କିଛି ଅଭୁଲା ସ୍ମୃତି ଓ ଅନୁଭୂତି
ଇନ୍ଦୁଭୂଷଣ କର
ମନୋଜ ଦା’ ମୋ ଠାରୁ ବୟସରେ ଏକବର୍ଷ ବଡ଼ ସଂପର୍କରେ ସେ ମୋ ପିଉସୀ ପୁଅ ଭାଇ ତାଙ୍କ ବାପା ୰ ମଧୁସୂଦନ ଦାସ ମୋର ପିଉସା ଓ ମାଆ ୰ କାଦମ୍ବିନୀ ଦେବୀ ପିଉସୀ ଶଙ୍ଖାରୀ ‘ଦାସ’ ପରିବାର ଓ ଚଣ୍ଡୀପୁରର ‘କର’ ପରିବାର ମଧ୍ୟରେ ପାରିବାରିକ ସମ୍ବନ୍ଧ ଖୁବ୍ ନିବିଡ଼ ଥିଲା ମୋ ବାପା, ଯୋଗେନ୍ଦ୍ରନାଥ କର ଓ କକା ମନ୍ମଥ ନାଥ କରଙ୍କୁଅ ମନୋଜ ଦା’, ମାମୁ ବୋଲି ଡାକୁଥିଲେ ପିଲାଦିନର ମନୋଜ ଦା’ ସହିତ ସଂପର୍କ ଖୁବ୍ ନିବିଡ଼ ଓ ଅନ୍ତରଙ୍ଗ ଥିଲା ମୁଁ ଯେତେବେଳେ ୧୦ ବର୍ଷର ସେତେବେଳେ ମନୋଜ ଦା’ ଦିନେ ଆମ ଘରକୁ ଆସିଥିଲେ ମୋ ବଡକକା ଥିଲେ ଜଣେ ଖ୍ୟାତନାମା ନାଟ୍ୟ ଅଭିନେତା ଓ ନିର୍ଦ୍ଦେଶକ ସେ ନିଜେ ଗୋଟିଏ ଯାତ୍ରା ଦଳ ଗଢି ଓଡ଼ିଆ ଯାତ୍ରା ଉତ୍ତର ବାଲେଶ୍ବର ଓ ମେଦିନୀପୁରର ପୁରପଲ୍ଲୀରେ ପରିବେଷଣ କରୁଥିଲେ ମନୋଜ ଦା’ ଆସି ଆମ ଘରେ ରହିଲେ ଓ ଆମ ଘରେ ଥିବା ଯାତ୍ରାଦଳର ବିଭିନ୍ନ ରଂଗର (ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ) ପୋଷାକ ଦେଖି ମୁଗ୍ଧ ହୋଇଗଲେ ଏହି ସାଜ ଘରର ଗୋଟିଏ କୋଣରେ ଥିଲା, ଢାଲ, ବର୍ଚ୍ଛା ଓ ସୁଦର୍ଶନ ଚକ୍ର ମନୋଜ ଦା’ଙ୍କ ଦୃଷ୍ଟି ପଡିଲା ସେଇ ‘ସୁଦର୍ଶନ ଚକ୍ର’ ଉପରେ ତାକୁ ନେବାପାଇଁ ତାଙ୍କର ଖୁବ୍ ଆଗ୍ରହ ଓ ଇଚ୍ଛା କକାଙ୍କୁ କହିଲେ - ‘‘ମନ ମାମୁ ମୁଁ ତୁମ ସାଜଘରର ସେଇ ସୁଦର୍ଶନ ଚକ୍ରଟି ନେବି’’ କକା ହସି ହସି କହିଲେ - ‘‘ମଣ୍ଟୁ, ତୋତେ ମୁଁ ସୁଦର୍ଶନ ଚକ୍ର ଦେଲି; ତୁ ଘରକୁ ଯିବା ଦିନ ନେଇଯିବୁ ’’ ମନୋଜ ଦା’ ସଙ୍ଗେ ସଙ୍ଗେ ସେ ସୁଦର୍ଶନ ଚକ୍ର ଧରି ହାତରେ ଘୂରାଇ ଅଗଣାରେ ଦଉଡିବାକୁ ଆରମ୍ଭ କଲେ ମୁଁ କକାଙ୍କ ପାଖରେ ପ୍ରତିବାଦ କଲି - ‘‘ନା, ଆମ ସୁଦର୍ଶନ ଚକ୍ର ତାଙ୍କୁ ଦେବା ନାହିଁ’’ ମୁଁ ମନୋଜ ଦା’ଙ୍କ ପଛେ ପଛେ ଧାଇଁଲି ପାଟି କଲି, - ‘‘ନା, ନା ସୁଦର୍ଶନ ଚକ୍ର ନିଅନା’’ ମୋର ଅବୁଝାପଣ ଦେଖି ମୋ ବଡ ଭଉଣୀ ସୁରବାଳା ଦିଦି ମୋତେ ବୁଝାଇଲେ, ‘‘ନା ଇନ୍ଦୁ, ତୁ ଅଝଟ ହଅନା; ମଣ୍ଟୁ ତୋର ବଡ଼ ଭାଇ, ସେ ନେଇଯାଉ; ଆମେ ଆଉ ଗୋଟିଏ ସୁଦର୍ଶନ ଚକ୍ର ଆଣିବା’’ ବଡ଼ ଭଉଣୀ କଥାରେ ମୁଁ ରାଜି ହୋଇଗଲି ତା’ପରେ ମନୋଜ ଦା ଓ ମୁଁ ସେ ସୁଦର୍ଶନ ଚକ୍ର ଧରି କେତେ ଅଭିନୟ, କେତେ ଅନ୍ତରଙ୍ଗ ଆଳାପ କରିଛୁ ଆଜି ପିଲାଦିନର ସେ ଅଭୁଲା ସ୍ମୃତି ମନେ ପଡିଲେ, ମନରେ ଗୋଟିଏ କଥା ଉଙ୍କିମାରେ ବାସ୍ତବରେ ମନୋଜ ଦା’ଙ୍କ ଅନ୍ତରରେ ସୁପ୍ତହୋଇ ଥିଲା ବୋଧହୁଏ ଶ୍ରୀକୃଷ୍ଣଙ୍କର ସେହି ‘ଦିବ୍ୟ ଚେତନା’, ଯାହା ତାଙ୍କୁ ତାଙ୍କର ପିଲାଦିନେ ହିଁ ଆକର୍ଷଣ କରିଥିଲା ସୁଦର୍ଶନ ଚକ୍ର ଆଡକୁ ସେତେବେଳେ ତାଙ୍କର ବୟସ ବୋଧହୁଏ ବୟସ ୧୧ ବର୍ଷ ହେବ ଆଜି ଭାବିଲେ ବିସ୍ମିତ ହେବାକୁ ପଡେ ଯେ ଯେଉଁ କିଶୋର ଦିନେ ସୁଦର୍ଶନ ଚକ୍ର ଧରି ଆମ ଘର ଅଗଣାରେ କୃଷ୍ଣ ଚରିତ୍ରରେ ମିଛ ଅଭିନୟ କରି ଆନନ୍ଦରେ ବିଭୋର ହୋଇ ଦଉଡୁଥିଲା, ସେ ଆଜି ଆଧ୍ୟାତ୍ମିକ ଉତ୍ତରଣ ପାଇଁ ଉତ୍ସର୍ଗୀକୃତ ଜଣେ ଯଶସ୍ବୀ
ସାରସ୍ବତ ସାଧକ ଏହି ଏକ କ୍ଷୁଦ୍ର ଘଟଣାର ସ୍ମୃତିକୁ ଆଜି ବି ମନେ ପକାନ୍ତି ମନୋଜ ଦା’ ମୋର ବଡ ଭଉଣୀ ସୁରଦିଦି ବି (ବୟସ ୭୦ ହେବ) ମନୋଜ ଦା’ଙ୍କ କଥା ପଚାରନ୍ତି, ‘‘ମଣ୍ଟୁର କଣ ସବୁ ଉପନ୍ୟାସ ପ୍ରକାଶିତ ହେଲାଣି, ମୋ ପାଖକୁ ଇନ୍ଦୁ ପଠାଇବୁ’’ ସେ ମନୋଜ ଦା’ଙ୍କ ଜଣେ ଗୁଣମୁଗ୍ଧ ପାଠିକା ଆମ ପରିବାରର ସମସ୍ତେ ଆଗ୍ରହର ସହିତ ମନୋଜ ଦା’ଙ୍କ ଗଳ୍ପ ଉପନ୍ୟାସ ପଢନ୍ତି ତାଙ୍କ ସହିତ ଏମିତି ହସଖୁସି ଖେଳରେ କୌଶୋର କଟିଲା ପରେ ୧୯୫୩ ମସିହାରେ ମୁଁ ଫକୀର ମୋହନ କଲେଜରେ ଭର୍ତ୍ତି ହେଲି ସେତେବେଳେ ମନୋଜ ଦା’ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ର ବରିଷ୍ଠ ଛାତ୍ରନେତା ଓ ଫକୀରମୋହନ ମହାବିଦ୍ୟାଳୟର ଛାତ୍ର ୟୁନିଅନର ସଭାପତି ତାଙ୍କର ସାହିତ୍ୟ ପ୍ରତିଭା, କବିତ୍ବ ଓ ଭାଷଣରେ ପ୍ରଭାବିତ ହୋଇ, ମୁଁ ମଧ୍ୟ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ରେ ଯୋଗ ଦେଲି ମନୋଜ ଦା’ଙ୍କ ପଦାଙ୍କ ଅନୁସରଣ କରି, ମୁଁ, କବି ବ୍ରଜନାଥ ରଥ ଓ ବିଶ୍ବେଶ୍ବର ଦେ ଆମେ ତିନିଜଣ ବଂଧୁ ବାମପନ୍ଥୀ ଚିନ୍ତାଧାରା ଓ ସାହିତ୍ୟ ପ୍ରତି ଆକୃଷ୍ଟ ହେଲୁ ମୋର ମନେ ପଡୁଛି ମନୋଜ ଦା’ଙ୍କ ନେତୃତ୍ବରେ ବାଲେଶ୍ବରରେ ଏକ ବଡ ଧରଣର ଛାତ୍ର ସମ୍ମିଳନୀ ହୋଇଥିଲା ସେଥିରେ ବଙ୍ଗଳାର ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଶମ୍ଭୂ ମିତ୍ର, ଅଭିନେତା ମନୋରଞ୍ଜନ ଭଟ୍ଟାଚାର୍ଯ୍ୟ, ସନ୍ଦୀପ ସାନ୍ନ୍ୟାଲ ପ୍ରଭୃତି ଖ୍ୟାତନାମା କଳାକାରମାନେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଶମ୍ଭୁ ମିତ୍ରଙ୍କ ବଙ୍ଗଳା କବିତା ଆବୃତ୍ତି ମୋରେ ମନ୍ତ୍ରମୁଗ୍ଧ କରିଥିଲା କଲେଜ ପଢିବା ଦିନଠୁ ମୁଁ ଧୀରେ ଧୀରେ ମନୋଜ ଦା’ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଗଲି ସାହିତ୍ୟ, ସଂସ୍କୃତିକ ସଭା ସମିତି ଓ ଛାତ୍ର ଆନ୍ଦୋଳନ ପ୍ରତି ଆକୃଷ୍ଟ ହୋଇ ପଡିଲି ୧୯୫୭ ମସିହାରେ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ତରଫରୁ ମୁଁ ଫକୀରମୋହନ୍ କଲେଜ ନିର୍ବାଚନ ରେ ଜୟୀ ହୋଇ କଲେଜ ୟୁନିୟନ ର ସଭାପତି ହେଲି