେ ଲେଖିଥିଲେ - ‘‘ବିଶିଷ୍ଟ ତରୁଣ କବି ଶ୍ରୀ ଯୁଗଳ କିଶୋର ଦତ୍ତ, କରକମଳେଷୁ - ଶ୍ରୀ ମନୋଜ କୁମାର, ୧୩-୧୦-୫୦୤’’ ସେହି ବହି ଖଣ୍ଡିକ ମୋ ପାଖରେ ଏବେ ମଧ୍ୟ ଅଛି୤ ଯେଉଁଦିନ ଭୁବନେଶ୍ବର ‘ସୂଚନା ଭବନ’ଠାରେ ତାଙ୍କ ସହିତ ମୋର ଦେଖା ହୋଇଥିଲା ୨୦୦୦ ମସିହାରେ ତାଙ୍କୁ ଏହି ବହି କଥା କହିବା ବେଳେ ସେ ମୋର ଦୁଇହାତ ଧରି ହସି ହସି ଆଶ୍ଚର୍ଯ୍ୟ ହୋଇ କହି ଉଠିଥିଲେ - ‘‘ ଆପଣ ଏହି ଦୀର୍ଘ ୫୦ ବର୍ଷ ହେଲା ସେହି ବହି ଖଣ୍ଡିକ ସାଇତି ରଖିଛନ୍ତି ?’’ ସେହି ୧୯୫୦ ମସିହାରେ ମନୋଜ ବାବୁଙ୍କ ସଂପାଦନାରେ ‘ଦିଗନ୍ତ’ ପତ୍ରିକାର ଶୁଭାରମ୍ଭ ହୋଇଥିଲା ବାଲେଶ୍ବରଠାରେ୤ ଆମେ ଛଅ ଜଣ ସଂପାଦକ ମଣ୍ଡଳୀରେ ଥିଲୁ, ଯଥା - ଶ୍ୟାମ ସୁନ୍ଦର ମହାପାତ୍ର, ସଦାନନ୍ଦ ଦାସ, ରାଜଶ୍ରୀ ଦାସ, ଜୀତେନ୍ଦ୍ରନାଥ ଦାସ, ଅନ୍ନଦା ରକ୍ଷିତ ଓ ମୁଁ୤ ଏହି ସମୟରେ ମନୋଜ ଦାସଙ୍କ ସହିତ ବନ୍ଧୁତା ଗାଢରୁ ଗାଢତର ହୋଇଥିଲା୤


ସେହି ବନ୍ଧୁ ମନୋଜ ଦାସଙ୍କର ଆଉ ଗୋଟିଏ କଥା ଏବେ ମଧ୍ୟ ମୋ ମନତଳେ ଦାଗ ଆଙ୍କି ଦେଇଛି୤ ମୁଁ ୨୪ ଗୋଟି ଓଡିଆ ଗଳ୍ପ ବଙ୍ଗଳାରେ ଅନୁବାଦ କରି ‘ଓଡ଼ିଶାର ନିର୍ବାଚିତ ଗଳ୍ପ’ ନାମରେ ପ୍ରକାଶ କରିଥିଲି୤ କଲିକତାର ପ୍ରଖ୍ୟାତ ପ୍ରକାଶକ ‘ଦେଜ୍ ପବ୍ଲିସିଙ୍ଗ୍‌’ ୧୯୯୪ ମସିହାରେ ଏହା ପ୍ରକାଶ କରିଥିଲେ୤ ସେଥିରେ ମନୋଜ ଦାସଙ୍କର ‘ଶେଷ ବସନ୍ତର ଚିଠି’ ଗଳ୍ପଟି ବଙ୍ଗଳାରେ ଅନୂଦିତ ହୋଇ ପ୍ରକାଶିତ ହୋଇଥିଲା୤ ଏହି

 

ବହିର ପରିକଳ୍ପନା ଉଦ୍ୟୋଗ ସହିତ ଏହାର ଭୂମିକା ଲେଖିଥିଲେ ବଙ୍ଗଳା ସାହିତ୍ୟର ପ୍ରଖ୍ୟାତ ଗାଳ୍ପିକ ଓ ଔପନ୍ୟାସିକ ‘ଶଙ୍କର’୤ ସେ ମୋତେ କହିଥିଲେ ଯେଉଁ ୨୪ ଜଣଙ୍କର ଓଡ଼ିଆ ଗଳ୍ପ ଅନୂଦିତ ହୋଇଛି, ସେମାନଙ୍କଠାରୁ ଅନୁମତି ଆଣିବା ପାଇଁ୤ ମୁଁ ଯେତେବେଳେ ମନୋଜ ଦାସଙ୍କୁ ତାଙ୍କ ଗଳ୍ପ ଅନୁବାଦ କରିବାପାଇଁ ଅନୁମତି ମାଗିଥିଲି, ସେ କହିଥିଲେ ଯୁଗଳବାବୁ, ଆପଣଙ୍କୁ ମୁଁ ମୋର ନିଜ ହାତରେ ଅନୁମତି ଲେଖି ଦେଇପାରିବି ନାହିଁ, କାରଣ ମୋତେ ବଡ଼ ସଙ୍କୋଚ ଲାଗୁଛି୤ ଆପଣ ଲେଖି ଦିଅନ୍ତୁ ମୁଁ ଆପଣଙ୍କୁ ମୌଖିକ ଭାବରେ ଅନୁମତି ଦେଉଛି୤

 

ମୁଁ ତେଣୁ ଅନ୍ୟମାନଙ୍କର ଅନୁମତି ପତ୍ର ସହ ଲେଖିଦେଇଥିଲି, ‘‘ମନୋଜ୍ ଦାସ୍ ହେଜ୍ ଗିଭେନ୍ ମି ଭର୍‌ବାଲ୍ ପର୍ମିସନ ଫରି ହିଜ୍ ଷ୍ଟୋରି ‘ଶେଷ ବସନ୍ତର ଚିଠି’୤’’ ଶଙ୍କର ତାହା ପଢି ମୋତେ ପଚାରିଥିଲେ, ‘‘ମନୋଜ ବାବୁ କ’ଣ ଆପଣଙ୍କୁ ଏହା ଲେଖିବା ପାଇଁ କହିଛନ୍ତି?’’ ଏହା କହି ସେ ତାକୁ ଗ୍ରହଣ କରିନେଇଥିଲେ୤ ପ୍ରକୃତରେ ଗର୍ବରେ ମୋର ଛାତି ଭରିଯାଇଥିଲା, କାରଣ ଓଡ଼ିଶାର ଜଣେ ଗାଳ୍ପିକ ଓଡ଼ିଶା ବାହାରେ ମଧ୍ୟ ନିଜର ପରିଚୟ ଓ ସମ୍ମାନ କିଭଳି ବଜାୟ ରଖିଛନ୍ତି, ତାହା ଜାଣି୤

 

ସେହି ମନୋଜ ଦାସ ଆଜି ସର୍ବ ଭାରତୀୟ ସ୍ତରରେ ବହୁ ସମ୍ମାନର ଅଧିକାରୀ୤ ମୁଁ ମଧ୍ୟ ଗର୍ବ ଅନୁଭବ କରେ ଯେ, ସେ ଏକଦା ମୋର ଛାତ୍ର ଜୀବନରେ ବନ୍ଧୁ ଥିଲେ୤


.....................x................

ସୌଜନ୍ୟ: ମନୋଜାୟନ