Screen

Profile

Layout

Direction

Menu Style

Cpanel

ନଇ ସେ ପାଖର ଗାଁ, ମନୋଜ ବାବୁଙ୍କ ନାଁ

ଭୂପେନ ମହାପାତ୍ର


ମନୋଜ ବାବୁଙ୍କ ଜନ୍ମ ବାଲେଶ୍ବର ଜିଲ୍ଲାରେ୤ ଏଇ ବାଲେଶ୍ବର ସହରରେ ତାଙ୍କର ପାଠପଢା୤ ଏଇଠି ହିଁ ଆରମ୍ଭ ହୋଇଛି ତାଙ୍କର ସାହିତ୍ୟିକ ଜୀବନ୤ ସୃଜନର ପହିଲି ପୁଲକ ସେ ଏଇଠି ଅନୁଭବ କରିଥିବେ୤ ଏ ସବୁ ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲା ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବାରେ ପ୍ରାସଙ୍ଗିକତା ରହିଛି୤

କିନ୍ତୁ ତା’ଭିତରେ ମୁଁ କିଏ? କୋଉଠି ମୋ ସ୍ଥାନ? ଏ କଥା ଭାବିଲା ବେଳକୁ କେମିତି କେଜାଣି ଝାପ୍‌ସା ଛାଇ ଆଲୁଅ ଦୃଶ୍ୟପଟଟିଏ ଆଖି ଆଗରେ ଭାସି ଉଠୁଛି୤ ସେତେବେଳେ ଛୋଟ ଥିଲି୤ ଖୁବ୍ ଛୋଟ୤ ବୋଧହୁଏ ଚତୁର୍ଥ କି ପଞ୍ଚମ ଶ୍ରେଣୀର ଛାତ୍ର୤ ଜମାଳପୁର ବିଶ୍ବନାଥ ଏକାଡେମୀ୤ ମାଇନର ସ୍କୁଲଟା ହାଇସ୍କୁଲ ସାଥିରେ ଅଛି୤ ସ୍କୁଲଟା ଠିଆ ହୋଇଛି ଠିକ୍ ସୁବର୍ଣ୍ଣରେଖା କୂଳରେ୤ ସ୍କୁଲ ବାରନ୍ଦାରେ ଠିଆହେଲେ ଦେଖିହୁଏ ରୂପା-ପାତର ନଈଟା ଲମ୍ବିଯାଇଛି କାହିଁ କେତେ ଦୂରକୁ୤ ସେ ସମୟରେ ଉତ୍ତର ବାଲେଶ୍ବରରେ ଏଇଟା ଥିଲା ଦ୍ବିତୀୟ ହାଇସ୍କୁଲ୍୤ ପ୍ରଥମ ଥିଲା ଲକ୍ଷ୍ମଣନାଥ ହାଇସ୍କୁଲ୍୤ ଯେତେଦୂର ଜାଣେ ମନୋଜ ବାବୁ ସେଇ ମାଇନର ସ୍କୁଲରେ ହିଁ ପ୍ରଥମେ ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ୤ ତାଙ୍କୁ ମୁଁ ପ୍ରଥମେ ଦେଖିଲି ସେଇଠି୤ ଏବେ ବି ମନେଅଛି, ଗୋଟାଏ ଶାନ୍ତ ସୁଧାର ପିଲା ହାଫ୍‌ପ୍ୟାଣ୍ଟ୍ ଓ ହାଫ୍‌ସାର୍ଟ୍ ପିନ୍ଧି ସ୍କୁଲ ପଡିଆରେ ବାଟ ଚାଲୁଥାଏ୤ ସେ ସେତେବେଳେ ସପ୍ତମ ଶ୍ରେଣୀରେ୤ ଆମେ ଦେଖିଛୁଁ, ମନୋଜ ନାଁଟା ସେତେବେଳେ ପିଲାଙ୍କ ପାଟିରେ ନଥାଏ- ଥାଏ ବେଶୀ ଶିକ୍ଷକ ମାନଙ୍କ ମୁହଁରେ୤ ମେଧାବୀ ଛାତ୍ର୤ କ୍ଲାସରେ ଫାଷ୍ଟ ହୁଏ୤

ମନୋଜ ବାବୁ ସେଇ ବର୍ଷହିଁ ସେ ସ୍କୁଲ ଛାଡିଦେଲେ୤ ଆସିଲେ ବାଲେଶ୍ବର୤ ସେ ସିନା ଜମାଳପୁର ଛାଡିଦେଲେ, ଜମାଳପୁଅର ଓଠରୁ କିନ୍ତୁ ମନୋଜ ନାଁଟା ଲିଭିଲା ନାହିଁ୤ ଏବେ ବି ଲିଭି ନାହିଁ୤ କେବେ ବି ଲିଭିବ ନାହିଁ୤ ହେଇତ ସେ ଦିନ ଯାଇଥିଲି୤ ଯେମିତି ପ୍ରତିଥର ଗାଁକୁ ଗଲାବେଳକୁ ସେଇ ସ୍କୁଲ ସାମନା ଦେଇ ଯାଏଁ୤ ବେଳେ ବେଳେ ସ୍କୁଲ ଭିତରକୁ ପଶିଯାଇ ଲାଇବ୍ରେରୀ ବିଷୟରେ କିମ୍ବା ଅନ୍ୟାନ୍ୟ ବିଷୟରେ ଶିକ୍ଷକ ମାନଙ୍କ ସହ କଥା ହୁଏଁ୤ ସେମିତି ସେଦିନ ମଧ୍ୟ ତାଙ୍କରି କଥା ପଡିଲା୤ ମନୋଜ ବାବୁଙ୍କ‘ସରସ୍ବତୀ ସମ୍ମାନ’ ବିଷୟରେ ଆଲୋଚନା ହେଲା୤ ପଚାରିଲି କେତେ ବହି ଅଛି ଲାଇବ୍ରେରୀରେ ?

ଅଛି୤ କିଛି ଅଛି ଆମ ପାଖରେ୤ କିନ୍ତୁ କେତେ ବା ମିଳୁଚି ଆମକୁ ? ଆଉ ଏଠି କିଏ ବୁଝିବ ସେ ବହିକୁ ?

ମୁଁ ସେଥିରେ ସନ୍ତୁଷ୍ଟ ହେଲି ନାହିଁ୤ କହିଲି ଯେତେ ଅଧିକ ରଖି ପାରିବେ ସେତେ ଭଲ୤ ପିଲାମାନେ ଅନ୍ତତଃ ଜାଣିବେ, ଏଇ ଲେଖକ ଦିନ ଏଇଠି ପାଠ ପଢ଼ୁଥିଲେ୤ ସେମାନଙ୍କର ଗୋଟିଏ ଧାରଣା ହେବ ତାଙ୍କ

 

ବିଷୟରେ, ଯେମିତି ଆମେ ସେତେବେଳେ ମନେ ମନେ ଗୋଟିଏ ସମ୍ଭାବ୍ୟ ଚିତ୍ର ଆଙ୍କୁଥିଲୁ କାହ୍ନୁ ଚରଣ, ଗୋପୀନାଥ, କାଳିନ୍ଦୀଚରଣଙ୍କ ବିଷୟରେ ତାଙ୍କ ବହି ପଢି୤

 

ମନୋଜ ବାବୁଙ୍କ ଲେଖକୀୟ ବଳୟ ଭିତରେ ଜମାଳପୁର କୋଉ ସ୍ଥାନ ଅଧିକାର କରିଛି ସେ କଥା ମୁଁ ଜାଣେନା୤ କିନ୍ତୁ ତା’ର ପରିବେଶ, ସୁବର୍ଣ୍ଣରେଖାର ଏ ପାଖରେ ନିତିଦିନ ମଥାଟେକୁଥିବା ସୂର୍ଯ୍ୟ ଓ ନଈ ସେ ପାଖରେ ପ୍ରତି ସଂଧ୍ୟାରେ ଲୁଚି ଯାଉଥିବା ସୂର୍ଯ୍ୟମାନେ ଯେ କିଛିଟା ଉଦ୍‌ବେଳନ ତାଙ୍କ ଭିତରେ ସୃଷ୍ଟି କରିଥିବେ ଏ ବିଷୟରେ ମୋର ସନ୍ଦେହ ନାହିଁ୤ ପ୍ରକୃତି ଓ ପରିବେଶ ହିଁ ମଣିଷକୁ କବି କରିଦିଏ୤ କବିତ୍ବ ସେଇଠୁ ସୃଷ୍ଟି ହୁଏ୤

 