ଓ ଫକୀରମୋହନ କଲେଜ ଛାତ୍ରମାନଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ୍ କଲି ୧୯୫୭ର ସୀମା ଆନ୍ଦୋଳନରେ ଆମେ ସତ୍ୟାଗ୍ରହ ଓ ରେଲିରେ ଯୋଗଦାନ ଦେଇଥିଲୁଁ କେତେକ ଜେଲ ମଧ୍ୟ ଯାଇଥିଲେ ଏ ସବୁ ପଛରେ ମନୋଜ ଦା’ଙ୍କ ପ୍ରଗତିଶୀଳ ଚିନ୍ତାଧାରା ଓ ଆଦର୍ଶ ଆମକୁ ପ୍ରେରଣା ଯୋଗାଇଥିଲା
୧୯୫୭ ମସିହାରେ ମୁଁ ଅର୍ଥନୀତିରେ ସ୍ନାତକ ପରୀକ୍ଷାରେ ପାଶ କରି ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ୧୯୫୮ରେ ରାଜନୀତି ବିଜ୍ଞାନରେ ଏମ୍.ଏ. ପଢ଼ିବା ପାଇଁ ଭର୍ତ୍ତି ହେଲି ମନୋଜ ଦା’ ସେତେବେଳେ ରେଭେନ୍ସା ମହାବିଦ୍ୟାଳୟରେ ଇଂରାଜୀ ବିଷୟରେ ୬ଷ୍ଠ ବାର୍ଷିକ ଛାତ୍ର ୧୯୫୮ ଗ୍ରୀଷ୍ମ ଛୁଟିରେ ମୁଁ କଟକ ଆସିଲି - ଓଡ଼ିଶା ପ୍ରଶାସନିକ ପରୀକ୍ଷା ଦେବାପାଇଁ କଟକ ତାଳଦଣ୍ଡା କେନାଲ କୂଳରେ ଡଃ ମନ୍ମଥ ନାଥ ଦାସଙ୍କ ସରକାରୀ ବାସଭବନରେ ମନୋଜ ଦା’ ରହୁଥାନ୍ତି ମୁଁ ପ୍ରାୟ ଦୁଇ ମାସ ମନୋଜ ଦା’ଙ୍କ ସହ ମନ ଭାଇଙ୍କ କ୍ବାର୍ଟରରେ ରହି ଓ.ଏ.ଏସ୍. ପରୀକ୍ଷା ପାଇଁ ପ୍ରସ୍ତୁତ ହେଲି ଏହି ଦୁଇ ମାସ ଧରି ପୁଣି ମନୋଜ ଦା’ଙ୍କ ଅତି ଘନିଷ୍ଟ ସାନ୍ନିଧ୍ୟରେ ଆସିଲି ସବୁଦିନ କଳା, ସାହିତ୍ୟ, ଦର୍ଶନ ବିଷୟରେ କିଛି ନା କିଛି ଆଳୋଚନା ହେଉଥିଲା ସେ ଦିନଗୁଡିକରେ ମୋ ପ୍ରତି ତାଙ୍କର ଅମାୟିକ ବ୍ୟବହାର, ସ୍ନେହ ଶ୍ରଦ୍ଧା ଭୁଲିବାର ନୁହେଁ
୧୯୫୯ରେ କୁଜଙ୍ଗର ରାଜା ନାରାୟଣ ବୀରବର ସାମନ୍ତ ଓ ରତ୍ନମାଳୀ ଜେମାଙ୍କ ଝିଅ ‘ପ୍ରତିଜ୍ଞା ଦେବୀ’ଙ୍କୁ ବିବାହ କଲାପରେ ମନୋଜ ଦା’ ଓ ପ୍ରତିଜ୍ଞା ଦେବୀ ଯୋବ୍ରା ନିକଟସ୍ଥ ଏକ ଘରେ ରହୁଥିଲେ ସେତେବେଳେ ମଧ୍ୟେ ମଧ୍ୟେ ତାଙ୍କ ସହ ଦେଖା କରିବାକୁ ଯାଉଥିଲି ଯୋବ୍ରା