ମନୋଜ ବାବୁଙ୍କୁ ତା’ପରେ ମୁଁ ଆଉ ଦେଖିନାହିଁ୤ ଯେତେବେଳେ ତାଙ୍କୁ ଦେଖିଲି ସେ ଥିଲେ ପଣ୍ଡିଚେରୀ ଆଶ୍ରମରେ୤ ମୁଁ ସେତେବେଳେ ଥାଏଁ ମାନ୍ଦ୍ରାଜରେ୤ ନିଜ ଡିପାର୍ଟମେଣ୍ଟର ଗୋଟିଏ ରିକ୍ରୁଟ୍‌ମେଣ୍ଟ ଟିମ୍ ସହିତ ମୁଁ ଯାଇଥାଏଁ ପଣ୍ଡିଚେରୀ୤ ସାଧକ ମନୋଜ ବାବୁଙ୍କୁ ଦେଖିଲି ତାଙ୍କ ନିଜ ବାସ ଭବନରେ୤ ସାଧନାରେ ନିମଗ୍ନ ଥିଲେ ସେ ତାଙ୍କ ଲାଇବ୍ରେରୀରେ୤ କେତୋଟି ବିରଳ ମୁହୂର୍ତ୍ତ ମୁଁ ସେଦିନ ତାଙ୍କ ସହିତ ପ୍ରଥମ କରି କଟେଇଥିଲି୤

 

ବାସ୍, ତା’ପରେ ମୋର ଆଉ ଅସୁବିଧା ହୋଇନାହିଁ୤ ମୁଁ ଓ ସେଠି ଇଞ୍ଜିନିୟରିଂ ପଢୁଥିବା ଜେନାମଣି ତାଙ୍କୁ ଭେଟିଥିଲୁଁ ହୋଟେଲ୍ ‘ସବେରା’ରେ୤ ଅନୁରୋଧ କଲୁଁ ସେ ବର୍ଷ ଉତ୍କଳ ଦିବସ ପାଳନ ଉତ୍ସବରେ ଯୋଗ ଦେବାକୁ୤ ସେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ୤ ସେ ବର୍ଷ (୧୯୮୨) ଉତ୍କଳ ଦିବସ ପାଳନ ଅବସରରେ ଆମେ ଆଲୋଚନା କଲୁଁ ‘ଉତ୍କଳ ଆସୋସିଏସନ’ ଗଠନ ପାଇଁ୤ ଉପସ୍ଥିତ ଥିଲେ ଡାକ୍ତର କବି ପ୍ରସାଦ ମିଶ୍ର, ଖ୍ୟାତନାମା ହୃଦ୍‌ରୋଗ ବିଶେଷଜ୍ଞ; ଅଧ୍ୟାପକ ଡକ୍ଟର ଆର୍.ଏନ୍.ମହାନ୍ତି ଯେ କି ସେତେବେଳେ ମାନ୍ଦ୍ରାଜ ବିଶ୍ବବିଦ୍ୟାଳୟର ନୃତତ୍ବ ବିଭାଗର ଅଧ୍ୟାପକ ଏବଂ ଆଇ.ଆଇ.ଟି ର ଅଧ୍ୟାପକ ସୁରେନ୍ଦ୍ର ନାଥ ମାଝି୤
 

ପ୍ରସ୍ତାବ ଗୃହୀତ ହେଲା ଏବଂ କାମ ମଧ୍ୟ ଆରମ୍ଭ ହେଲା୤ ତେଣୁ ମାନ୍ଦ୍ରାଜରେ ‘ଉତ୍କଳ ଆସୋସିଏସନ୍’ର ମୂଳଦୁଆ ଦେବାରେ ମନୋଜ ବାବୁଙ୍କ ପ୍ରଚ୍ଛନ୍ନ ପ୍ରେରଣାକୁ ଅସ୍ବୀକାର କରି ହେବ ନାହିଁ୤ ମୁଁ ଥିଲି ତା’ର ପ୍ରଥମ ସାଧାରଣ ସଂପାଦକ ଓ ଡକ୍ଟର କବି ପ୍ରସାଦ ମିଶ୍ର ଥିଲେ ପ୍ରଥମ ସଭାପତି୤ ସେ ଅନୁଷ୍ଠାନ ଆଜି ବିରାଟ ଆକାର ଧାରଣ କଲାଣି୤ ସମୁଦ୍ର କୂଳରେ ଏକ ଏକର ପରିମିତ ଜାଗାରେ ବିରାଟ ଜଗନ୍ନାଥ ମନ୍ଦିର ନିର୍ମାଣ ସରିଲାଣି୤ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି୤ ମୁଁ ମାନ୍ଦ୍ରାଜରୁ ବଦଳି ହୋଇ ଆସିଥିଲେ ମଧ୍ୟ ଉତ୍କଳ ଏସୋସିଏସନ୍ ସଂପର୍କ ଅତୁଟ ରହିଛି୤ ମନୋଜ ବାବୁ ମଧ୍ୟ ତା’ ସହିତ ଅଛନ୍ତି୤

 

ମୁଁ ମନୋଜ ବାବୁଙ୍କ ସାହିତ୍ୟ ଉପରକୁ ଯିବିନାହିଁ୤ ଖୁବ୍ ବେଶି ତାଙ୍କୁ ମନ ଦେଇ ପଢିଛି ବୋଲି କହି ପାରିବି ନାହିଁ୤ ତାଙ୍କ ଦର୍ଶନକୁ କେତେ ବୁଝିଛି ଜାଣେନା୤ ତେବେ ଗୋଟିଏ କଥା ଲକ୍ଷ୍ୟ କରିଛି- ଛାତ୍ରାବସ୍ଥାରେ ମନୋଜବାବୁ ବା ଛାତ୍ରନେତା ମନୋଜ ବାବୁ ଓ ସାଧକ ମନୋଜ ବାବୁ ଭିତରେ ଅନେକ ପାର୍ଥକ୍ୟ ରହି ଯାଉଚି୤ ଏ ପାର୍ଥକ୍ୟକୁ ମନୋଜ ବାବୁ ସ୍ବୀକାର କରନ୍ତି୤ ସାମ୍ୟବାଦରୁ ଆଧ୍ୟାତ୍ମବାଦକୁ ଯାଇଥିବା ମନୋଜ ବାବୁ ଏ ସଂପର୍କରେ କହନ୍ତି, ‘‘ମଣିଷ ମଣିଷ ଭିତରେ ଏକତ୍ବର ଦର୍ଶନ ମୋତେ ବାମପନ୍ଥୀ ରାଜନୈତିକ ଦର୍ଶନ ପ୍ରତି ଆକୃଷ୍ଟ କରିଥିଲା୤ ପରେ ଉପଲବ୍ଧି କରିଥିଲି ଯେ ଏକତ୍ବର ରୂପାୟନ ଚେତନା ରାଜ୍ୟରେ ଓଲଟ ପାଲଟ ବିନା ସମ୍ଭବପର ନୁହେଁ୤ ସ୍ଥୁଳ ଜୀବନ ଯାତ୍ରାରେ ରାଜନୀତିର ଭୂମିକା ଅଛି୤ ଆଦର୍ଶବାଦର ଭୂମିକା ଅଛି୤ ଆଧ୍ୟାତ୍ମିକତା - ବିଶେଷତଃ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ସେ ସବୁର ବିରୋଧ କରେନାହିଁ ବା ସେ ସବୁର ବିକଳ୍ପ ନୁହେଁ୤ ... ଆଧ୍ୟାତ୍ମିକତାକୁ କୌଣସି ଧର୍ମଗୋଷ୍ଠୀ, ଜାତି ଇତ୍ୟାଦି ସହ ସଂଶ୍ଳିଷ୍ଟ କଲେ ଚଳିବ ନାହିଁ୤ ଆଧ୍ୟାତ୍ମିକତା ଚେତନାଗତ ବିଜ୍ଞାନ୤ ମଣିଷର ସୃଷ୍ଟି ବିବର୍ତ୍ତନର ଆଭିମୁଖ୍ୟ, ମଣିଷ ଜାତିର ଅନିବାର୍ଯ୍ୟ ଭବିଷ୍ୟତ ସମ୍ପର୍କରେ ଶ୍ରୀ ଅରବିନ୍ଦ ଯେଉଁ ଦିଗ୍ ଦର୍ଶନ ଦେଇଛନ୍ତି ତାହା ମୋତେ ବିଜ୍ଞାନ ସମ୍ମତ ଓ ପୂର୍ଣ୍ଣାଙ୍ଗ ମନେହେଲା୤’’

 