ସେ ୧୯୬୩ ମସିହାରେ ଭାରତର ମହାମନୀଷୀ ଶ୍ରୀ ଅରବିନ୍ଦଙ୍କ Integrated Yoga and Philosophyରେ ଅନୁପ୍ରାଣିତ ହୋଇ Sri Aurobindo International Center for Educationରେ ଇଂରାଜୀ ଅଧ୍ୟାପକ ରୂପେ ପଣ୍ଡିଚେରୀ ଆଶ୍ରମରେ ଯୋଗଦାନ କଲେ ମୋ ମନରେ ଦୁଃଖହେଲା, ଆଗଭଳି ଆଉ ମନୋଜ ଦା’ଙ୍କ ସହିତ ବାରମ୍ବାର ଦେଖା ହୋଇପାରିବ ନାହିଁ ତେବେ ହୃଦୟର ବନ୍ଧନ ଯେଉଁଠି ଅତୁଟ, ସେଠି ସ୍ଥାନର ଦୂରତ୍ବ କିଛି ନୁହେଁ ଚିଠି-ପତ୍ର ମାଧ୍ୟମରେ ସଂପର୍କ ରଖୁଥିଲି ଥରେ ଥରେ ମନରେ ଇଚ୍ଛା ହୁଏ, ମନୋଜ ଦା’ଙ୍କ ସଙ୍ଗରେ ଦିନେ ଦୁଇ ଦିନ ପଣ୍ଡିଚେରୀ ଆଶ୍ରମରେ ରହିବା ପାଇଁ
ଚାକିରୀ କାଳ ଶେଷ ହେଲା ୧୯୯୪ ମସିହା ସେପ୍ଟେମ୍ବର ମାସରେ ଚାକିରୀରୁ ଅବସର ନେଲାପରେ ମୁଁ ଯେଉଁ ଦୁଇଥର ଯାଇଛି, ପଣ୍ଡିଚେରୀରେ ମନୋଜ ଦା’ଙ୍କ ସ୍ନେହ, ଶ୍ରଦ୍ଧାରେ ଅଭିଭୂତ ହୋଇଯାଇଛି ଗତବର୍ଷ ୧୯୯୯ ମସିହା ଡ଼ିସେମ୍ବର ମାସରେ ମୁଁ ମାନ୍ଦ୍ରାଜ ସହରସ୍ଥିତ ଆଡାୟାରରେ (Adyer) ହେଉଥିବା ବିଶ୍ବ ବ୍ରହ୍ମବିଦ୍ୟା ସମ୍ମିଳନୀକୁ (World Theosophical Conference) ଓଡ଼ିଶାର ଜଣେ ପ୍ରତିନିଧି ଭାବରେ ଯୋଗ ଦେଇଥିଲି ଏକ ସପ୍ତାହ, ଆଡାୟାରରେ ରହି ଶେଷ ଦୁଇଦିନ ପଣ୍ଡିଚେରୀ ଆଶ୍ରମରେ ରହିବି ବୋଲି ସ୍ଥିର କଲି ଓ ମାନ୍ଦ୍ରାଜରୁ ଖଣ୍ଡିଏ ପୋଷ୍ଟକାର୍ଡରେ ମନୋଜ ଦା’ଙ୍କ ପାଖକୁ ଚିଠି ଲେଖିଲି, ‘‘ଓଡ଼ିଶା ନିଳୟମ୍’ରେ ମୋ ପାଇଁ ଗୋଟିଏ ରୁମ୍ ରିଜର୍ଭ କରିବାପାଇଁ ମୁଁ ୩୧.୧୨.୧୯୯୯ ସକାଳେ ପଣ୍ଡିଚେରୀରେ ପହଞ୍ଚିଲି ଆଶ୍ରମନ୍ରେ ପହଞ୍ଚି ପ୍ରଥମେ ଜଣେ ଓଡ଼ିଆ ସାଧକଙ୍କୁ ପଚାରିଲି - ‘‘ମନୋଜ ଦାସଙ୍କ ସହ କୋଉଠି ଦେଖା ହୋଇ ପାରିବ?’’ ସେ କହିଲେ - ‘‘ମନୋଜ ବାବୁ ତାଙ୍କ ବାସ ଭବନରେ ଅଛନ୍ତି ଏହି ଆଶ୍ରମରେ ବର୍ତ୍ତମାନ ଆପଣ ତାଙ୍କ ସ୍ତ୍ରୀ ପ୍ରତିଜ୍ଞା ଦେବୀଙ୍କୁ ଦେଖା କରନ୍ତୁ’’ ମୁଁ ଆଶ୍ରମ ଭିତରକୁ ଯାଇ ପ୍ରତିଜ୍ଞା ଦେବୀଙ୍କୁ ଦେଖାକରି ପ୍ରଣାମ ଜଣାଇଲି ସେ ମୋତେ ଦେଖିବାମାତ୍ରେ କହିଲେ - ‘‘ଇନ୍ଦୁ, ତମକୁ ତୁମ ଦାଦା ଅପେକ୍ଷା କରି ବସିଛନ୍ତି; ତୁମେ ଆଜି ମଧ୍ୟାହ୍ନରେ ଆମ ଘରେ ଖାଇବ’’ ପ୍ରତିଜ୍ଞା ଭାଉଜ ମୋ ସହିତ ଜଣେ ଲୋକ ପଠାଇଲେ ମନୋଜ ଦା’ଙ୍କ ଘର ଚିହ୍ନାଇ ଦେବାପାଇଁ ମନୋଜ ଦା’ଙ୍କ ବାସ ଭବନରେ ପହଞ୍ଚିଲା ମାତ୍ରେ ମନୋଜ ଦା’ଙ୍କୁ ପ୍ରଣାମ ଜଣାଇଲି ସେ ସଙ୍ଗେ ସଙ୍ଗେ ପାଛୋଟି ନେଲେ ତାଙ୍କର ଡ୍ରଇଂରୁମ୍କୁ, କହିଲେ - ‘‘ତୁମକୁ ଅପେକ୍ଷା କରିଛି, ଫୋନ୍ କାହିଁକି କଲନି?’’ ମନୋଜ ଦା’ଙ୍କ ସ୍ନେହ ଓ ଶ୍ରଦ୍ଧାପୂର୍ଣ୍ଣ କଥାରେ ମୁଁ ଅଭିଭୂତ ହୋଇଗଲି ପୁଣି ସେ କହିଲେ, ‘‘ବାଲେଶ୍ବରର ସାଂସଦ ଖାରବେଳ ସ୍ବାଇଁ ଓ ତାଙ୍କ ସ୍ତ୍ରୀ ପଣ୍ଡିଚେରୀ ଆସିଛନ୍ତି ମୁଁ ସେ ଦୁଇଜଣଙ୍କୁ ମଧ୍ୟ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ କରିଛି ଆଜି ଏକ ସାଙ୍ଗରେ ଖିଆପିଆ ହେବ’’ ଅଧଘଣ୍ଟାଏ ପରେ, ଖାରବେଳବାବୁ ଓ ତାଙ୍କ ସ୍ତ୍ରୀ ଆସିଲେ ଆମେ ଚାରିଜଣ ଏକତ୍ର ବସି ମଧ୍ୟାହ୍ନ ଭୋଜନ କଲୁ, ଖୁବ୍ ଅନ୍ତରଙ୍ଗ ଆଳାପ ମଧ୍ୟରେ ସତେ ଯେପରି ଆମେ ଚାରିଜଣ ଏକ ପରିବାରର ସଦସ୍ୟ ପ୍ରତିଜ୍ଞା ଦେବୀ ପାଖରେ ଠିଆ ହୋଇଥାନ୍ତି, ଖାଦ୍ୟ ପରଷିବାରେ ଯେପରି ତ୍ରୁଟି ନ ହୁଏ ପ୍ରତିଜ୍ଞା ଦେବୀ ଆଦର୍ଶ ସ୍ବାମୀଙ୍କ ଆଦର୍ଶ ପତ୍ନୀ ଏହି ସ୍ମୃତି ଓ ଅନୁଭୂତି ମଧ୍ୟରେ ଥିଲା ଏକ ଅନିର୍ବଚନୀୟ ଆତ୍ମୀୟତା ଓ ଆତ୍ମିକ ବନ୍ଧନର ସୌରଭ
..............x..................
ସୌଜନ୍ୟ: “ମନୋଜାୟନ”