ଆଧ୍ୟାତ୍ମବାଦର ଆଉ ଏକ ବିଶାଳ ପୃଥିବୀକୁ ପଶିଗଲା ପରେ ମନୋଜ ବାବୁଙ୍କୁ ଗୋଟିଏ ଜିଲ୍ଲା ବା ପ୍ରଦେଶର ଭୌଗୋଳିକ ସୀମାରେଖା ଭିତରେ ଆବଦ୍ଧ କରି ରଖି ହେବନାହିଁ୤ ସାମାଜିକ ପ୍ରତିବଦ୍ଧତାରେ ବିଶ୍ବାସ ରଖୁଥିବା ମନୋଜ ବାବୁ ସମାଜ ଓ ଧର୍ମକୁ କେବେ ଅଲଗା କରି ଦେଖିନାହାନ୍ତି୤ ସତ୍ ସାହିତ୍ୟର ମଣିଷକୁ ବଦଳାଇ ପାରିବାର ଅଦ୍ଭୁତ ଶକ୍ତି ରହିଛି - ଏକଥା ସେ ବିଶ୍ବାସ କରନ୍ତି୤ ତାଙ୍କର ସମଗ୍ର ସାହିତ୍ୟ ଏଇ ଦୃଷ୍ଟିରୁ ସମଗ୍ର ମଣିଷ ଜାତିପାଇଁ ନିବେଦିତ୤ ଏହାକୁ ଗୋଟିଏ ପ୍ରଦେଶ, ଭାଷା ବା ଦେଶ ଭିତରେ ସୀମାବଦ୍ଧ କରାଯାଇ ପାରେନା୤ ସେ ସମଗ୍ର ମଣିଷର, ସମଗ୍ର ପୃଥିବୀର୤

 

ମନୋଜ ବାବୁଙ୍କ ଜନ୍ମ ଦ୍ବିତୀୟ ବିଶ୍ବଯୁଦ୍ଧ ପ୍ରାକ୍ କାଳରେ୤ ଯୁଦ୍ଧର ଭୟାବହତା ସେ ହୁଏତ କିଛି କିଛି ଅନୁଭବ କରିଥିବେ୤ ହିରୋସୀମା ଓ ହିଟଲର ଏମାନେ ଲେଖକ ମନୋଜ ବାବୁଙ୍କ ଦୃଶ୍ୟପଟରୁ ଅପସରି ଯାଇ ପାରି ନ ଥିବେ୤ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ମଧ୍ୟ ଦେଶ ଓ ଦେଶ ବାହାରେ ବହୁ ଯୁଦ୍ଧ ଅନୁଷ୍ଠିତ ହୋଇ ଯାଇଛି୤ ଅଣୁ ଯୁଦ୍ଧ ସମଗ୍ର ମଣିଷ ସମାଜ ଆଗରେ ଏକ ଭୟଙ୍କର ଶତ୍ରୁ ହୋଇ ଠିଆ ହେଇଛି୤ ଜଣେ ମାନବବାଦୀ ଲେଖକ ଏ ସବୁକୁ ନିରବ ହେଇ ଦେଖି ପାରେନାହିଁ୤


ମନୋଜ ବାବୁ ମଧ୍ୟ ତାଙ୍କ ଜୀବନକାଳ ଭିତରେ ଦେଶ ବିଭାଜନକୁ ଦେଖିଚନ୍ତି୤ ଖାଲି ନିଜ ଦେଶ ନୁହେଁ, ସାମ୍ରାଜ୍ୟବାଦୀ ଚକ୍ରବ୍ୟୂହ ଭିତରେ ପୃଥିବୀର ବହୁ ଦେଶ ବିଭାଜିତ ହେଇଚନ୍ତି ଏବଂ କେତେକ କ୍ଷେତ୍ରରେ ସେମାନେ ପୁଣିଥରେ ମିଳିତ ହୋଇଚନ୍ତି ମଧ୍ୟ୤ ‘ସମଗ୍ର ମଣିଷ ସମାଜ ଗୋଟିଏ’ ଏ କଥାରେ ସେମାନେ

 

ବିଶ୍ବାସ କରନ୍ତି୤ କିନ୍ତୁ ବିଭାଜନ ମଣିଷକୁ ମଣିଷଠାରୁ ଅଲଗା କରିଦିଏ୤ ମାଆକୁ ପୁଅଠାରୁ, ସ୍ତ୍ରୀକୁ ସ୍ବାମୀଠାରୁ, ଭାଇକୁ ଭଉଣୀଠାରୁ ଏବଂ ପ୍ରେମିକକୁ ପ୍ରେମିକାଠାରୁ ଅଲଗା କରୁଥିବା ବିଭାଜନ ମଧ୍ୟ ମଣିଷର ସାମଗ୍ରିକ ବିବର୍ତ୍ତନରେ ବାଧା ସୃଷ୍ଟି କରେ୤ ତା’ର ଚେତନାର ଉତ୍ତରଣରେ ସହାୟକ ହୁଏନା୤ ମନୋଜୀୟ ସାହିତ୍ୟ ସମାଜରେ ଗୋଟିଏ ଚିରନ୍ତନ ସତ୍ୟର ପ୍ରତିଷ୍ଠା ପାଇଁ ଅହରହ ସଂଗ୍ରାମ କରୁଥିବା ବେଳେ କେତେଦୂର ଏସବୁ ବିଧି ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରିଚନ୍ତି ମୁଁ ଜାଣେନା୤ ହୁଏତ ମୋ ନଜରକୁ ଆସିନାହିଁ୤


ମନୋଜ ବାବୁ ‘Life beyond Life’ ରେ ବିଶ୍ବାସ କରନ୍ତି୤ ଜାତି, ଧର୍ମ ଓ ସଂପ୍ରଦାୟକୁ ସେ ଆଧ୍ୟାତ୍ମବାଦର ବିଶ୍ବାୟତନରୁ ଅଲଗା କରି ଦେଖିଚନ୍ତି୤ କୌଣସି ପ୍ରକାର ସେକ୍ଟେରିଆନ୍ ଚିନ୍ତାକୁ ସେ କେବେ ବି ତାଙ୍କ ଲେଖା ଭିତରେ ସ୍ଥାନ ଦେଇ ନାହାନ୍ତି୤ କିନ୍ତୁ ତାଙ୍କର ଅନ୍ତରଙ୍ଗ ଭାରତ ଏବେ ଶତଧା ବିଭକ୍ତ୤ ଜାତି, ଧର୍ମ ଓ ସଂପ୍ରଦାୟ ତା’ର ମଣିଷକୁ ଭାଗ ଭାଗ କରି ଦେଉଚି୤ ତାକୁ କ୍ଷୁଦ୍ରରୁ କ୍ଷୁଦ୍ରତର କରି ଦେଉଚି୤ ମଣିଷକୁ ଏକ ବିଶାଳ ପୃଥିବୀର ନାଗରିକରେ ପରିଣତ କରିବା ପରିବର୍ତ୍ତେ ଏକ ସଂକୀର୍ଣ୍ଣ ଗଣ୍ଡି ଭିତରେ ରଖି ଦେଉଚି, ଏବଂ ତାକୁଇ କେନ୍ଦ୍ର କରି ସୃଷ୍ଟି ହେଉଚି ସହସ୍ର ସଂଘର୍ଷ, ହିଂସା, ଦ୍ବେଷ ଏବଂ ଯାବତୀୟ ଅମାନବିକ କ୍ରିୟାକର୍ମ୤ ଅରବିନ୍ଦ ଦର୍ଶନ ଏ ସବୁ ସଂକୀର୍ଣ୍ଣତାକୁ ମୋଟେ ପ୍ରଶ୍ରୟ ଦିଏ ନାହିଁ୤ ତା’ର ଅନେକ ଉର୍ଦ୍ଧ୍ବରେ୤ ସାହିତ୍ୟ ମଧ୍ୟ ଯୁଗେ ଯୁଗେ ତା’ର ବିରୋଧାଚରଣ କରି ଆସୁଅଛି୤ ମନୋଜ ବାବୁଙ୍କ ସାହିତ୍ୟ ଏଥିରୁ ବାଦ୍ ପଡିନଥିଲେ ବି କେମିତି କେଜାଣି ଏ ଦୁଇଟି ଭିତରେ ଅନେକ ପାର୍ଥକ୍ୟ ରହି ଯାଇଛି୤ ସତ୍ ସାହିତ୍ୟ ସବୁବେଳେ ଅସତ୍ ବ୍ୟବସ୍ଥା ବିରୋଧରେ୤ ଆମର ଏବର ପରିବର୍ତ୍ତିତ ପରିସ୍ଥିତିରେ ସେ ସାହିତ୍ୟର ସ୍ବର ହୁଏତ ଦୁର୍ବଳ ହେଇ ପଡୁଛି ଯାହା ପାଇଁ ଅପର ପକ୍ଷ ବେଶି ବଳୀୟାନ ହେଇ ଯାଉଚି୤ ଫଳରେ ଏକ ସାଂଘାତିକ ଅବସ୍ଥା ସୃଷ୍ଟି ହେଉଚି୤

.............x...............

ସୌଜନ୍ୟ: ମନୋଜାୟନ